ପୃଷ୍ଠା:Odisha Itihasa.pdf/୩୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବୃଦ୍ଧି କଲା । ପରିସ୍ଥିତି ଜଟିଳ ହେବାରୁ ପ୍ରଧାନମନ୍ତ୍ରୀ ଜୁନ୍ ୧୯୪୪ରେ ଗୋଦାବରୀଶଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଲେ । ଗୋଦାବରୀଶ ନିର୍ଦେଶର ଅବମାନନା କରିବାରୁ ସେ (ପ୍ରଧାନମନ୍ତ୍ରୀ) ନିଜେ ୨୦ ଜୁନ୍ ଦିନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ । ତାଙ୍କର ଧାରଣା ଥିଲା, ରାଜ୍ୟପାଳ ସାର ହଥର୍ଣ୍ଣ ଲୁଇ ତାଙ୍କୁ ନୂଆ କରି ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଆମନ୍ତ୍ରଣ ଜଣାଇବେ ଏବଂ ତହିଁରେ ଗୋଦାବରୀଶଙ୍କୁ ସ୍ଥାନ ମିଳିବ ନାହିଁ । ମାତ୍ର ଜୁନ୍ ୨୯ ତାରିଖ ୧୯୪୪ରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଇସ୍ତଫା ଗ୍ରହଣ କଲେ ଏବଂ ରାଜ୍ୟକୁ ରାଜ୍ୟପାଳ ଶାସନରେ ରଖିଲେ । ୧୯୪୬ରେ ଦ୍ୱିତୀୟ ଥର ଲାଗି ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳର ଗଠନ ହେବା ପର୍ଯ୍ୟନ୍ତ ଓଡ଼ିଶାରେ ରାଜ୍ୟପାଳ ଶାସନ ଚାଲିଲା । ଏଥିରୁ ସିଦ୍ଧ ହୁଏ ଯେ, ଇଂରେଜ ସରକାର ମଧ୍ୟ ମିଳିତ ମନ୍ତ୍ରିମଣ୍ଡଳକୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରୁ ନଥିଲେ । ଅତୀତରେ ଯେଉଁ ଢଙ୍ଗରେ ଗଡ଼ଜାତମାନେ ଔପନିବେଶ ବିରୋଧୀ ଚେତନାକୁ ଅବରୁଦ୍ଧ କରିଥିଲେ, ସେହି ଢଙ୍ଗରେ ମିଳିତ ମନ୍ତ୍ରିମଣ୍ଡଳ ଅଗଷ୍ଟ ବିପ୍ଳବକୁ ରୋକି ପାରିଲା ନାହିଁ । ତେଣୁ ଇଂରେଜ ସରକାର ମନ୍ତ୍ରିମଣ୍ଡଳ ଉପରେ ପ୍ରସନ୍ନ ନଥିଲେ । ଆନ୍ତରିକ ବିଶୃଙ୍ଖଳା ଯୋଗୁଁ ମିଳିତ ମନ୍ତ୍ରିମଣ୍ଡଳ ସରକାର ଉପରେ ଆବଶ୍ୟକ ଚାପ ମଧ୍ୟ ପ୍ରୟୋଗ କରି ପାରି ନଥିଲା । ଏକଦା ସୁଭାଷ ବୋଷଙ୍କର ଫରଓ୍ୱାର୍ଡ଼ ବ୍ଲକ୍‍ର ଖୋଲା ସମର୍ଥନ କରି କଂଗ୍ରେସରୁ ବହିଷ୍କୃତ ହୋଇଥିବା ନୀଳକଣ୍ଠ ଦାସ ଯେତେବେଳେ ଯୁଦ୍ଧରେ ଇଂରେଜ ପକ୍ଷର ସମର୍ଥନଲାଗି ଗଠିତ ଜାତୀୟ ଯୁଦ୍ଧ ଫ୍ରଣ୍ଟର ରାଜ୍ୟ ଶାଖାର ମୁଖ୍ୟ ହେଲେ, ଲୋକ ତାଙ୍କ ସାମାଜିକ ଅଂଗୀକାରବଦ୍ଧତାକୁ ପ୍ରଶ୍ନ କରିବାକୁ ଆରମ୍ଭ କଲେ । ଏହା ମିଳିତ ମନ୍ତ୍ରିମଣ୍ଡଳର ଲୋକ ଦୃଷ୍ଟିରେ ପତନକୁ ନିର୍ଦେଶ କଲା । ୧୯୪୩-୪୪ରେ ବଂଗରେ ଭୀଷଣ ଦୁର୍ଭିିକ୍ଷ ପଡ଼ିଲା । ଲକ୍ଷ ଲକ୍ଷ ଲୋକ ସେଠି ଅନାହାରରେ ମୃତ୍ୟୁବରଣ କଲେ । ପଡେ଼ାଶୀ ରାଜ୍ୟ ଭାବରେ ଓଡ଼ିଶାର କେତେକ ଅଞ୍ଚଳ (ବାଲେଶ୍ୱର ଓ ବ୍ରହ୍ମପୁର ଆଦି) ମଧ୍ୟ ଉତ୍କଟ ଅଭାବର ସମ୍ମୁଖୀନ ହେଲେ । ସେଠାରେ ସରକାର ଅନାଥାଶ୍ରମ ଓ ଅନ୍ନଛତ୍ର ଆରମ୍ଭ କରିବାକୁ ବାଧ୍ୟ ହେଲେ । ଓଡ଼ିଶାରେ ଦେଖା ଦେଇଥିବା ଖାଦ୍ୟଶସ୍ୟର ଅଭାବ ପଛରେ ଏକ ପ୍ରମୁଖ କାରଣ ହେଲା, ବଙ୍ଗକୁ ଶସ୍ୟର ମୁକ୍ତ ରପ୍ତାନି । ସରକାରଙ୍କ ଚାପରେ ପ୍ରଧାନମନ୍ତ୍ରୀ ଏଭଳି ଯୋଗାଣ ନୀତିକୁ ସ୍ୱୀକୃତି ଦେଲେ । ଅର୍ଥମନ୍ତ୍ରୀ ଗୋଦାବରୀଶଙ୍କ ଏ ନେଇ ବିରୋଧକୁ ମଧ୍ୟ ସେ ଉପେକ୍ଷା କଲେ । ଲୋକେ ମଧ୍ୟ ଶସ୍ୟ ରପ୍ତାନିକୁ ତୀବ୍ର ବିରୋଧ କରୁଥିଲେ । ଅଗଷ୍ଟ ବିପ୍ଳବର କ୍ରୂର ଦମନ ପରେ ଏହି ପ୍ରଶ୍ନକୁ ନେଇ ଗଣ ଆନ୍ଦୋଳନ ସଂଘଟିତ ହୋଇ ନଥିଲେ ସୁଦ୍ଧା ଜନ ଅସନ୍ତୋଷ ସୁସ୍ପଷ୍ଟ ଥିଲା । ସେ କ୍ଷେତ୍ରରେ ମିଳିତ ମନ୍ତ୍ରିମଣ୍ଡଳ ଓଡ଼ିଶାରୁ ଖାଦ୍ୟଶସ୍ୟ ରପ୍ତାନିକୁ ପ୍ରୋତ୍ସାହିତ କରୁଛି ବୋଲି ଧାରଣା ସୃଷ୍ଟି ହେଲା, ଯାହା ମିଳିତ ମନ୍ତ୍ରିମଣ୍ଡଳର ଲୋକ ଅପ୍ରିୟତାକୁ ବୃଦ୍ଧି କଲା ।

ମୋଟ କଥା ହେଲା, ଇଂରେଜ ସରକାର ନିଜ ସାମ୍ରାଜ୍ୟବାଦୀ ସ୍ୱାର୍ଥରକ୍ଷାଲାଗି ରାଜ୍ୟରେ ମିଳିତ ମନ୍ତ୍ରିିମଣ୍ଡଳ ଗଢିଥିଲେ । ସରକାର ସମସ୍ତ ପ୍ରକାର ଜନବିରୋଧୀ ପଦକ୍ଷେପ ନେଲେ ଏବଂ୩୨୮ . ଓଡ଼ିଶା ଇତିହାସ