ପୃଷ୍ଠା:Odisha Itihasa.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୁପ୍ତକାଳୀନ ଓଡ଼ିଶା

ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ ଉତ୍ତର ଭାରତରେ ଗୁପ୍ତବଂଶର ଉତ୍‍ଥାନ ହେଲା । ଗୁପ୍ତବଂଶର ପରାକ୍ରମୀ ଶାସକ ସମୁଦ୍ରଗୁପ୍ତ ବାରମ୍ବାର ଯୁଦ୍ଧ ଅଭିଯାନରେ ଯାଇ ଉତ୍ତର ଭାରତର ବହୁ ଅଂଶ ଓ ଦକ୍ଷିଣ ଭାରତର କେତେକ ଅଂଶ ନିଜ କର୍ତ୍ତୃତ୍ୱକୁ ଆଣିଥିଲେ । ଏକ ବୃହତ୍ତର ଗୁପ୍ତ ସାମ୍ରାଜ୍ୟ ସ୍ଥାପନରେ ଏହା ବିଶେଷ ସହାୟକ ହୋଇଥିଲା ।

ଆହ୍ଲାବାଦ ସ୍ତମ୍ଭ ଅଭିଲେଖରେ ସମୁଦ୍ରଗୁପ୍ତଙ୍କ ଦିଗ୍‍ବିଜୟ କଥା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ସମୁଦ୍ରଗୁପ୍ତଙ୍କ ସଭାକବି ହରିସେଣଙ୍କ ରଚନା ସେହି ସ୍ତମ୍ଭରେ ରହିଛି, ଯେଉଁଥିରେ ସମ୍ରାଟ ଅଶୋକଙ୍କ ଶିଳାଲେଖ ଅଛି । ସେହି ସ୍ତମ୍ଭ ଅଭିଲେଖ ଅନୁଯାୟୀ ସମୁଦ୍ରଗୁପ୍ତ ଦକ୍ଷିଣପଥ ଅଭିଯାନ ସମୟରେ କୋଶଳ, କଳିଙ୍ଗ ଆଦି ରାଜ୍ୟ ଜୟ କରିଥିଲେ । ସେ ଜିଣିଥିବା କୋଟ୍ଟୁର, ଏରଣ୍ତପଲ୍ଲୀ ଓ କୁବେର ରାଜ୍ୟ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଥିଲା ବୋଲି ଚିହ୍ନିତ କରାଯାଇଛି । ଯୁଦ୍ଧ ଜୟ ପରେ ସମୁଦ୍ରଗୁପ୍ତ ଦକ୍ଷିଣ ପଥର ସେହି ରାଜ୍ୟଗୁଡ଼ିକୁ ନିଜ ସାମ୍ରାଜ୍ୟରେ ସଂଲଗ୍ନ କରି ନଥିଲେ । ଗୁପ୍ତ ବଶ୍ୟତା ସ୍ୱୀକାର କଲା ପରେ ରାଜ୍ୟମାନେ ସ୍ୱତନ୍ତ୍ର ହୋଇ ରହିଥିଲେ । ଏହି କାରଣରୁ ଓଡ଼ିଶାରେ ଗୁପ୍ତ ରାଜତ୍ୱର ବିଶେଷ ପ୍ରଭାବ ଅନୁମିତ ହୋଇନଥିଲା । ରାଜନୈତିକ ନିୟନ୍ତ୍ରଣରେ ରହିନଥିବା ସତ୍ତ୍ୱେ ଓଡ଼ିଶାରେ ଗୁପ୍ତ ପ୍ରଭାବ ସଂସ୍କୃତି, ସ୍ଥାପତ୍ୟ, ବାଣିଜ୍ୟ ଆଦି କ୍ଷେତ୍ରରେ ରହିଥିବା ବିଶ୍ୱାସ କରାଯାଏ । ଓଡ଼ିଶାରେ ମିଳିଥିବା ଅନେକ ତାମ୍ର ଶାସନରେ 'ଗୁପ୍ତ ଯୁଗ'ର ଉଲ୍ଲେଖ ରହିଛି । ଖଲିକୋଟ ନିକଟସ୍ଥ ପଦ୍ମଖୋଲି ନାମକ ଏକ କ୍ଷୁଦ୍ର ରାଜ୍ୟର ଶାସକ ପୃଥ୍ୱୀବିଗ୍ରହ ନିଜକୁ 'ମହାରାଜା ଧର୍ମରାଜା' ଭାବରେ ନାମିତ କରି ଏଭଳି ଏକ ତାମ୍ରଶାସନ ଜାରି କରିଥିଲେ । ତହିଁରେ 'ଗୁପ୍ତାବ୍ଦ ୨୫୦' (ଖ୍ରୀଷ୍ଟାବ୍ଦ ୫୬୯-୫୭୦) ବୋଲି ଉଲ୍ଲେଖ ରହିଛି । ଏହାର ଅର୍ଥ ସମୁଦ୍ରଗୁପ୍ତଙ୍କ ପରେ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ଗୁପ୍ତାବ୍ଦର ପ୍ରଚଳନ ଥିଲା । ରାଜନୈତିକ ଅଧିକାର ନ ଥିବା ସତ୍ତ୍ୱେ ଓଡ଼ିଶାର ଅଭ୍ୟନ୍ତରରେ ଗୁପ୍ତାବ୍ଦର ପ୍ରଚଳନ ତତ୍‍କାଳୀନ ଇତିହାସକୁ ଅଧିକ ରହସ୍ୟାବୃତ କରିଦିଏ ।

ମାଠର ବଂଶ

ଚତୁର୍ଥ ଶତାବ୍ଦୀର ମଧ୍ୟଭାଗରେ ମାଠର ନାମକ ଏକ ରାଜ ବଂଶର ଅଭ୍ୟୁତ୍‍ଥାନ ଦେଖିବାକୁ ମିଳେ । ମାଠରମାନେ ଦକ୍ଷିଣ ଓଡ଼ିଶାରେ ଏକ କ୍ଷୁଦ୍ର ରାଜ୍ୟ ସ୍ଥାପନ କରି କେତେକ ପଡୋଶୀ ରାଜ୍ୟକୁ ଅଧିକାର କରିଥିବା କୁହାଯାଏ । ମାଠର ବଂଶ ଗୁପ୍ତମାନଙ୍କର ସମସାମୟିକ ଥିଲା । ମାତ୍ର ସମୁଦ୍ରଗୁପ୍ତଙ୍କ ଆହ୍ଲାବାଦ ସ୍ତମ୍ଭଲେଖରେ ଏହି ରାଜବଂଶର ଉଲ୍ଲେଖ ନଥିବାରୁ ଅନୁମିତ ହୁଏ ଯେ ସମ୍ଭବତଃ ସମୁଦ୍ରଗୁପ୍ତଙ୍କ ପରେ ଏହି ବଂଶର ଉଦୟ ହୋଇଥିଲା । କେତେକ ତାମ୍ରଶାସନକୁ ଅଧାର କରି ମାଠର ବଂଶାବଳୀ ନିର୍ଣ୍ଣୟ କରାଯାଏ । ଐତିହାସିକ ନବୀନ କୁମାର ସାହୁଙ୍କଦ୍ୱାରା ପ୍ରସ୍ତୁତ ମାଠର ବଂଶାବଳୀ ନିମ୍ନରେ ଦିଆଗଲା ।୩୮ . ଓଡ଼ିଶା ଇତିହାସ