ପୃଷ୍ଠା:Odisha Itihasa.pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦିଆଯାଇଥିଲା । ଏହି ଲେଖକମଣ୍ତଳୀରେ ଅତୁଳ ଚନ୍ଦ୍ର ପ୍ରଧାନ, ସଦାଶିବ ପ୍ରଧାନ, ଶିଶିର କୁମାର ପଣ୍ତା, ପ୍ରୀତୀଶ ଆଚାର୍ଯ୍ୟ, ବସନ୍ତ କୁମାର ମଲ୍ଲିକ, ଚଣ୍ତୀପ୍ରସାଦ ନନ୍ଦ, ପ୍ରମୋଦ କୁମାର ମହାନ୍ତି ଓ ସୂର୍ଯ୍ୟକାନ୍ତ ନାଥ ରହିଥିଲେ । ଏମାନେ ସମସ୍ତେ ଇତିହାସ ଅଧ୍ୟାପନା ଓ ଗବେଷଣା କ୍ଷେତ୍ରରେ ଓଡ଼ିଶାରେ ସୁପରିଚିତ ।

ମାତ୍ର ସେମାନଙ୍କ ଦ୍ୱାରା ଲିଖିତ ବିଭିନ୍ନ କାଳଖଣ୍ତର ଇତିହାସକୁ ଏକାଠି କରି ପାଣ୍ତୁଲିପି ପ୍ରସ୍ତୁତ କଲା ପରେ ମୋର କାହିଁକି ମନେହେଲା ଯେ ଏହା ସାଧାରଣରେ ବ୍ୟବହାର ଉପଯୋଗୀ ହେବ ନାହିଁ । ଏହାର ପ୍ରଧାନ କାରଣ ହେଲା, ଏହା ଭିନ୍ନ ଭିନ୍ନ ଲେଖକଙ୍କ ନିଜସ୍ୱ ଭାଷା ଶୈଳୀରେ ଲେଖାଯାଇଛି ଏବଂ ପାଣ୍ତୁଲିପିଟି ଓଡ଼ିଶାର ଏକ ପୂର୍ଣ୍ଣାଙ୍ଗ ଓ ଏକକ ଇତିହାସ ନ ହୋଇ ଏକ ପ୍ରବନ୍ଧ ସଂକଳନ ପରି ମନେହେଉଛି । ଏଣୁ ଏହି ପାଣ୍ତୁଲିପିର ପୁନର୍ଲିିଖନ ପାଇଁ ମୁଁ ଶ୍ରୀ ପ୍ରୀତୀଶ ଆଚାର୍ଯ୍ୟଙ୍କୁ ଅନୁରୋଧ କରିଥିଲି । ଶ୍ରୀ ଆଚାର୍ଯ୍ୟ ବହୁ ଶ୍ରମ ସ୍ୱୀକାର କରି ଏହାକୁ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ମୁଁ ତାଙ୍କୁ ମୋ ତରଫରୁ ଓ ଲେଖକମଣ୍ତଳୀ ତରଫରୁ ଆନ୍ତରିକ କୃତଜ୍ଞତା ଜଣାଉଛି । ଏହି ସାଧୁ ଉଦ୍ୟମ ପାଇଁ ଓଡ଼ିଶାର ଇତିହାସପ୍ରେମୀ ପାଠକମାନେ ତାଙ୍କୁ ସବୁଦିନେ ମନେ ରଖିବେ ବୋଲି ମୋର ବିଶ୍ୱାସ ।

ତେବେ ଇତିହାସ ନିର୍ଦ୍ଦିଷ୍ଟ ଓ ସୀମିତ କାଳଖଣ୍ତର ବର୍ଣ୍ଣନା ହୋଇଥିଲେ ମଧ୍ୟ ଇତିହାସ ଲେଖାର ଅନ୍ତ ନାହିଁ । ପରିବର୍ତ୍ତିତ ପରିସ୍ଥିତିକୁ ନେଇ ଅତୀତକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରିବାର ଅଭ୍ୟାସ ସବୁବେଳେ ଆମ ବୌଦ୍ଧିକ ସମାଜର ରହି ଆସିଛି । ସେ ଦୃଷ୍ଟିରୁ ଏହି ଇତିହାସ ପୁସ୍ତକ ପୂର୍ଣ୍ଣାଙ୍ଗ କି ଚୂଡ଼ାନ୍ତ ନୁହେଁ । ଏହାର ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ । ଓଡ଼ିଶାର ଇତିହାସ ସଂପର୍କରେ ପାଠକମାନଙ୍କୁ ସଚେତନ କରାଇବା ପାଇଁ ଏହା ଏକ କ୍ଷୁଦ୍ର ପ୍ରୟାସ ମାତ୍ର । ଏହି ଉଦ୍ଦେଶ୍ୟ ସଫଳ ହେଲେ ଆମ ଉଦ୍ୟମ ସାର୍ଥକ ହେବ । ଏହାକୁ ଅଧିକ ଉପାଦେୟ କରିବାପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ବା ପରାମର୍ଶ ଦେବାପାଇଁ ମୁଁ ଓଡ଼ିଶାର ଇତିହାସପ୍ରେମୀ ସୁଧୀବୃନ୍ଦଙ୍କୁ ଅନୁରୋଧ କରୁଛି । -- ସୌମ୍ୟରଂଜନ ପଟ୍ଟନାୟକ