ପୃଷ୍ଠା:Odisha Itihasa.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଙ୍ଗୋଦମଣ୍ତଳ ରାଜ୍ୟ କଳିଙ୍ଗ ଓ ଓଡ୍ରର ମଧ୍ୟବର୍ତ୍ତୀ ଅଞ୍ଚଳରେ ଉତ୍ତରରେ ମହାନଦୀଠାରୁ ଦକ୍ଷିଣରେ ମହେନ୍ଦ୍ର ପର୍ବତ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । କଙ୍ଗୋଦରେ ଶାସନ କରୁଥିବା ଶୈଳୋଦ୍ଭବ ବଂଶ ଉତ୍ତର ଭାରତରେ ଆଧିପତ୍ୟ ବିସ୍ତାର କରିଥିବା ହର୍ଷବର୍ଦ୍ଧନ, ଶଶାଙ୍କ ଓ ପୁଲକେଶୀଙ୍କ ସମସାମୟିକ ଥିଲେ । କଙ୍ଗୋଦ ପ୍ରଥମେ ଶଶାଙ୍କଙ୍କର ସାମନ୍ତ ରାଜ୍ୟ ଥଲା । ତାଙ୍କ ପରାଜୟ ପରେ ତାହା ହର୍ଷବର୍ଦ୍ଧନଙ୍କ ସାମନ୍ତ ରାଜ୍ୟ ହେଲା । ମାତ୍ର ଉତ୍ତର ଭାରତର ଏହି ରାଜାମାନଙ୍କ ମଧ୍ୟରେ ଲାଗିରହିଥିବା କଳହ ଓ ଯୁଦ୍ଧର ସୁଯୋଗ ନେଇ କଙ୍ଗୋଦ ଶୈଳୋଦ୍ଭବ ମାନଙ୍କର ନେତୃତ୍ୱରେ କେବେ କେବେ ସ୍ୱାଧୀନ ରାଜ୍ୟ ରୂପେ ପ୍ରତିଷ୍ଠିତ ହେବାକୁ ମଧ୍ୟ ଅବସର ପାଇଥିଲା ।

ଶୈଳୋଦ୍ଭବକାଳୀନ ଏକ ତାମ୍ରଶାସନରେ ଏହି ବଂଶର ଉତ୍ପତ୍ତି ପ୍ରସଙ୍ଗ ଏକ କିମ୍ବଦନ୍ତୀ ଭାବରେ ରହିଛି । କିମ୍ବଦନ୍ତୀ ଅନୁଯାୟୀ କଳିଙ୍ଗ ରାଜ୍ୟରୁ ଅରାଜକତା ଦୂର କରିବା ନିମନ୍ତେ ଏକଦା ରାଜା ପୁଳିନ୍ଦସେନ ଶିବ ଉପାସନା କଲେ । ଏହାର ଫଳ ସ୍ୱରୂପ ଏକ ବିଶାଳ ଶିଳା ଦ୍ୱିଖଣ୍ତିତ ହୋଇ ତହିଁରୁ ଜଣେ ରାଜପୁରୁଷ ଆବିର୍ଭୂତ ହେଲେ । ଶୈଳୋଦ୍ଭବ ନାମରେ ପରିଚିତ ଏହି ରାଜପୁରୁଷ କଙ୍ଗୋଦ ରାଜ୍ୟ ପ୍ରତିଷ୍ଠା କରି ଅରାଜକତା ଦୂର କଲେ । ଯଦି ଇତିହାସ ଦୃଷ୍ଟିରୁ କିମ୍ବଦନ୍ତୀଟିର ବିଶ୍ଳେଷଣ କରାଯାଏ, ତେବେ ଶୈଳୋଦ୍ଭବମାନେ ହେବେ ପାର୍ବତ୍ୟ ଅଞ୍ଚଳର ଅଧିବାସୀ । ଐତିହାସିକମାନେ ପୁଳିନ୍ଦ ଓ ଶୈଳଜକୁ ଶବର ପରି ମହେନ୍ଦ୍ରଗିରିର ଏକ ଆଦିବାସୀ ଜାତି ବୋଲି ଚିହ୍ନିତ କରନ୍ତି । ରାଜବଂଶଜ ନ ହେବା ସତ୍ତ୍ୱେ ସେମାନେ ରାଜ୍ୟ ଶାସନ କରିଥିବାରୁ ନିଜକୁ ଲୋକସ୍ୱୀକୃତ ତଥା ଗ୍ରହଣୀୟ କରିବାପାଇଁ ସମ୍ଭବତଃ କିମ୍ବଦନ୍ତୀର ଆଶ୍ରୟ ନେଇଥିଲେ ।

ଏହି ବଂଶର ପ୍ରତିଷ୍ଠାତା ଓ ପ୍ରଥମ ରାଜା ଶୈଳୋଦ୍ଭବଙ୍କ ସମ୍ବନ୍ଧରେ କୌଣସି ବିଶେଷ ସୂଚନା ଏ ପର୍ଯ୍ୟନ୍ତ ପ୍ରାପ୍ତ ହୋଇନାହିଁ । ତେଣୁ ଦ୍ୱିତୀୟ ରାଜା ପ୍ରଥମ ଧର୍ମରାଜ ରଣଭୀତଙ୍କୁ ଶୈଳୋଦ୍ଭବ ବଂଶର ପ୍ରକୃତ ପ୍ରତିଷ୍ଠାତା ରୂପେ ମାନ୍ୟତା ଦିଆଯାଏ । ଗୁପ୍ତାବ୍ଦ ୨୫୦ ବା ୫୬୯ ଖ୍ରୀଷ୍ଟାବ୍ଦରେ ତାଙ୍କଦ୍ୱାରା ପ୍ରଦତ୍ତ ସୁମଣ୍ତଳ ତାମ୍ରଶାସନରୁ ଜଣାଯାଏ ଯେ, ସେ ବିଗ୍ରହ ବଂଶର ରାଜା ପୃଥିବୀ ବିଗ୍ରହଙ୍କର ସାମନ୍ତ ରାଜା ଥିଲେ । ୬୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶୈଳୋଦ୍ଭବମାନେ ବିଗ୍ରହ ରାଜ୍ୟର ସାମନ୍ତ ଥିବାର ପ୍ରମାଣ ରହିଛି । ବିଗ୍ରହମାନଙ୍କର ପତନର ସୁଯୋଗ ନେଇ ଛରମ୍ପରାଜ ପ୍ରଥମ ଅଯଶୋଭୀତ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ଶେଷରେ କଙ୍ଗୋଦକୁ ସ୍ୱାଧୀନ ଘୋଷଣା କଲେ । ସେ ପ୍ରଦାନ କରିଥିବା ନୂଆପଲ୍ଲୀ ତାମ୍ରଶାସନରୁ ଜଣାଯାଏ ଯେ, ତାଙ୍କ ସମୟରେ କଙ୍ଗୋଦରେ ପ୍ରଶାସନର ସୁବିଧା ଲାଗି ଅନେକ ସାମନ୍ତ ଓ ରାଜକର୍ମଚାରୀ ରହିଥିଲେ । ରାଜକର୍ମଚାରୀଙ୍କ ମଧ୍ୟରେ ରହିଥିଲେ ଶ୍ରୀସାମନ୍ତ, ମହାସାମନ୍ତ, ଦଣ୍ତନାୟକ, କୁମାରାମାତ୍ୟ, ଉପାରିକ ଓ ଆୟୁକ୍ତଙ୍କ । ବିଜୟ କଙ୍ଗୋଦ ବାସକ ଥିଲା ତାଙ୍କର ରାଜଧାନୀ ।

ଦ୍ୱିତୀୟ ମାଧବରାଜଙ୍କ ସମୟରେ କଙ୍ଗୋଦ କର୍ଣ୍ଣସୁବର୍ଣ୍ଣର ରାଜା ଶଶାଙ୍କଙ୍କର ସାମନ୍ତ ରାଜ୍ୟ ଥିଲା ବୋଲି ଗଞ୍ଜାମ ତାମ୍ର ଶାସନରୁ ଜଣାପଡେ଼ । ଶଶାଙ୍କ କୌଣସି ଯୁଦ୍ଧ ମାଧ୍ୟମରେ ନୂଆ କରି

୪୪ . ଓଡ଼ିଶା ଇତିହାସ