ପୃଷ୍ଠା:Odisha Itihasa.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଜ୍ୟଜୟ ଥିଲା ଖାରବେଳଙ୍କର ଅନ୍ୟତମ ପ୍ରମୁଖ ଆଗ୍ରହ । ସେ ରାଜତ୍ୱର ଦ୍ୱିତୀୟ ବର୍ଷରେ ସାମରିକ ବାହିନୀ ନେଇ ଦକ୍ଷିଣରେ କୃଷ୍ଣାନଦୀ ପର୍ଯ୍ୟନ୍ତ ରାଜ୍ୟ ଜୟ କରିଥିଲେ । ସାତବାହନ ରାଜ୍ୟର ରାଜା ସାତକର୍ଣ୍ଣୀ ମଧ୍ୟ ତାଙ୍କ ପରାକ୍ରମରେ ଭୀତତ୍ରସ୍ତ ହୋଇପଡ଼ିଥିଲେ । ରାଜତ୍ୱର ଚତୁର୍ଥ ବର୍ଷରେ ସେ ଦକ୍ଷିଣକୁ ପୁଣି ଥରେ ଦିଗ୍‍ବିଜୟରେ ଯାଇ ସାତବାହନ ରାଜ୍ୟ ଅଧିକାର କଲେ । ଏବଂ ରାଷ୍ଟ୍ରିକ ଓ ଭୋଜକ ନାମକ ଦୁଇଟି ରାଜ୍ୟକୁ ବଶ୍ୟତା ସ୍ୱୀକାର କରିବାକୁ ବାଧ୍ୟ କଲେ । ଏହି ଅଭିଯାନରୁ ଏତେ ମାତ୍ରାରେ ଧନସମ୍ପତ୍ତି ପ୍ରାପ୍ତ ହୋଇଥିଲା ଯେ, ରାଜକୀୟ ଶକ୍ତି ଓ ସମ୍ପଦର ପ୍ରଭାବ ଦେଖାଇ ତଥା ରାଣୀ ବଜିରଘରଙ୍କ କୋଳରେ ପୁତ୍ର ସନ୍ତାନ ଲାଭ ହେବା ଖୁସିରେ ପୌର ଓ ଜନପଦବାସୀଙ୍କ ଉପରୁ ବହୁ ଲକ୍ଷ ମୁଦ୍ରାର ରାଜସ୍ୱ, କର ଓ ଶୁଳ୍କ ଆଦି ଛାଡ଼ କରିଦେଇଥିଲେ । ରାଜତ୍ୱର ପଞ୍ଚମ ବର୍ଷରେ, ତିନିଶତ ବର୍ଷ ପୂର୍ବେ ନନ୍ଦ ଶାସନ ବେଳେ ଖୋଳା ହୋଇଥିବା କେନାଲକୁ ତନସୁଲୀ ତଥା ତୋଷାଳୀ ବାଟ ଦେଇ ସେ କଳିଙ୍ଗ ନଗରୀ ପର୍ଯ୍ୟନ୍ତ ସଂପ୍ରସାରିତ କରିଥିଲେ । ଖୋଦିତ କେନାଲର ପୁନଃ ସଂରକ୍ଷଣ ଓ ସଂପ୍ରସାରଣ କାର୍ଯ୍ୟ ଖାରବେଳଙ୍କ କୃଷିର ବିକାଶ ପ୍ରତି ରହିଥିବା ମାନସିକତା ପ୍ରତିପାଦନ କରେ । କିନ୍ତୁ ତା'ଠାରୁ ବଡ଼ କଥା 'ତିନିଶତ ବର୍ଷ'ର ଉଲ୍ଲେଖକୁ ମୂଳ କରି ଇତିହାସକାରମାନଙ୍କୁ ଏହା ଖାରବେଳଙ୍କ କାଳ ନିରୂପଣରେ ସାହାଯ୍ୟ କରେ, କାରଣ କଳିଙ୍ଗରେ ନନ୍ଦ ଶାସନର କାଳ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବୋଲି ନିରୂପିତ ହୋଇସାରିଛି । ମାତ୍ର ଶିଳାଲେଖରେ ଉଲ୍ଲିଖିତ ପଦ 'ତି-ବସ-ସତ'କୁ କେତେକ ଐତିହାସିକ '୧୦୩ ବର୍ଷ' ବୋଲି ତର୍ଜମା କରନ୍ତି, ଯାହାର ଅର୍ଥ ହେବ ଉପରୋକ୍ତ 'ନନ୍ଦରାଜା' ଭାବରେ ଖ୍ରୀଷ୍ଟପୂର୍ବ ୨୬୧ରେ କଳିଙ୍ଗ ବିଜୟ କରିଥିବା ଅଶୋକଙ୍କୁ ଶିଳାଲେଖ ଚିହ୍ନିତ କରୁଥାଇ ପାରେ । ଏହି ଉଲ୍ଲେଖର ଅନ୍ୟ ଅର୍ଥ ହେଲା ଯେ, ଖାରବେଳଙ୍କ ପରି ନନ୍ଦରାଜା ମଧ୍ୟ ଓଡ଼ିଶା(କଳିଙ୍ଗ) ଅଧିକାର କଲା ପରେ କୃଷିର ବିକାଶପାଇଁ କେନାଲ ଖନନକୁ ଅଗ୍ରାଧିକାର ଦେଇଥିଲେ ।

ରାଜତ୍ୱର ଅଷ୍ଟମ ବର୍ଷରୁ ଦ୍ୱାଦଶ ବର୍ଷ ମଧ୍ୟରେ ଖାରବେଳ ତିିନି ଥର ଉତ୍ତର ଭାରତ ଓ ଥରେ ଦକ୍ଷିଣ ଭାରତ ଅଭିମୁଖେ ଦିଗ୍‍ବିଜୟ କରିଥିଲେ । ଏହି ସାମରିକ ଅଭିଯାନଯୋଗୁଁ ସେ ମଥୁରା, ମଗଧର ରାଜଗୃହ ଓ ପାଟଳିପୁତ୍ର, ଆନ୍ଧ୍ରପ୍ରଦେଶର ପିଥୁଣ୍ତ ନଗରୀ ତଥା ତାମିଲନାଡୁର କେତେକ ରାଜ୍ୟ ଜୟ କରିଥିବାର ଉଲ୍ଲେଖ ରହିଛି । ସାମରିକ ଅଭିଯାନର ବିବରଣୀରୁ ମନେହୁଏ ଯେ, ବିଜିତ ରାଜ୍ୟଗୁଡ଼ିକରୁ ସେ ଧନରତ୍ନ, ପୁଣି ଅନେକ ସମୟରେ ଜୀନମୂର୍ତ୍ତିି (ମଗଧରୁ ପ୍ରାପ୍ତ) ତଥା ଜୈନଧର୍ମର ପବିତ୍ର କଳ୍ପ ବୃକ୍ଷ (ମଥୁରାରୁ ପ୍ରାପ୍ତ) ଲାଭ କରିଥିଲେ । ସେ ଉକ୍ତ ରାଜ୍ୟଗୁଡ଼ିକରେ ସ୍ଥାୟୀ ଭାବେ ରାଜତ୍ୱ ବିସ୍ତାର ପରିବର୍ତ୍ତେ ତାତ୍କାଳିକଲାଭ ଧନରତ୍ନ ପ୍ରାପ୍ତି ପ୍ରତି ଅଧିକ ଧ୍ୟାନ ଦେଉଥିଲେ । ପୁଣି କଦାଚିତ ରାଜାମାନେ (ଯଥା- ମଗଧର ରାଜା ବୃହସ୍ପତି ମିତ୍ର) ଯୁଦ୍ଧ ପୂର୍ବରୁ ବଶ୍ୟତା ସ୍ୱୀକାର କରୁଥିଲେ ଓ ଧନରତ୍ନ ଆଦି ପ୍ରଦାନ କରୁଥିଲେ । ଏହି ଧନରତ୍ନକୁ ଖାରବେଳ ନିଜ ପ୍ରଜାଙ୍କ ମଧ୍ୟରେ ଭୋଜନ ଆଦି ଆୟୋଜନ କରି ବଣ୍ଟନ କରିବାର ଉଦାହରଣ ରହିଛି । ଖାରବେଳଙ୍କ ବିଶେଷତ୍ୱ ହେଲା, ଖୁବ୍‍ ଅଧିକ ଯୁଦ୍ଧପ୍ରିୟ ହେବା ସତ୍ତ୍ୱେ୩୪ . ଓଡ଼ିଶା ଇତିହାସ