ପୃଷ୍ଠା:Odisha Itihasa.pdf/୩୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଧ୍ୟ କଲା । ସରଳାଦେବୀ ଓ ଯଦୁମଣି ମଙ୍ଗରାଜ ଆଦି ମଧ୍ୟ ସେମାନଙ୍କୁ ସହଯୋଗ କଲେ । କଂଗ୍ରେସ ବାହାରେ ପାରଳା ମହାରାଜାଙ୍କ ସହିତ ସେମାନଙ୍କର ଯୋଗସୂତ୍ର ବଢ଼ିଲା । ସମସ୍ତେ ମିଶି ୧୯୪୧ ନଭେମ୍ବର ୨୪ରେ ପାରଳା ମହାରାଜାଙ୍କ ପ୍ରଧାନମନ୍ତ୍ରିତ୍ୱରେ (ସେତେବେଳେ ରାଜ୍ୟ ମନ୍ତ୍ରିମଣ୍ଡଳର ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା) ମିଳିତ ମନ୍ତ୍ରିମଣ୍ଡଳ ଗଢ଼ିଲେ, ଯାହା ୧୯୪୪ ଜୁନ୍ ୨୯ ତାରିଖ ପର୍ଯ୍ୟନ୍ତ କ୍ଷମତାରେ ରହିଲା । ଗୋଦାବରୀଶ ମିଶ୍ରଙ୍କୁ ବାଦଦେଲେ ମନ୍ତ୍ରିମଣ୍ଡଳରେ ଅନ୍ୟ ଜଣେ ମନ୍ତ୍ରୀ ଥିଲୋ ସେ ହେଲେ ଅବଦୁସ୍‍ ଶୋଭନ ଖାଁ । ମିଳିତ ମନ୍ତ୍ରିମଣ୍ଡଳକୁ ବିଶେଷ ଲୋକ ସମର୍ଥନ ମିଳି ନଥିଲା । ଇଂରେଜ ବିରୁଦ୍ଧରେ ଜନମତବୃଦ୍ଧିପାଉଥିବା ବେଳେ ଏହା ଇଂରେଜ ସରକାରର ସମର୍ଥନ କରୁଥିଲା । ଦ୍ୱିତୀୟତଃ, କଂଗ୍ରେସ ଦଳ ତ୍ୟାଗ କରି ଅନେକ ନେତା ଏଥିରେ ସାମିଲ ହୋଇଥିଲେ । ସେମାନେ କ୍ଷମତାପାଇଁ ଦଳତ୍ୟାଗ କଲେ ଏବଂ ଇଂରେଜ ସମର୍ଥକ ସାଜିଲେ ବୋଲି କୁତ୍ସାରଟନା ହେଲା । ଅଗଷ୍ଟ ବିପ୍ଳବ ସମୟରେ କଂଗ୍ରେସ ଲୋକ ଜେଲ ଦଣ୍ଡ ଭୋଗୁଥିବା ବେଳେ ଏବଂ କଂଗ୍ରେସ କର୍ମୀ ପୋଲିସର ଲାଠି, ଗୁଳିର ଶିକାର ହେଉଥିବା ବେଳେ ଏହି ଦଳତ୍ୟାଗୀମାନେ କ୍ଷମତାଭୋଗୀ ହେଲେ ବୋଲି ତୀବ୍ର ସମାଲୋଚନା ପ୍ରକାଶ ପାଇଲା । ଏହାଛଡ଼ା ମନ୍ତ୍ରିମଣ୍ଡଳକୁ ସଂଖ୍ୟାଗରିଷ୍ଠ ଗୋଷ୍ଠୀର ସମର୍ଥନ ନଥିଲା । ଯାହାଦ୍ୱାରା ମନ୍ତ୍ରୀମାନେ ଅଧିକ ଲୋକଲଜ୍ଜାର ଶିକାର ହେଲେ । ମୋଟ ୬୦ ସଭ୍ୟବିଶିଷ୍ଟ ବିଧାନସଭାରେ ମନ୍ତ୍ରିମଣ୍ଡଳକୁ ୨୭ ଜଣ ସଭ୍ୟଙ୍କର ସମର୍ଥନ ରହିଥିଲା । ଲୋକସମ୍ମାନ ନଥିଲା ବୋଲି ଇଂରେଜ ସରକାର ମଧ୍ୟ ମିଳିତ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଯଥୋଚିତ ସମ୍ମାନ ଦେଉ ନଥିଲେ । ୧୯୪୨ ମାର୍ଚ୍ଚରେ ସରକାରୀ ଦଳର ପ୍ରାର୍ଥୀ ରାଜେନ୍ଦ୍ର ନାରାୟଣ ଭଞ୍ଜ (କନିକା ଜମିଦାର) ବାଲିଗୁଡ଼ା ଉପନିର୍ବାଚନରେ କଂଗ୍ରେସ ପାର୍ଥୀ ଉମାଚରଣ ପଟ୍ଟନାୟକଙ୍କଠାରୁ ପରାଜିତ ହେଲେ, ଯାହା ମନ୍ତ୍ରିମଣ୍ଡଳ ବିରୁଦ୍ଧରେ ଥିବା ଜନମତକୁ ସୁସ୍ପଷ୍ଟ କଲା ।

ନିଜ ସୀମିତ କାର୍ଯ୍ୟକାଳରେ ମଧ୍ୟ ମିଳିତ ମନ୍ତ୍ରିମଣ୍ଡଳ କେତୋଟି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବା ଉତ୍ତାରୁ ରାଜ୍ୟପାଇଁ ସ୍ୱତନ୍ତ୍ର ନ୍ୟାୟାଳୟ, ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଏବଂ ସ୍ୱତନ୍ତ୍ର ମେଡ଼ିକାଲ୍‍ କଲେଜର ଆବଶ୍ୟକତା ଥିଲା । ସେ ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପମାନ ନେଇଥିଲେ । ୧୯୪୩ ଜୁନ୍ ୩୦ ତାରିଖରେ ସ୍ୱତନ୍ତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ବିଲ୍‍ ବିଧାନସଭାରେ ଉତ୍‍ଥାପନ ହୋଇ ଅନୁମୋଦନ ଲାଭ କଲା ପରେ ୧୯୪୩ ନଭେମ୍ବର୨୭ରେ କଟକରେ ଅସ୍ଥାୟୀ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲା । ପରେ ଏହା ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେଲା । ୧୯୪୪ ମସିହା ଜୁନ୍ ୧ ତାରିଖରେ କଟକର ମେଡ଼ିକାଲ ସ୍କୁଲ୍‍କୁ କଲେଜରେ ପରିଣତ କରାଗଲା । ଉଚ୍ଚ ନ୍ୟାୟାଳୟ ସ୍ଥାପନପାଇଁ ମଧ୍ୟ ପ୍ରାଥମିକ ପଦକ୍ଷେପମାନ ନିଆଗଲା, ଯାହା ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳର ଶାସନକାଳରେ ଜୁଲାଇ ୧୯୪୮ରୁ କାର୍ଯ୍ୟ ଆରମ୍ଭ କଲା । ୧୯୪୪ରେ ପୁରୀ, ବାଲେଶ୍ୱର୩୨୬ . ଓଡ଼ିଶା ଇତିହାସ