ପୃଷ୍ଠା:Odisha Itihasa.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶରଭପୁରୀୟ ବଂଶ ସମ୍ବନ୍ଧରେ ଉଲ୍ଲେଖ ରହିଛି । ଏହି ବଂଶର ରାଜା ମହେନ୍ଦ୍ରାଦିତ୍ୟ ଓ ପ୍ରସନ୍ନ ମାତ୍ରଙ୍କଦ୍ୱାରା ପ୍ରଚଳିତ କେତେକ ସ୍ୱର୍ଣ୍ଣମୁଦ୍ରା ଛତିଶଗଡ଼ର ରାୟପୁର, ବିଳାସପୁର ଓ କଳାହାଣ୍ତି ନିକଟସ୍ଥ ଖରିଆର ଓ ମାରାଗୁଡ଼ା ଅଞ୍ଚଳରୁ ଆବିଷ୍କୃତ ହୋଇଛି । ତେଣୁ ଉକ୍ତ ଅଞ୍ଚଳରେ ଶରଭପୁରୀୟ ମୁଦ୍ରାର ବ୍ୟବହାର ଥିବାର ତଥା ସେଠାରେ ଶରଭପୁରୀୟ ଶାସନ ରହିଥିବାର ଅନୁମାନ କରାଯାଏ । ଅନ୍ୟ ଜଣେ ଶରଭପୁରୀୟ ରାଜା ପ୍ରଥମ ସୁଦେବରାଜଙ୍କ ସମୟରେ ପ୍ରଦତ୍ତ ଛଅଗୋଟି ତାମ୍ର ଶାସନରୁ ଜଣାଯାଏ ଯେ, ଉକ୍ତ ରାଜା ଗଭୀର ଭଗବତ୍‍ ବିଶ୍ୱାସୀ ଥିଲେ ଓ ପିତାମାତାଙ୍କୁ ଭକ୍ତି କରୁଥିଲେ । ସେ ଯୋଦ୍ଧା ଥିଲେ । ପଣ୍ତିତମାନଙ୍କୁ ଜମି ପ୍ରଦାନ ଓ ଗୋଦାନ କରିଥିଲେ । ଶରଭପୁରୀୟମାନେ ସଂଶ୍ଳିଷ୍ଟ ଥିବା ଯୁଦ୍ଧ ସମ୍ପର୍କରେ କୌଣସି ତଥ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।

ପୂର୍ବ ଗଙ୍ଗବଂଶ

ପୂର୍ବ ଗଙ୍ଗବଂଶ ବା ପ୍ରଥମ ଗଙ୍ଗବଂଶ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର ଶେଷ ଭାଗରେ (୪୯୬ ଖ୍ରୀଷ୍ଟାବ୍ଦ) ମହେନ୍ଦ୍ରଗିରି ଅଞ୍ଚଳରେ ରାଜ୍ୟ ସ୍ଥାପନ କରି କାଳକ୍ରମେ ଏକ ପରାକ୍ରମଶାଳୀ ରାଜବଂଶ ରୂପେ ପରିଚୟ ପାଇଥିଲେ । ଅଷ୍ଟମ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ସେମାନଙ୍କର ପ୍ରଭୁତ୍ୱ ରହିଥିଲା । କଳିଙ୍ଗନଗର ସେମାନଙ୍କର ରାଜଧାନୀ ଥିଲା, ଯାହାକୁ ଶ୍ରୀକାକୁଲମ ଜିଲ୍ଲାର ମୁଖଲିଙ୍ଗମ୍‍ ବୋଲି ଚିହ୍ନିତ କରାଯାଏ । ଏହି ଜିଲ୍ଲାର ଦନ୍ତପୁରଠାରେ ଗଙ୍ଗମାନଙ୍କର ଦ୍ୱିତୀୟ ରାଜଧାନୀ ରହିଥିଲା । ସେମାନେ ନିଜକୁ 'ତ୍ରିକଳିଙ୍ଗାଧିପତି' ବୋଲି ତାମ୍ରଶାସନରେ ଉଲ୍ଲେଖ କରିଛନ୍ତି । ସମଗ୍ର କଳିଙ୍ଗ କ୍ଷେତ୍ରକୁ ଗଙ୍ଗମାନେ ଅଧିକାର କରିଥିବାର ଅନ୍ୟ କୌଣସି ଐତିହାସିକ ପ୍ରମାଣ ନାହିଁ ।

ଗଙ୍ଗମାନେ କର୍ଣ୍ଣାଟକର କୋଲାହଳପୁର (କୋଲାର) ଅଞ୍ଚଳରୁ କଳିଙ୍ଗକୁ ଆସିଥିଲେ ବୋଲି କୁହାଯାଏ । କଳିଙ୍ଗ ଗଙ୍ଗବଂଶର ପ୍ରଥମ ରାଜା ଥିଲେ ପ୍ରଥମ ଇନ୍ଦ୍ର ବର୍ମା । ସାମନ୍ତ ବର୍ମା, ହସ୍ତୀ ବର୍ମା, ଦ୍ୱିତୀୟ ଇନ୍ଦ୍ର ବର୍ମା, ତୃତୀୟ ଇନ୍ଦ୍ର ବର୍ମା ଓ ପ୍ରଥମ ଦେବେନ୍ଦ୍ର ବର୍ମା ଥିଲେ ଏହି ବଂଶର ଅନ୍ୟ କେତେକ ରାଜା । ହସ୍ତୀ ବର୍ମା ୫୭୭ ଖ୍ରୀଷ୍ଟାବ୍ଦରେ ନରସିଂହପଲ୍ଲୀ ତାମ୍ରଶାସନ ଓ ୫୭୮ଖ୍ରୀଷ୍ଟାବ୍ଦରେ ଉର୍ଲାମ ତାମ୍ର ଶାସନ ପ୍ରଦାନ କରିଥିଲେ । ଏଥିରେ ସେ ନିଜକୁ 'ରାଜସିଂହ' ଓ 'ରଣଭୀତ' (ଯାହାଙ୍କ ରଣ ଭୀତିପ୍ରଦାନ କରୁଥିଲା) ବୋଲି ଘୋଷଣା କରିଥିଲେ । ତୃତୀୟ ଇନ୍ଦ୍ର ବର୍ମାଙ୍କ ରାଜତ୍ୱ କାଳରେ ହୁଏନସାଂ କଳିଙ୍ଗ ଭ୍ରମଣରେ ଆସିଥିଲେ । ହୁଏନସାଂଙ୍କ ବିବରଣୀ ଅନୁଯାୟୀ ସେତେବେଳେ ଗଙ୍ଗ ଶାସିତ କଳିଙ୍ଗ ଏକ ସ୍ୱାଧୀନ ରାଜ୍ୟ ଥିଲା ଏବଂ ଏହାର ଉତ୍ତର ଦିଗରେ କଙ୍ଗୋଦ, ଦକ୍ଷିଣରେ ବେଙ୍ଗୀ ଓ ଉତ୍ତର-ପଶ୍ଚିମରେ କୋଶଳ ରାଜ୍ୟ ରହିଥିଲା । ରାଜଧାନୀ କଳିଙ୍ଗନଗରର ପରିଧି ପ୍ରାୟ ଚାରି ମାଇଲ ଥିଲା ଏବଂ ଏହା ଏକ ସମୃଦ୍ଧ ନଗରୀ ରୂପେ ଖ୍ୟାତି ଲାଭ କରିଥିଲା । ପଞ୍ଚମ ଦେବେନ୍ଦ୍ର ବର୍ମା ଥିଲେ ପୂର୍ବ ଗଙ୍ଗବଂଶର ଶେଷ ରାଜା । ତାଙ୍କ ପରେ ଏକାଦଶ ଶତାବ୍ଦୀର ଆଦ୍ୟ ଭାଗରେ ଉତ୍ତର ଗଙ୍ଗବଂଶ ବା ପରବର୍ତ୍ତୀ ଗଙ୍ଗବଂଶର ଉତ୍‍ଥାନ ଘଟିଥିଲା ।୪୨ . ଓଡ଼ିଶା ଇତିହାସ