ପୃଷ୍ଠା:Odisha Itihasa.pdf/୩୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତା'ପାଇଁ ମିଳିତ ମନ୍ତ୍ରିମଣ୍ଡଳକୁ ଲୋକ ଦୃଷ୍ଟିରେ ଦୋଷୀ ଗଣନା କରାଗଲା । ଅବସୋସର ବିଷୟ ଯେ, ଅନେକ ଜ୍ଞାନୀ ଓ ଗୁଣୀ ବ୍ୟକ୍ତିଙ୍କର ସମାହାର ହୋଇଥିବା ସତ୍ତ୍ୱେ ମିଳିତ ମନ୍ତ୍ରିମଣ୍ଡଳ ଇଂରେଜର ମନ୍ଦ ଉଦ୍ଦେଶ୍ୟକୁ ବୁଝି ପାରିଲେ ନାହିଁ । ତାତ୍କାଳିକ ଲାଭପାଇଁ ତଥା ଓଡ଼ିଶାର ଉନ୍ନତି କରିବା ନାଁରେ ମିଳିତ ମନ୍ତ୍ରିମଣ୍ଡଳ ଓ ତାଙ୍କ ସହଯୋଗୀବର୍ଗ ଇଂରେଜ ସରକାର ହାତରେ କଣ୍ଢେଇ ସାଜିଲେ । ଓଡ଼ିଶାର ଜନସାଧାରଣ ଇଂରେଜ ସରକାର ସହ ନେତୃବର୍ଗର ମେଣ୍ଟକୁ ସହଜରେ ଗ୍ରହଣ କରି ପାରି ନଥିଲେ । ଏହା ଯେ ଲୋକଙ୍କ ସଂଗ୍ରାମୀ ଚରିତ୍ରକୁ ପ୍ରତିଫଳିତ କଲା, ଏଥିରେ ଆଦୌ ସନ୍ଦେହ ନାହିଁ ।

ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳ

୧୯୪୬ ଏପ୍ରିଲ୍‍ ମାସରେ ଓଡ଼ିଶାରେ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଦ୍ୱିତୀୟ ଥର ଲାଗି ମନ୍ତ୍ରିମଣ୍ଡଳ ଗଠନ କଲା । ଏହି ମନ୍ତ୍ରିମଣ୍ଡଳ ମେ' ୧୯୫୦ ଯାଏ କାର୍ଯ୍ୟ କଲା । କଂଗ୍ରେସର ଏହି ଦ୍ୱିତୀୟ ମନ୍ତ୍ରିମଣ୍ଡଳର ଶାସନ କାଳରେ ରାଜ୍ୟରେ ଗଡ଼ଜାତଗୁଡ଼ିକର ସମ୍ମିଶ୍ରଣ ହେଲା, ଦେଶ ସ୍ୱାଧୀନତା ଲାଭ କଲା ଏବଂ ଆଧୁିନିକ ଶିଳ୍ପ ଓ ଯୋଜନାଗୁଡ଼ିକର ଭିତ୍ତି ପଡ଼ିଲା । ଏହି ଦୃଷ୍ଟିରୁ ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳ ଆଧୁିନିକ ଓଡ଼ିଶା ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରେ । ଦେଶର ସ୍ୱାଧୀନତା ପ୍ରାପ୍ତି ଓ ସ୍ୱତନ୍ତ୍ର ତଥା ସମ୍ମିଶ୍ରିତ ଓଡ଼ିଶାର ଗଠନକୁ ନେଇ ଆଧୁିନିକ ଯୁଗରେ ଅସ୍ମିତାର ଯେଉଁ ଉନ୍ମେଷ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଦେଖିବାକୁ ମିଳିଥିଲା, ତାହା ଏହି ଅବଧିରେ ଏକ ରକମର ପୂର୍ଣ୍ଣାଙ୍ଗତା ଲାଭ କଲା ।

୧୯୪୫ ଜୁନ୍ ମାସ ସୁଦ୍ଧା ଦ୍ୱିତୀୟ ବିଶ୍ୱଯୁଦ୍ଧ ଶିଥିଳ ହୋଇ ଆସିଲା । ସୋଭିଏତ୍‍ ରୁଷ୍‍ ଓ ମିତ୍ରଶକ୍ତି ନିଶ୍ଚିତ ହେଲେ ଯେ ନାଜିବାଦୀ ଓ ଫାସୀବାଦୀ ଶକ୍ତିଙ୍କର ଯୁଦ୍ଧରେ ପରାଜୟ ସୁନିଶ୍ଚିତ । ଯୁଦ୍ଧରେ ବିଜୟ ସତ୍ତ୍ୱେ ଇଂଲଣ୍ଡ ଆଉ ଅଧିକ କାଳ ବଳ ପ୍ରୟୋଗ କରି ଭାରତ ଭଳି ଏକ ବିଶାଳ ଉପନିବେଶକୁ ନିଜ କର୍ତ୍ତୃତ୍ୱରେ ରଖିପାରିବ ବୋଲି ଆଶା କରୁ ନଥିଲା । ଭାରତର ଜନ ପ୍ରତିିନିଧିଙ୍କ ହାତରେ କ୍ଷମତା ହସ୍ତାନ୍ତର କରିବା ହିଁ ଏକମାତ୍ର ବିକଳ୍ପ ବୋଲି ଇଂଲଣ୍ଡର ନେତୃବର୍ଗ ଅନୁଭବ କଲେ । ସେହି ବର୍ଷ ଅଗଷ୍ଟ ମାସର ୬ ଓ ୯ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ବୋମା ନିକ୍ଷେପ କରିବାଦ୍ୱାରା ଯେଉଁଭଳି କ୍ଷୟକ୍ଷତି ହେଲା, ତାହା ମିତ୍ରଶକ୍ତିର ବିଜୟର ଦିଗକୁ ନିଶ୍ଚିତ କରିଦେଲା । ଏହି ସମୟରେ ଭାରତର ଯୋଗକୁ ବ୍ରିଟେନରେ ଶ୍ରମିକ ଦଳ ନିର୍ବାଚନରେ ଜୟଯୁକ୍ତ ହେଲେ । ଦଳର ନେତା ଭାବରେ କ୍ଲିମେଣ୍ଟ ଅଟଲୀ ସରକାର ଗଠନ କଲେ । ଅଟଲୀ ଓ ତାଙ୍କ ଦଳ ଚିରାଚରିତ ଭାବେ ଭାରତର ଦାବି ପ୍ରତି ଅପେକ୍ଷାକୃତ ଅଧିକ ସହାନୁଭୂତିଶୀଳ ଥିଲେ । ଏବେ କ୍ଷମତା ତାଙ୍କ ହାତକୁ ଆସିବା ପରେ ଭାରତରେ କ୍ଷମତା ହସ୍ତାନ୍ତରପାଇଁ ପ୍ରସ୍ତୁତି ଚାଲିଲା ।

ଏହି ପ୍ରସ୍ତୁତିର ଏକ ଦିଗ ଭାବରେ ୧୯୪୬ରେ ରାଜ୍ୟମାନଙ୍କରେ ବିଧାନସଭାପାଇଁ ନିର୍ବାଚନ ହେଲା ଏବଂ କେନ୍ଦ୍ରରେ ଅନ୍ତରୀଣ ସରକାର (Interim Government) ଗଠିତ

ଓଡ଼ିଶା ଇତିହାସ . ୩୨୯