ପୃଷ୍ଠା:Odisha Itihasa.pdf/୩୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଂଗ୍ରେସ ଦଳ ମନ୍ତ୍ରିମଣ୍ଡଳ ଗଠନ କଲା ପରେ ପ୍ରଥମେ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ନିର୍ଦେଶ ଦେଲା । ଏହା ଫଳରେ ଅଗଷ୍ଟ ଆନ୍ଦୋଳନ ସମୟରେ ଜେଲ ଦଣ୍ଡ ପାଇଥିବା ଅନେକ ଆନ୍ଦୋଳନକାରୀ ଜେଲରୁ ଛାଡ଼ ପାଇଲେ । ଏଥିପାଇଁ ଶାସନ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ଥିବା ଇଂରେଜ ସରକାର ପକ୍ଷରୁ ବିଶେଷ ପ୍ରତିବନ୍ଧକ ସୃଷ୍ଟି ହୋଇ ନଥିଲା । ଓଡ଼ିଶାପାଇଁ ଏକ ନୂତନ ରାଜଧାନୀ ନିର୍ମାଣକୁ ନେଇ ଏହି ସମୟରେ ନିଷ୍ପତ୍ତି ନିଆଗଲା । ଏଥିପାଇଁ ଚାରୋଟି ସ୍ଥାନ କଥା ପ୍ରସ୍ତାବକୁ ଆସିଲା । ସେଗୁଡ଼ିକ ହେଲେ: କଟକ ନିକଟସ୍ଥ ଚୌଦ୍ୱାର, ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା, ଭୁବନେଶ୍ୱର ଓ ମଞ୍ଚେଶ୍ୱର । ରାଜ୍ୟରେ ପୂର୍ବରୁ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିବା ସାର ଜନ୍‍ ଅଷ୍ଟିନ୍ ହବାକ୍‍ଙ୍କ ନେତୃତ୍ୱରେ ସ୍ଥାନ ମନୋନୟପାଇଁ ଏକ କମିଟି ଗଠିତ ହେଲା । କମିଟି ଭୁବନେଶ୍ୱରକୁ ପ୍ରସ୍ତାବ ଦେଲେ । ମହତାବ ମଧ୍ୟ ଭୁବନେଶ୍ୱରକୁ ମନୋନୟକଲେ । ଭୁବନେଶ୍ୱରର ଐତିହାସିକ ଭିତ୍ତିଭୂମି, ପରିବେଶ ଓ ପାଣିପାଗ ତଥା ନିର୍ମାଣ ସାମଗ୍ରୀର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ମତ ଦେଲେ । କଂଗ୍ରେସ ଭିତରେ ଏବଂ ବାହାରେ ଗୋଟାଏ ଗୋଷ୍ଠୀ ରଂଗେଇଲୁଣ୍ଡାପାଇଁ ଯୁକ୍ତି ବାଢ଼ିଲେ । ଏହାଦ୍ୱାରା ଦକ୍ଷିଣ ଓଡ଼ିଶାର ବିକାଶ ହୋଇପାରିବ ବୋଲି ସେମାନେ ତର୍କ ଦେଲେ । ରାଜଧାନୀପାଇଁ ସ୍ଥାନ ଚିହ୍ନଟ ପ୍ରଶ୍ନକୁ ନେଇ କଂଗ୍ରେସ ଦଳ ଭିତରେ ଗୋଷ୍ଠୀ ବିବାଦ ଓ ଆଞ୍ଚଳିକ ମନୋଭାବ ସୁସ୍ପଷ୍ଟ ହେଲା । ଶେଷରେ ୩୦ ସେପ୍ଟେମ୍ବର ୧୯୪୬ରେ ବିଧାନସଭାରେ ଭୁବନେଶ୍ୱର ନିମିତ୍ତ ପ୍ରସ୍ତାବ ପାସ୍‍ ହେଲା । କଟକରୁ ୧୦ ଅକ୍ଟୋବର ୧୯୪୯ରେ ରାଜଧାନୀ ଭୁବନେଶ୍ୱରକୁ ସ୍ଥାନାନ୍ତର ହେଲା ।

ଅସ୍ପୃଶ୍ୟତା, ନିଶା ନିବାରଣ, ମୌଳିକ ଶିକ୍ଷା ଓ ଭୂସଂସ୍କାର ଦିଗରେ ମଧ୍ୟ ମହତାବ ସରକାର କେତୋଟି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ସେତେବେଳେ ହରିଜନ କୁହାଯାଉଥିବା 'ଅସ୍ପୃଶ୍ୟ' ଦଳିତମାନଙ୍କୁ ମନ୍ଦିରପ୍ରବେଶରୁ ନିବାରଣ କରାଯାଇ ପାରିବ ନାହିଁ ବୋଲି ପ୍ରସ୍ତାବ ବିଧାନସଭାରେ ପାଶ୍‍ ହେଲା । ଏହା ସତ୍ତ୍ୱେ ଯଦିଓ ଆଜି ପର୍ଯ୍ୟନ୍ତ ଅବାଧରେ 'ଅସ୍ପୃଶ୍ୟ' ଦଳିତମାନଙ୍କୁ ମନ୍ଦିର ପ୍ରବେଶନିମନ୍ତେ ସମାଜ ବ୍ୟବସ୍ଥା ସ୍ୱାଗତ କରିନାହିଁ, ଅସ୍ପୃଶ୍ୟତା ନିବାରଣ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିଶା ନିବାରଣପାଇଁ ପରୀକ୍ଷାମୂଳକ ଭାବେ କଟକ ଜିଲ୍ଲାର ୧୬ଟି ଥାନାରେ ଦେଶୀ ଓ ବିଦେଶୀ ମଦର ପ୍ରସାରକୁ ଏପ୍ରିଲ୍‍ ୧୯୪୭ରେ ନିଷେଧ କରାଗଲା । ମାତ୍ର ସରକାରୀ ନିଷେଧାଜ୍ଞା ସତ୍ତ୍ୱେ ସଂପୂର୍ଣ୍ଣ ନିଶା ନିବାରଣ ସଂଭବ ହୋଇ ପାରିଲା ନାହିଁ । ଲୋକେ ଚୋରାରେ ମଦ କାରବାର କଲେ ଏବଂ ନିଷେଧାଜ୍ଞା ଆଳରେ ର୍ଦୁନୀତି ମଧ୍ୟ ବୃଦ୍ଧିପାଇଲା । ଅନ୍ୟ ପକ୍ଷରେ ଅବକାରୀରୁ ଆଦାୟ ହେବାକୁ ଥିବା ରାଜସ୍ୱ ଊଣା ହେଲା । କଂଗ୍ରେସ ଦଳ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ବୃଦ୍ଧିପାଇଲା । ମନ୍ତ୍ରିମଣ୍ଡଳରେ ଥିବା ନେତା ନିଶାନିବାରଣକୁ ନେଇ ସରକାରର ଅସହାୟତା ପ୍ରଦର୍ଶନକଲାବେଳେ, ଗାନ୍ଧିବାଦୀ ଗୋଷ୍ଠୀ ଏହା ସରକାରର ଅପାରଗତା ବୋଲି ସମାଲୋଚନା କଲେ । ପ୍ରକୃତରେ ଅସ୍ପୃଶ୍ୟତା ଓ ନିଶା ନିବାରଣ ପ୍ରଶ୍ନ ଏକ ସାମାଜିକ ଆନ୍ଦୋଳନ । ତାକୁ ଆଇନ ବଳରେ ନିୟନ୍ତ୍ରଣ କରାଯିବ ବୋଲି ଚିନ୍ତା କରିବା ଏକ କଳ୍ପନାବିଳାସ ମାତ୍ର । ମନ୍ତ୍ରିମଣ୍ଡଳର ଦାୟିତ୍ୱ ନେବା ପରେ କଂଗ୍ରେସ ଲୋକ ଏହାକୁ ହୃଦୟଙ୍ଗମ କରିପାରିଲେ ।

ଓଡ଼ିଶା ଇତିହାସ . ୩୩୧