ପୃଷ୍ଠା:Odisha Itihasa.pdf/୩୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାନ୍ଧିବାଦୀ ଆଦର୍ଶରେ ମୌଳିକ ଶିକ୍ଷାର ବିକାଶପାଇଁ ମୌଳିକ ଶିକ୍ଷା ବୋର୍ଡ଼ ସ୍ଥାପନ କରିବାକୁ ଉଦ୍ୟମ ହେଲା । ଅନୁଗୁଳ ଓ ଭଂଜନଗରରେ ଏଥିପାଇଁ ଦୁଇଟି ପ୍ରଶିକ୍ଷଣ ସ୍କୁଲ୍‍ ମଧ୍ୟ ସ୍ଥାପନ କରାଗଲା । ରାଜ୍ୟରେ ଅନେକ ବେସିକ୍‍ ସ୍କୁଲ୍‍ ମଧ୍ୟ ଆରମ୍ଭ ହେଲା । ତହିଁରେ ସୂତାକଟା, ଖଦିବୁଣା, ବଗିଚାକାମ ଆଦି ହସ୍ତଶିଳ୍ପର ପ୍ରଶିକ୍ଷଣ ଉପରେ ମହତ୍ତ୍ୱ ଦିଆଗଲା । ମାତ୍ର ପରବର୍ତ୍ତୀ ସମୟରେ ଏହାର ଅସଫଳତାଯୋଗୁଁ ଯୋଜନାକୁ ବନ୍ଦ କରି ଦିଆଗଲା ।

ଜମିଦାରୀ ପ୍ରଥା ଉଚ୍ଛେଦପାଇଁ ୧୯୩୦ ଦଶକରେ କଂଗ୍ରେସ ଦଳ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା । ବିଶେଷକରି ସମାଜବାଦୀ ଓ କମ୍ୟୁନିଷ୍ଟ ଗୋଷ୍ଠୀର ନବକୃଷ୍ଣ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀ, ପ୍ରାଣନାଥ ପଟ୍ଟନାୟକ ଆଦିଙ୍କ ନେତୃତ୍ୱରେ ଏଥିପାଇଁ ଆନ୍ଦୋଳନ ହୋଇଥିଲା । ଅଗଷ୍ଟ ବିପ୍ଳବରେ ସାଧାରଣ ପ୍ରଜା ବଢ଼ିଚଢ଼ି ସକ୍ରିୟ ହେବା ପଛରେ ରାଜା ଜମିଦାରଙ୍କ ଅତ୍ୟାଚାର ଊଣା ହେବାର ଆଶା ରହିଥିଲା । ମହତାବଙ୍କ ମନ୍ତ୍ରିମଣ୍ଡଳରେ ନବକୃଷ୍ଣ ଚୌଧୁରୀ ରାଜସ୍ୱ ମନ୍ତ୍ରୀ ହେବା ପରେ ବାମପନ୍ଥୀ ଗୋଷ୍ଠୀ ଓ ସାଧାରଣ ପ୍ରଜାର ଆଶା ଅନେକ ପରିମାଣରେ ବୃଦ୍ଧି ପାଇଥିଲା । ମନ୍ତ୍ରିମଣ୍ଡଳ ଖାତକ ପ୍ରଜା ଉପରେ ଜମିଦାରଙ୍କ ଋଣଭାର ଊଣା କରିବାକୁ ୧୯୪୭ରେ 'ଗଞ୍ଜାମ ସ୍ମଲ୍‍ ହୋଲଡର୍ସ ରିଲିଫ୍‍ ଏକ୍ଟ' (ଗଞ୍ଜାମ କ୍ଷୁଦ୍ରଚାଷୀ ରିଲିଫ୍‍ ଆଇନ) ପାସ କଲେ । ଜମିଦାରମାନଙ୍କ ସହିତ ଆଲୋଚନା କରି ସରକାର ସୁଧ ପରିମାଣ ପୂର୍ବ ତୁଳନାରେ ଏକ ତୃତୀୟାଂଶ ଊଣା ହେବ ବୋଲି ମଧ୍ୟ ଘୋଷଣା କଲେ । ମାତ୍ର କାର୍ଯ୍ୟତଃ ଏହା ଦେଖିବାକୁ ମିଳିଲା ନାହିଁ । ପରିଣାମ ସ୍ୱରୂପ ୧୯୪୭ରେ କମ୍ୟୁନିଷ୍ଟମାନଙ୍କ ନେତୃତ୍ୱରେ ପୁରୀର ମାଳିପଡ଼ା, କାକଟପୁର ଓ ମୀନାପୁର ଆଦି କେତେକ ସ୍ଥାନରେ ରୟତ ଆନ୍ଦୋଳନ ଆରମ୍ଭ ହେଲା । ରୟତମାନେ ଜମିଦାରମାନଙ୍କ ନାମରେ ଥିବା ଚାଷ ଜମିକୁ ବଳପୂର୍ବକ ଅଧିକାର କରିବାକୁ ଉଦ୍ୟମ କଲେ । କଂଗ୍ରେସ ସରକାର ରୟତମାନଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ କରି ନିଜର ସମାଲୋଚକମାନଙ୍କ ମୁହଁ ଟାଣ କଲେ । ଏହା ପ୍ରକାରାନ୍ତରେ ଜମିଦାରମାନଙ୍କୁ ସୁରକ୍ଷା ପ୍ରଦାନ କଲା ।

ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳର କାର୍ଯ୍ୟକାଳକୁ ଏକ ନିର୍ମାଣ ଯୁଗ ମଧ୍ୟ କୁହାଯାଇ ପାରିବ । ଆଧୁିନିକ ଶିଳ୍ପୋଦ୍ୟୋଗର ବିକାଶ ନିମନ୍ତେ ଏହି ସମୟରେ ଚୌଦ୍ୱାରରେ ଓଡ଼ିଶା ଟେକ୍ସଟାଇଲ୍‍ ମିଲ୍‍ ଓ କଳିଙ୍ଗ ଟ୍ୟୁବ୍‍ସର ଶୁଭାରମ୍ଭ ହୋଇଥିଲା । ତରୁଣ ଶିଳ୍ପୋଦ୍ୟୋଗୀ ବିଜୁ ପଟ୍ଟନାୟକଙ୍କର ଏହି ପ୍ରକଳ୍ପ ସ୍ଥାପନରେ ଅନେକ ସହଯୋଗ ରହିଥିଲା । ଜଣେ ବୈମାନିକ ଭାବରେ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏବଂ ତା' ପରେ ମଧ୍ୟ ଅଦମ୍ୟ ସାହସର ପରିଚୟ ଦେଇ ସ୍ୱାଧୀନତା ସଂଗ୍ରାମକୁ ସହଯୋଗ କରିଥିଲେ । ପରେ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ଏବଂ ଶିଳ୍ପ ବିକାଶପାଇଁ ଆହୁରି ଅନେକ ପଦକ୍ଷେପ ନେଲେ । ୧୯୪୬-୫୦ ମଧ୍ୟରେ 'ଦ ଓଡ଼ିଶା ମାଇନିଂ କର୍ପୋରେସନ', ଶିଳ୍ପପତି ଟାଟାଙ୍କ ସହଯୋଗରେ 'ଦ ବେଲପାହାଡ଼ ରିଫେକ୍ଟରିଜ୍‍, ରାୟଗଡ଼ା ଓ ଯୋଡ଼ାରେ 'ଦ ଫେରୋ-ମାଙ୍ଗାନିଜ ପ୍ଲାଣ୍ଟ', ବଡ଼ବିଲ୍‍ରେ 'ଦ କଳିଙ୍ଗ ଆଇରନ ୱାର୍କ୍ସ' ଏବଂ ହୀରାକୁଦରେ 'ଦ ହୀରାକୁଦ ଆଲୁମିନିୟମ୍‍ ପ୍ଲାଣ୍ଟ' ଆଦି ସ୍ଥାପିତ ହୋଇଥିଲା । କେତେକ ଉଦ୍ୟୋଗର ନିର୍ମାଣକାର୍ଯ୍ୟ ମଧ୍ୟ ୧୯୫୦ ପୂର୍ବରୁ ଶେଷ ହେଲା, ଯାହା ମନ୍ତ୍ରିମଣ୍ଡଳର ଉପଲବ୍ଧି୩୩୨ . ଓଡ଼ିଶା ଇତିହାସ