ପୃଷ୍ଠା:Odisha Itihasa.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ବୋଲି ଉଲ୍ଲେଖ ରହିଛି । ନଳରାଜାମାନଙ୍କର ବକାଟକ ରାଜ୍ୟ ସହ ଯୁଦ୍ଧ ହୋଇଥିବାର ଜଣାଯାଏ । ସେମାନଙ୍କର ରାଜଧାନୀ ପୁଷ୍କରୀ (ପୋଡ଼ଗଡ଼)ଠାରେ ସ୍ଥାପିତ ହୋଇଥିଲା । ଏକଦା ଶତ୍ରୁମାନେ ଏହା ପୋଡ଼ି ଦେଇଥିଲେ । ନଳରାଜତ୍ୱ ପ୍ରାୟ ଏକ ଶତାବ୍ଦୀ ପର୍ଯ୍ୟନ୍ତ (୪୦୦ରୁ ୫୦୦ ଖ୍ରୀଷ୍ଟାବ୍ଦ) ରହିଥିଲା ବୋଲି ଅନୁମାନ କରାଯାଏ ।

ମାଣ ବଂଶ

ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ମାଠର ରାଜ୍ୟର ଉତ୍ତରରେ ଓ ମହାନଦୀର ଅପର ପାର୍ଶ୍ୱରେ ମାଣ ନାମରେ ଏକ ରାଜବଂଶ ଶାସନ କରୁଥିଲେ ବୋଲି ଦୁଇଟି ତାମ୍ରଶାସନରେ ଉଲ୍ଲେଖ ଅଛି । ଶମ୍ଭୁନାଥ ଥିଲେ ଏହି ବଂଶର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ରାଜା । ସେ ୫୮୦ରୁ ୬୦୩ ଖ୍ରୀଷ୍ଟାବ୍ଦ ମଧ୍ୟରେ ବାଲେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ବ୍ୟାପିଥିବା ଏକ ବିଶାଳ ରାଜ୍ୟରେ ରାଜତ୍ୱ କରୁଥିବା ଜଣାଯାଏ । ସେ 'ପରମ ମାହେଶ୍ୱର ପରମ ଭଟ୍ଟାରକ ପରମଦେବତା ଦୈବତ' ଉପାଧିରେ ନିଜକୁ ଭୂଷିତ କରିଥିଲେ, ଯାହା ତାଙ୍କ ବର୍ଦ୍ଧିତ ରାଜପ୍ରଭାବର ସୂଚନା ଦିଏ । ତାଙ୍କ ଅଧୀନରେ ରହିଥିବା ଜଣେ ସାମନ୍ତ 'ମହାରାଜ ଶିବରାଜ' ତାମ୍ର ଶାସନ ପ୍ରଦାନ କରିଥିଲେ ।

ବିଗ୍ରହ ବଂଶ

ମାଣବଂଶର ଏକ ସମସାମୟିକ ରାଜବଂଶ ହେଲେ ଆଧୁିନିକ ଗଞ୍ଜାମ ଅଞ୍ଚଳରେ ଶାସନ କରୁଥିବା ବିଗ୍ରହ ବଂଶ । ପୃଥିବୀ ବିଗ୍ରହ ଥିଲେ ଏହି ବଂଶର ପ୍ରଥମରାଜା । ସାମନ୍ତରାଜା ଧର୍ମରାଜଙ୍କ ଦ୍ୱାରା ୫୭୦ ଖ୍ରୀଷ୍ଟାବ୍ଦରେ ପ୍ରଦତ୍ତ ତାମ୍ରଶାସନରେ ପୃଥିବୀ ବିଗ୍ରହଙ୍କର ଉଲ୍ଲେଖ ରହିଛି । ବିଗ୍ରହମାନଙ୍କର ରାଜଧାନୀ ପଦ୍ମଖୋଲି (ଖଲ୍ଲିକୋଟ ନିକଟସ୍ଥ ପଦ୍ମଖୋଲ)ଠାରେ ରହିଥିଲା । ଲୋକବିଗ୍ରହ ଥିଲେ ଏହି ବଂଶର ଅନ୍ୟ ଜଣେ ରାଜା । ତାଙ୍କଦ୍ୱାରା ପ୍ରଦତ୍ତ କଣାସ ତାମ୍ର ଶାସନରୁ ଲୋକ ବିଗ୍ରହଙ୍କ ସମ୍ବନ୍ଧରେ ସୂଚନା ମିଳେ । ସେହି ତାମ୍ରଶାସନ ଅନୁସାରେ ସେ ଦକ୍ଷିଣ ତୋଷାଳୀ ଓ କେତେକ ପାର୍ବତ୍ୟ ରାଜ୍ୟ (ଆଧୁନିକ ସମୟର ଗଡଜାତ ରାଜ୍ୟ)ରେ ଶାସନ କରୁଥିଲେ ।

ଶରଭପୁରୀୟ ବଂଶ

ନଳବଂଶର ପତନ ପରେ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର ଶେଷ ଭାଗରେ ଦକ୍ଷିଣ କୋଶଳରେ (ଆଧୁନିକ କଳାହାଣ୍ତି, ଖରିଆର ଓ ରାୟପୁର ଅଞ୍ଚଳ) ଶରଭପୁରୀୟ ବଂଶ ରାଜତ୍ୱ କରିବାକୁ ଲାଗିଲେ । ସେମାନେ ସମ୍ଭବତଃ ନଳରାଜାମାନଙ୍କ ଅଧୀନରେ ସ୍ଥାନୀୟ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ନଳବଂଶର ପତନ ପରେ ଦକ୍ଷିଣ କୋଶଳରେ ନିଜକୁ ରାଜା ଘୋଷଣା କରି ସେମାନେ ଶାସନ ଆରମ୍ଭ କଲେ । ଶରଭପୁର ଥିଲା ସେମାନଙ୍କ ରାଜଧାନୀ । ମନେହୁଏ, ସେମାନେ ଗୁପ୍ତରାଜ୍ୟର ସାମନ୍ତ ଭାବରେ ରାଜତ୍ୱ କରୁଥିଲେ । ଏହି ବଂଶର ପ୍ରଥମ ରାଜା ଶରଭଙ୍କ ପରେ ନରେନ୍ଦ୍ର ଶାସନ ଭାର ଗ୍ରହଣ କଲେ । ତାଙ୍କଦ୍ୱାରା ପ୍ରଦତ୍ତ ପିପର୍ଦୁଲା ଓ କୁରୁଡ଼ ତାମ୍ର ଶାସନରେ

ଓଡ଼ିଶା ଇତିହାସ . ୪୧