ପୃଷ୍ଠା:Odisha Itihasa.pdf/୩୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ଖରସୁଆଁ ବ୍ୟତୀତ ଅନ୍ୟ ଗଡ଼ଜାତମାନ ୧ ଜାନୁଆରି ୧୯୪୮ରୁ ଓଡ଼ିଶା ପ୍ରଦେଶ ସହିତ ସମ୍ମିଶ୍ରିତ ହେଲେ । ଏହି ଦିନକୁ ଗଡ଼ଜାତ ମୁକ୍ତି ଦିବସ ରୂପେ ପାଳନ କରାଗଲା । ଷଢ଼େଇକଳା ଓ ଖରସୁଆଁ ଗଡ଼ଜାତର ମଧ୍ୟ ଓଡ଼ିଶା ସହ ମିଶ୍ରଣ ହେବା କଥା । ମାତ୍ର ସେଠାକାର ସ୍ଥାନୀୟ ଆଦିବାସୀ ଲୋକ ଓଡ଼ିଶା ସହିତ ନ ମିଶି ବିହାର ସହିତ ମିଶିବେ ବୋଲି ଦାବି କଲେ । ଏପରିକି ସେଠାକାର ଓଡ଼ିଆ ସମାଜ ଏ ଦିଗରେ ଯଥେଷ୍ଟ ମୁଖର ହୋଇ ପାରିଲା ନାହିଁ ବୋଲି ଅଭିଯୋଗ ହେଲା । ମୟୂରଭଞ୍ଜ ମଧ୍ୟ ମିଶ୍ରଣକୁ ଆରମ୍ଭରେ ବିରୋଧ କରୁଥିଲା । ମାତ୍ର ସେଠାକାର ଆଦିବାସୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କଲା । ଆଦିବାସୀମାନେ ଏକ ସ୍ୱତନ୍ତ୍ର ଆଦିବାସୀ ପ୍ରଦେଶ ପାଇଁ ଦାବି କରୁଥିଲେ । ସେମାନଙ୍କର ନେତା ଥିଲେ ସୋନାରାମ ସୋରେନ୍ ଓ ରାମଚନ୍ଦ୍ର ମାଝି । ବିହାରର ଆଦିବାସୀ ନେତା ଜୟପାଳ ସିଂ ସେମାନଙ୍କୁ ସମର୍ଥନ ଜଣାଇଲେ । ଶେଷରେ ଆନ୍ଦୋଳନ ତୀବ୍ର ହେବାରୁ ମୟୂରଭଞ୍ଜ ରାଜା (ମହାରାଜା) ଓ ତାଙ୍କ ମୁଖ୍ୟମନ୍ତ୍ରୀ ଶରତ ଚନ୍ଦ୍ର ଦାସ ଦିଲ୍ଲୀରେ ଭାରତ ସରକାରଙ୍କ ସହ ୧୬ ଅକ୍ଟୋବର ୧୯୪୮ ଦିନ ମିଶ୍ରଣପାଇଁ ଚୁକ୍ତିନାମା ସ୍ୱାକ୍ଷର କଲେ । ୧୯୪୯ ଜାନୁଆରି ୧ ତାରିଖ ଦିନ ଭାରତ ସରକାର ମୟୂରଭଞ୍ଜକୁ ଓଡ଼ିଶା ରାଜ୍ୟ ସରକାରଙ୍କ ହାତରେ ଅର୍ପଣ କଲେ । ଏହିଭଳି ଭାବେ ଗଡ଼ଜାତଗୁଡ଼ିକ ଓଡ଼ିଶାରେ ମିଶ୍ରିତ ହେଲା, ଯାହା ରାଜ୍ୟକୁ (ଓଡ଼ିଶାକୁ) ଏକ ରକମର ପୂର୍ଣ୍ଣାଙ୍ଗ ରୂପ ଦେଲା । ଏହା ପୂର୍ବରୁ ୧୫ ଅଗଷ୍ଟ ୧୯୪୭ ଦିନ ଦେଶ ସ୍ୱାଧୀନତା ଲାଭ କଲାରୁ ଯେଉଁ ଆନନ୍ଦ ଓଡ଼ିଶା ପାଇଥିଲା, ଗଡ଼ଜାତର ସମ୍ମିଶ୍ରଣଯୋଗୁଁ ତାହା ଦ୍ୱିଗୁଣିତ ହେଲା । ଭାରତ ଭଳି ଓଡ଼ିଶାରେ ମଧ୍ୟ ସ୍ୱାଧୀନତା ସଂଗ୍ରାମର ଇତିହାସ ଢେର ପୁରୁଣା । ଓଡ଼ିଶା ୧୮୦୩ରେ ଇଂରେଜମାନଙ୍କ ହାତକୁ ଗଲା ଦିନଠାରୁ ଏଠାରେ ନିରନ୍ତର ଆନ୍ଦୋଳନ ହୋଇଛି । ଊନବିଂଶ ଶତାବ୍ଦୀରେ ଇଂରେଜ ଉପନିବେଶ ବିରୋଧରେ ଲଢ଼ିବା ବେଳେ ଓଡ଼ିଶାର ନେତୃବର୍ଗ ସ୍ଥାନୀୟ ଅସ୍ମିତା ପ୍ରଶ୍ନକୁ ମଧ୍ୟ କଦାଚିତ ଗୌଣ କରି ନାହାନ୍ତି । ଭାଷା ଓ ସଂସ୍କୃତିର ପ୍ରଶ୍ନ ଓଡ଼ିଶା ପାଇଁ ବିଦେଶୀ କବଳରୁ ସ୍ୱାଧୀନତା ଭଳି ମହତ୍ତ୍ୱପୂର୍ଣ୍ଣ, ନା କମ୍‍ ନା ବେଶି ? ତେଣୁ ୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହେବା ସହିତ ୧୯୩୬ ଏପ୍ରିଲ୍‍ ୧ ତାରିଖରେ ସ୍ୱତନ୍ତ୍ର ପ୍ରଦେଶର ସ୍ୱୀକୃତି ମିଳିବା ଏବଂ ୧୯୪୭-୪୮ରେ ଗଡ଼ଜାତମାନଙ୍କର ରାଜ୍ୟରେ ମିଶ୍ରଣ ତଥା ବିଲୟ ହେବା ମଧ୍ୟ ଓଡ଼ିଶାର ଆଧୁିନିକ ଇତିହାସରେ ଏକା ମାତ୍ରାରେ ମର୍ଯ୍ୟାଦା ଦାବି କରନ୍ତି । ପ୍ରକାରାନ୍ତରେ, ଏହା ଭାରତର ଅନୈକ୍ୟ ଭିତରେ ରହିଥିବା ଐକ୍ୟକୁ ଦର୍ଶାଏ । ସେହି ଦୃଷ୍ଟିରୁ ଭାରତର ଜାତୀୟ ଇତିହାସ କିମ୍ବା ଅନ୍ୟ କୌଣସି ପ୍ରଦେଶର ଇତିହାସ ଭଳି ଓଡ଼ିଶା ଇତିହାସ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଭାରତର ଅନ୍ୟ ଅଞ୍ଚଳର ଇତିହାସ ଅପେକ୍ଷା କମ୍‍ ବା ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଦାବି କରିବା ଅଯୌକ୍ତିକ ନିଶ୍ଚୟ । ମାତ୍ର ତା'ଠାରୁ ବଡ଼କଥା, ଏଭଳି ଦାବି ଖୁବ୍‍ ଅଧିକ ଇତିହାସ-ଅସମ୍ମତ ମଧ୍ୟ ।

...

{{right|ଓଡ଼ିଶା ଇତିହାସ . ୩୩୭