ପୃଷ୍ଠା:Odisha Itihasa.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସାମରିକ ବିଜ୍ଞାନ, ବିଧି ଆଦି ସହିତ ସଙ୍ଗୀତ ଓ ନୃତ୍ୟକଳାରେ ମଧ୍ୟ ପାରଦର୍ଶିତା ଲାଭ କରିଥିଲେ । ପିତାଙ୍କ ମୃତ୍ୟୁ ପରେ ସେ ମାତ୍ର ୧୫ ବର୍ଷ ବୟସରେ ଯୁବରାଜ ପଦରେ ଅଭିଷିକ୍ତ ହେଲେ ଏବଂ ଦୀର୍ଘ ନଅ ବର୍ଷ କାଳ ରାଜପ୍ରତିନିଧି ଭାବରେ ଶାସନ ପରିଚାଳନା କଲେ । ୨୬ ବର୍ଷ ବୟସରେ ସେ 'ମହାରାଜ', 'କଳିଙ୍ଗାଧିପତି' ଓ 'ଚକ୍ରବର୍ତ୍ତୀ' ଆଦି ଉପାଧି ଗ୍ରହଣ କରି ରାଜପଦ ସମ୍ଭାଳିଲେ । ଏହି ବର୍ଷରୁ ଆରମ୍ଭ କରି ୧୩ ବର୍ଷ ଯାଏ ତାଙ୍କ ସାମରିକ ଅଭିଯାନ, ରାଜ୍ୟ ଶାସନ ତଥା ଅନ୍ୟାନ୍ୟ ଜନମଙ୍ଗଳକର କାର୍ଯ୍ୟାବଳୀ ଶିଳାଲେଖରେ ବିସ୍ତୃତ ଭାବେ ବର୍ଣ୍ଣିିତ ହୋଇଛି । ଖାରବେଳ ଯୁବରାଜ ପଦରେ ରହିଥିବା ବେଳେ ପ୍ରକୃତ ଶାସନଭାର କାହା ହାତରେ ଥିଲା, ତାଙ୍କୁ ପରାମର୍ଶ ଦେବା ପାଇଁ ମନ୍ତ୍ରିପରିଷଦ ରହିଥିଲା ନା ନାହିଁ- ସେ ସମ୍ପର୍କରେ ଶିଳାଲେଖରୁ କିଛି ତଥ୍ୟ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ । ସମ୍ଭବତଃ ଉକ୍ତ ଅବଧିକୁ ସେ କଳିଙ୍ଗର ଛୋଟ ଛୋଟ ରାଜ୍ୟଗୁଡ଼ିକ ଉପରେ କର୍ତ୍ତୃତ୍ୱ ହାସଲ କରିବାରେ ଅଥବା ସେ ସମସ୍ତଙ୍କୁ ନେଇ ଏକ ମହାମେଣ୍ଟ କରିବାରେ ବିନିଯୋଗ କରିଥିଲେ । କାରଣ ଶିଳାଲେଖରେ ବର୍ଣ୍ଣିିତ ତାଙ୍କର ବିଶାଳ ସାମରିକ ବାହିନୀ; ଯାହାକୁ ଅଶ୍ୱାରୋହୀ, ଗଜାରୋହୀ, ପଦାତିକ ଓ ରଥାରୋହୀ ସୈନ୍ୟ ସମ୍ବଳିତ ଚତୁରଂଗ ସେନା ବୋଲି କୁହାଯାଇଛି; ଅନ୍ୟ କଳିଙ୍ଗ ରାଜ୍ୟଗୁଡ଼ିକ ବିନା ତାହା ଗଠନ କରିବା ସମ୍ଭବ ନଥିଲା । ଦ୍ୱିତୀୟତଃ, ଖାରବେଳଙ୍କ ପିତା ଓ ପିତାମହ 'କଳିଙ୍ଗାଧିପତି' ଥିବାର ପ୍ରମାଣ ନାହିଁ । କଳିଙ୍ଗ ଅନ୍ତର୍ଗତ ଗୋଟିଏ କ୍ଷୁଦ୍ର ରାଜ୍ୟର ହୁଏତ ସେମାନେ ଶାସକ ଥିଲେ । ପୁଣି, ନିଜ ତ୍ରୟୋଦଶ ବର୍ଷର ରାଜତ୍ୱ କାଳରେ ଖାରବେଳ କଳିଙ୍ଗ ଅନ୍ତର୍ଗତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ବିରୁଦ୍ଧରେ ସାମରିକ ଅଭିଯାନ କରିଥିବା କଥାର ଉଲ୍ଲେଖ ନାହିଁ । ଅନ୍ୟ ଶବ୍ଦରେ କହିଲେ, କଳିଙ୍ଗ ନାମରେ ବାହାରେ ଖ୍ୟାତି ପାଇଥିବା କ୍ଷେତ୍ର ମଧ୍ୟରେ ଅନେକ କ୍ଷୁଦ୍ର ରାଜ୍ୟ ଥିଲେ ଏବଂ ଖାରବେଳଙ୍କ ବିଶାଳ ସେନାବାହିନୀରେ ସେମାନେ ସାମିଲ ଥିଲେ । କଳିଙ୍ଗ ଯୁଦ୍ଧ ସମୟରେ ମଧ୍ୟ କଳିଙ୍ଗ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ଥିଲା । ଏହି ରାଜ୍ୟମାନେ ଏକ ସଂଘୀୟ ରୀତିରେ ସଂଗଠିତ ଓ ପରିଚାଳିତ ହୋଇ ବହିଃ ଶତ୍ରୁର ମୁକାବିଲା କରୁଥିଲେ ବୋଲି ମଧ୍ୟ ଅନୁମାନ କରାଯାଇପାରେ । ଏହା ଉଭୟ କଳିଙ୍ଗ ଯୁଦ୍ଧ ଏବଂ ତା'ର ଦୁଇ ଶତାବ୍ଦୀ ପରେ ଐତିହାସିକ ପ୍ରସିଦ୍ଧି ପାଇଥିବା ଖାରବେଳଙ୍କ ସମୟରେ ପରିଲକ୍ଷିତ ହୁଏ । ହାତୀଗୁମ୍ଫା ଶିଳାଲେଖ ଅନୁଯାୟୀ, ଖାରବେଳ ତାଙ୍କ ରାଜତ୍ୱର ପ୍ରଥମ ବର୍ଷରେ, ପୂର୍ବରୁ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା କଳିଙ୍ଗନଗରୀ (ରାଜଧାନୀ)ର ଅଟ୍ଟାଳିକା, ଦୁର୍ଗପ୍ରାଚୀର ଆଦିର ପୁନର୍ନିର୍ମାଣ କରିଥିଲେ । ବାତ୍ୟାବିଧ୍ୱସ୍ତ ଉଦ୍ୟାନ ଓ ଜଳାଶୟଗୁଡ଼ିକର ରକ୍ଷଣାବେକ୍ଷଣରେ ମଧ୍ୟ ସେ ବହୁ ଅର୍ଥ ବ୍ୟୟ କରିଥିଲେ । ଏହି ସମସ୍ତ ପରିଯୋଜନାରେ ରାଜକୋଷରୁ ମୋଟ ୩୫ ଲକ୍ଷ ମୁଦ୍ରା ବ୍ୟୟ ହୋଇଥିଲା । ସେହିଭଳି ରାଜତ୍ୱର ତୃତୀୟ ବର୍ଷରେ, ରାଜଧାନୀରେ ଅନେକ ନୃତ୍ୟ, ସଙ୍ଗୀତ, କ୍ରୀଡ଼ା କସରତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରି ସେ ନିଜର ରୁଚିସମ୍ପନ୍ନତାର ପ୍ରଦର୍ଶନ କରିଥିଲେ ।{{right|ଓଡ଼ିଶା ଇତିହାସ . ୩୩