ପୃଷ୍ଠା:Odisha Itihasa.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେ ଜୈନଧର୍ମର ମଧ୍ୟ ପ୍ରଭୂତ ପୃଷ୍ଠପୋଷକତା କରିଥିଲେ । କୁମାରୀ ପର୍ବତ(ଉଦୟଗିରି)ରେ ସେ ଜୈନ ଅର୍ହତ ଓ ଭିକ୍ଷୁମାନଙ୍କପାଇଁ ଏକଶହ ସତରଟି ଗୁମ୍ଫା ଖୋଦନ କରାଇଥିଲେ ତଥା ସେମାନଙ୍କୁ ରେଶମ ଓ ଶୁକ୍ଳବସ୍ତ୍ର ପ୍ରଦାନ କରିଥଲେ । ଏହା ବ୍ୟତୀତ ଦ୍ୱିତୀୟ ରାଣୀ ସିଂହପଥଙ୍କ ଅନୁରୋଧରେ ସେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଯତି, ଶ୍ରମଣ, ତପସ୍ୱୀ, ଋଷି ଓ ବୌଦ୍ଧ ଭିକ୍ଷୁଙ୍କ ବିଶ୍ରାମ ପାଇଁ ଏକଲକ୍ଷରୁ ଊର୍ଦ୍ଧ୍ୱ ମୁଦ୍ରା ବ୍ୟୟକରି ମନୋରମ ଆଶ୍ରୟସ୍ଥଳୀ ନିର୍ମାଣ କରିଥିଲେ । ଏଥିରୁ ସିଦ୍ଧ ହୁଏ ଯେ, ଖାରବେଳଙ୍କର ଜୈନ ଧର୍ମ ପ୍ରତି ଆକର୍ଷଣ ଥିବା ସତ୍ତ୍ୱେ, ଅନ୍ୟ ଧର୍ମ ପ୍ରତି ଅସହିଷ୍ଣୁ ଭାବ ନଥିଲା । ଖାରବେଳଙ୍କ ଜନମଙ୍ଗଳ କାର୍ଯ୍ୟମାନ ରାଜଧାନୀକେନ୍ଦ୍ରିତ ଥିଲା । ରାଜଧାନୀ କଳିଙ୍ଗ ନଗରୀକୁ ବାଦ୍‍ ଦେଇ ଅନ୍ୟ କେଉଁଠି ସେ କେନାଲ ଖନନ ବା ପୁଷ୍କରିଣୀ ସୁଶୋଭନ ଆଦି କାର୍ଯ୍ୟ କରିଥିବାର ଉଲ୍ଲେଖ ତାଙ୍କ ଶିଳାଲେଖରୁ ମିଳେ ନାହିଁ । ଏଥିରୁ ଏକଥା ମଧ୍ୟ ଅନୁମିତ ହୁଏ ଯେ ତାଙ୍କର ପ୍ରତ୍ୟକ୍ଷ ଓ ପ୍ରକୃତ ଶାସନକ୍ଷେତ୍ର କଳିଙ୍ଗ ନଗରୀ ବାହାରେ ହୁଏତ ଖୁବ୍‍ ଅଧିକ ନଥିଲା । ପ୍ରାଚୀନ ଯୁଗର ଶାସନ ରୀତି ଯାହା ଥିଲା, ରାଜ୍ୟ ଜୟ ପରେ ବିଜିତ ରାଜ୍ୟରୁ ଧନସମ୍ପତ୍ତି ଲାଭ କରି ବା ବର୍ଷକୁ ବର୍ଷ ଦେୟ ପାଇବାର ପ୍ରତିଶ୍ରୁତି ପାଇ ବିଜୟୀ ରାଜା ସନ୍ତୁଷ୍ଟ ହେଉଥିଲେ । ଅନେକ ସମୟରେ ଯୁଦ୍ଧ ସଂଘଟିତ ହେବା ପୂର୍ବରୁ କ୍ଷୁଦ୍ର ରାଜ୍ୟମାନେ ଦିଗ୍‍ବିଜୟରେ ଆସିଥିବା ରାଜାଙ୍କ ବଶ୍ୟତା ସ୍ୱୀକାର କରିବାକୁ ମଧ୍ୟ ସମ୍ମତ ହୋଇଯାଉଥିଲେ । ଏହା ଯୁଦ୍ଧର କ୍ଷୟକ୍ଷତିକୁ ଏଡ଼ାଇବାରେ ସହାୟକ ହେଉଥିଲା ।

ହାତୀଗୁମ୍ଫା ଶିଳାଲେଖର ଉପଲବ୍ଧତା ଖାରବେଳଙ୍କୁ କିମ୍ବଦନ୍ତୀ ବା ଜନଶ୍ରୁତିର ଊର୍ଦ୍ଧ୍ୱରେ ଏକ ଇତିହାସର ପାତ୍ର ରୂପେ ପ୍ରତିପାଦିତ କରେ । ଏହି ଶିଳାଲେଖ ତାଙ୍କୁ ଏକ ମହାବିଜୟୀ ସମ୍ରାଟ ରୂପେ ବର୍ଣ୍ଣନା କରିଛି । ମାତ୍ର ରାଜାଙ୍କ ଆଦେଶରେ ସେତେବେଳେ ଏଭଳି ଶିଳାଲେଖମାନ ଖୋଦିତ ହୋଇଥିବାରୁ ଅର୍ଥାତ୍‍ ଏହା ରାଜପ୍ରଶସ୍ତି ହୋଇଥିବାରୁ ତାହାର ସତ୍ୟାସତ୍ୟ ନିରୀକ୍ଷଣ କରିବାର ଆବଶ୍ୟକତା ମଧ୍ୟ ରହିଛି । ପୁଣି ହାତୀଗୁମ୍ଫା ଶିଳାଲେଖର ଅନେକ ଅଂଶ ନଷ୍ଟ ହୋଇଯାଇଥିବାରୁ ତାହାର ସଂପୂର୍ଣ୍ଣ ପାଠୋଦ୍ଧାର ହୋଇପାରିନାହିଁ । ଯେଉଁ ପାଠୋଦ୍ଧାର ହୋଇଛି, ଭାଷାର ଭିନ୍ନତାଯୋଗୁଁ ସେସବୁର ତର୍ଜମା ମଧ୍ୟ ସର୍ବସମ୍ମତ ନୁହେଁ । ତାହା ସତ୍ତ୍ୱେ, ଓଡ଼ିଶା ଇତିହାସର ଅନ୍ୟତମ ସର୍ବପ୍ରାଚୀନ ଲିଖିତ ଦସ୍ତାବିଜ୍‍ ଭାବରେ ତଥା ଖାରବେଳ ନାମରେ ଜଣେ ଦିଗ୍‍ବିଜୟୀ ବୀରଙ୍କୁ ଲୋକଲୋଚନକୁ ଆଣିଥିବା କାରଣରୁ ଏହି ଶିଳାଲେଖର ଐତିହାସିକ ମହତ୍ତ୍ୱ ଖୁବ୍‍ ଅଧିକ । ତତ୍‍କାଳୀନ ଅନ୍ୟ କୌଣସି ଦସ୍ତାବିଜ୍‍ ହସ୍ତଗତ ନ ହେବାଯାଏ, ହାତୀଗୁମ୍ଫା ଶିଳାଲେଖର ମହତ୍ତ୍ୱ ଯେ ଅବ୍ୟାହତ ରହିବ- ଏହା ସହଜରେ ଅନୁମେୟ ।


...

{{right|ଓଡ଼ିଶା ଇତିହାସ . ୩୫