ପୃଷ୍ଠା:Odisha Itihasa.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୁଦ୍ରା ଆବିଷ୍କୃତ ହୋଇଛି । ଉଦୟଗିରିଠାରେ ସ୍ଥାନିତ ଯକ୍ଷମୂର୍ତ୍ତିି ସହିତ ସାତବାହନକାଳୀନ ସାଞ୍ଚି ମୂର୍ତ୍ତିିକଳାର ସାମଞ୍ଜସ୍ୟ ଦେଖିବାକୁ ମିଳେ । ସାଞ୍ଚି, ସାତବାହନ ରାଜା ଦ୍ୱିତୀୟ ସାତକର୍ଣ୍ଣୀଙ୍କ ଅଧୀନରେ ରହିଥିଲା । ତେଣୁ କଳିଙ୍ଗ ଓ ସାତବାହନ ରାଜ୍ୟ ମଧ୍ୟରେ ରାଜନୈତିକ ଓ ସାଂସ୍କୃତିକ ସମ୍ପର୍କ ରହିଥିଲା ବୋଲି ଐତିହାସିକମାନେ ମତ ଦିଅନ୍ତି । ଏହି ସମ୍ପର୍କ ଦ୍ୱିତୀୟ ଶତାବ୍ଦୀ ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା ବୋଲି ଅନୁମାନ କରାଯାଏ । ଗୌତମୀପୁତ୍ର ସାତକର୍ଣ୍ଣୀ ବୌଦ୍ଧ ଦାର୍ଶନିକ ନାଗାର୍ଜୁନଙ୍କ ଆଗ୍ରହରେ କୋଶଳର ପରିମଳଗିରିଠାରେ (ଆଧୁନିକ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶ) ଏକ ବୌଦ୍ଧ ବିହାର ନିର୍ମାଣ କରାଇଥିଲେ ବୋଲି ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂଙ୍କ ବିବରଣୀରୁ ସୂଚନା ମିଳେ ।

ମୁରୁଣ୍ତ ବଂଶ

ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ ସାତବାହନ ବଂଶର ପତନ ପରେ ମୁରୁଣ୍ତ ବଂଶ କଳିଙ୍ଗ ଅଧିକାର କରିଥିଲେ । ମୁରୁଣ୍ତମାନେ ଭାରତକୁ କୁଶାଣମାନଙ୍କ ସହିତ ମଧ୍ୟଏସିଆରୁ ଆସିଥିଲେ । କୁଶାଣମାନଙ୍କର ପତନ ପରେ ସେମାନେ ପୂର୍ବ ଭାରତରେ ନିଜର ରାଜ୍ୟ ପ୍ରତିଷ୍ଠା କରି ବହୁ ବର୍ଷଧରି ଶାସନ କରିଥିଲେ । ମୁରୁଣ୍ତମାନେ କଳିଙ୍ଗରେ ଶାସନ କରିଥିବା ବିଷୟ ସେମାନଙ୍କ ମୁଦ୍ରାରୁ ସୂଚନା ମିଳେ । କୁଶାଣ ପ୍ରାନ୍ତରେ ସେମାନେ ମୁଦ୍ରା ପ୍ରଚଳନ କରିଥିଲେ ଯାହା ପ୍ରଥମେ ପୁରୀ ଏବଂ ପରେ ଭଦ୍ରକ ଓ ଶିଶୁପାଳଗଡ଼ ଆଦି ସ୍ଥାନରୁ ଆବିଷ୍କୃତ ହୋଇଛି । ମୁରୁଣ୍ତ ରାଜତ୍ୱର ବହୁ ବର୍ଷ ପରେ ଲିଖିତ ମାଦଳାପାଞ୍ଜିରେ ରକ୍ତବାହୁ ନାମକ ଜଣେ ଯବନଙ୍କର ଜଗନ୍ନାଥ ମନ୍ଦିର ଆକ୍ରମଣ କଥା ବର୍ଣ୍ଣିିତ ହୋଇଛି । ଐତିହାସିକ ରାଖାଲ ଦାସ ବାନାର୍ଜୀଙ୍କ ମତରେ ରକ୍ତବାହୁ ଥିଲେ ସମ୍ଭବତଃ ମୁରୁଣ୍ତ ଶାସକ । କୁଶାଣର ସହଯୋଗୀ ସେନା ଭାବରେ ସେମାନେ (ମୁରୁଣ୍ତମାନେ) ଓଡ଼ିଶା ଆକ୍ରମଣ କରିଥିଲେ ଏବଂ କୁଶାଣ ବଂଶର ପତନ ପରେ ନିଜେ ସ୍ୱାଧୀନ ଭାବରେ ରାଜ୍ୟ ଶାସନ କଲେ । ମୁରୁଣ୍ତ ଶାସନ ଓଡ଼ିଶାର ଉପକୂଳ ଅଞ୍ଚଳରେ ରହିଥିଲା, କାରଣ କେବଳ ଏହି ଅଞ୍ଚଳରେ ମୁରୁଣ୍ତ ମୁଦ୍ରା ଆବିଷ୍କୃତ ହୋଇଛି । ଶିଶୁପାଳଗଡ଼ରୁ ଆବିଷ୍କୃତ ମୁଦ୍ରାରେ 'ମହାରାଜାଧିରାଜ ଧର୍ମଦାମୋଦରଙ୍କ ପ୍ରଚଳିତ ମୁଦ୍ରା' ବୋଲି ଉଲ୍ଲେଖ ରହିଛି । ସେତେବେଳେ ରାଜାମାନେ ନିଜର ପ୍ରଭୁତ୍ୱ ପ୍ରତିଷ୍ଠା ନିମନ୍ତେ ନିଜ ନାମରେ ମୁଦ୍ରା ପ୍ରଚଳନ କରୁଥିଲେ । ମାତ୍ର ଏକ ବୃହତ୍‍ ଅଞ୍ଚଳରେ ରାଜାଙ୍କର ସ୍ୱୀକୃତି ନଥିଲେ ଏହି ମୁଦ୍ରା ବାଣିଜ୍ୟ ବ୍ୟବସାୟର ମାଧ୍ୟମ ରୂପେ ବ୍ୟବହାର ହୋଇପାରିବ ନାହିଁ । ତେଣୁ କୁଶାଣମାନଙ୍କର ଦାୟାଦ ରୂପେ ଯେଉଁ ସାମନ୍ତ ଶାସକମାନେ ପ୍ରତିଷ୍ଠା ଲାଭ କରିଥିଲେ, ତନ୍ମଧ୍ୟରେ ମୁରୁଣ୍ତମାନେ ବୋଧହୁଏ ଥିଲେ ଅନ୍ୟତମ । କୁଶାଣ ସାମ୍ରାଜ୍ୟରେ ପ୍ରତିଷ୍ଠିତ ହୋଇଥିବା ଅନ୍ୟ କୁଶାଣ ଦାୟାଦ ବଂଶଗୁଡିକର ରାଜ୍ୟରେ ମଧ୍ୟ ଏହି ମୁଦ୍ରାର ସ୍ୱୀକୃତି ତଥା ପ୍ରଚଳନ ରହିଥିବାର ଅନୁମାନ କରାଯାଏ ।

ଓଡ଼ିଶ ଇତିହାସ . ୩୭