ପୃଷ୍ଠା:Odisha Itihasa.pdf/୩୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳ,
ସ୍ୱାଧୀନତା ପ୍ରାପ୍ତି ଓ ଗଡ଼ଜାତ ମିଶ୍ରଣ

ମିଳିତ ମନ୍ତ୍ରିମଣ୍ଡଳ

ଅଗଷ୍ଟ ବିପ୍ଳବ ସମୟରେ ଓଡ଼ିଶାରେ ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହୋଇ ସରକାରଙ୍କ ସହଯୋଗରେ କାର୍ଯ୍ୟ କଲା । ନଭେମ୍ବର ୧୯୩୯ରେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବା ପରେ ଦୁଇବର୍ଷ କାଳ ରାଜ୍ୟର ଶାସନ ରାଜ୍ୟପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଲା । ପରେ ବିଶ୍ୱଯୁଦ୍ଧର ଜଟିଳତା ବୃଦ୍ଧିପାଇଲାଏବଂ ମିତ୍ର ପକ୍ଷ ଭାରତର ସହଯୋଗ ପାଇବାଲାଗି ରାଜନୈତକ ଦଳଗୁଡ଼ିକୁ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ପ୍ରୋତ୍ସାହିତ କଲେ । ରାଜନୈତିକ ଦଳ ନେତୃତ୍ୱରେ ପ୍ରାଦେଶିକ ସ୍ତରରେ ସରକାର ଗଠିତ ହେଲେ ଲୋକଙ୍କର ବ୍ରିଟିଶ ବିରୋଧୀ ଭାବ ଊଣା ହୋଇପାରେ ବୋଲି କର୍ତ୍ତୃପକ୍ଷ ବିଚାର କରୁଥିଲେ ।

୧୯୪୧ରେ କଂଗ୍ରେସର ଜଣେ ପ୍ରମୁଖ ନେତା ଭାବରେ ପ୍ରସିଦ୍ଧି ପାଇଥିବା ନୀଳକଣ୍ଠ ଦାସ, ସୁଭାଷ ଚନ୍ଦ୍ର ବୋଷଙ୍କ ଫରଓ୍ୱାର୍ଡ଼ ବ୍ଲକ୍‍ ସହ ସଂପର୍କ ରଖିଥିବା ଅଭିଯୋଗରେ ଦଳରୁ ବହିଷ୍କୃତ ହେଲେ । ହରେକୃଷ୍ଣ ମହତାବ ଓ ବିଶ୍ୱନାଥ ଦାସ ଆଦି ରାଜ୍ୟ କଂଗ୍ରେସ ଦଳରେ ଏକ ପ୍ରଭାବଶାଳୀ ଗୋଷ୍ଠୀ ଗଢ଼ିଥାନ୍ତି । ନୀଳକଣ୍ଠ ଦାସଙ୍କ ସହିତ ସେମାନଙ୍କର ଗୋଷ୍ଠୀକନ୍ଦଳ ଚାଲିଥାଏ । କଂଗ୍ରେସର କେନ୍ଦ୍ର ସ୍ତରର ନେତୃବୃନ୍ଦ ମଧ୍ୟ ହରେକୃଷ୍ଣ ମହତାବ ଗୋଷ୍ଠୀକୁ ସମର୍ଥନ କରୁଥାନ୍ତି । ଅନ୍ୟ ପକ୍ଷରେ ନବକୃଷ୍ଣ ଚୌଧୁରୀ ଆଦି ସୋସିଆଲିଷ୍ଟ ନେତୃବର୍ଗ ନୀଳକଣ୍ଠଙ୍କୁ ରକ୍ଷଣଶୀଳ କହି ବିରୋଧ କରୁଥାନ୍ତି । ଏହି ପରିସ୍ଥିତିରେ ନୀଳକଣ୍ଠ ତାଙ୍କର ପୁରୁଣା ସହଯୋଗୀ ସତ୍ୟବାଦୀର ଅନ୍ୟତମ ପ୍ରତିଷ୍ଠାତା ଗୋଦାବରୀଶଙ୍କୁ ନେଇ ସରକାରଙ୍କ ସହାୟତାରେ ମିଳିତ ମନ୍ତ୍ରିମଣ୍ଡଳ ଗଢିବାକୁ ଉଦ୍ୟମ କଲେ । ଅନ୍ୟାନ୍ୟ କାରଣ ମଧ୍ୟରେ କଂଗ୍ରେସର ଗୋଷ୍ଠୀକନ୍ଦଳ ଉଭୟଙ୍କୁ କଂଗ୍ରେସ ଦଳ ଛାଡ଼ିବାକୁ

ଓଡ଼ିଶା ଇତିହାସ . ୩୨୫