ପୃଷ୍ଠା:Odisha Itihasa.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶୈଳୋଦ୍ଭବମାନଙ୍କୁ ପରାସ୍ତ କରିଥିବାର ପ୍ରମାଣ ନାହିଁ । ତେଣୁ ମନେହୁଏ, ବିଗ୍ରହମାନେ ଶଶାଙ୍କ ରାଜାଙ୍କର ସାମନ୍ତ ଥିଲେ ଏବଂ ଶୈଳୋଦ୍ଭବ ରାଜା ବିଗ୍ରହମାନଙ୍କ ନିୟନ୍ତ୍ରଣରୁ ସ୍ୱାଧୀନ ହୋଇ ସିଧାସଳଖ ଶଶାଙ୍କଙ୍କର 'ମହାସାମନ୍ତ' ହେବାର କ୍ଷମତା ହାସଲ କରିଥିଲେ, ଯାହା ଅନେକ କାଳ ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା । ଖ୍ରୀ.୬୨୦ ପୂର୍ବରୁ ଶଶାଙ୍କ ଓଡ୍ର, ଦଣ୍ତଭୁକ୍ତି ଓ ଉତ୍କଳ ଅଧିକାର କରିଥିଲେ । ତାଙ୍କର କଙ୍ଗୋଦ ଆକ୍ରମଣ କଥା କେଉଁଠାରେ ଉଲ୍ଲେଖ ନାହିଁ । ଅନ୍ୟ ପକ୍ଷରେ ଶୈଳୋଦ୍ଭବ ରାଜା ମାଧବରାଜ ୬୨୦ ଖ୍ରୀଷ୍ଟାବ୍ଦରେ ନିଜକୁ ଶଶାଙ୍କଙ୍କର 'ମହାସାମନ୍ତ' ବୋଲି ଘୋଷଣା କରିଛନ୍ତି । ଏହାର ଅର୍ଥ ହେବ, କଙ୍ଗୋଦ ପୂର୍ବରୁ ଶଶାଙ୍କଙ୍କର ଅଧିକାରଭୁକ୍ତ ଥିଲା । ଖ୍ରୀ ୬୨୫ରେ ଶଶାଙ୍କଙ୍କର ମୃତ୍ୟୁ ପରେ ମାଧବରାଜ ନିଜକୁ ସ୍ୱାଧୀନ ଘୋଷଣା କଲେ । ଅଶ୍ୱମେଧ ଯଜ୍ଞ ଆୟୋଜନ କରି ନିଜକୁ ସକଳ କଳିଙ୍ଗାଧିପତି ବୋଲି ନାମିତ କଲେ । ମାତ୍ର ୬୪୨ରେ ହର୍ଷବର୍ଦ୍ଧନ କଙ୍ଗୋଦ ଅଧିକାର କରି ପୁନଶ୍ଚ ଶୈଳୋଦ୍ଭବ ମାନଙ୍କୁ ସାମନ୍ତ ପଦରେ ରଖିଲେ । ୬୪୭ରେ ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ପରେ ଶୈଳୋଦ୍ଭବମାନେ ପୁନର୍ବାର ନିଜକୁ ସ୍ୱାଧୀନ ଘୋଷଣା କଲେ ।

ଶୈଳୋଦ୍ଭବମାନଙ୍କ ସମୟରେ ଜ୍ୟେଷ୍ଠାଧିକାର ନିୟମ ରହିଥିଲା, ମାତ୍ର କନିଷ୍ଠ ମାଧବ ରାଜ ନାମକ ଜଣେ ଶୈଳୋଦ୍ଭବ ରାଜା ତାକୁ ଉଲ୍ଲଙ୍ଘନ କରିଥିବାର ନଜିର ମଧ୍ୟ ରହିଛି । ଶୈଳୋଦ୍ଭବମାନେ ବ୍ରାହ୍ମଣ୍ୟଧର୍ମର ପୃଷ୍ଠପୋଷକ ଥିଲେ, ଯଦିଓ ସେତେବେଳକୁ କଳିଙ୍ଗରେ ବୌଦ୍ଧ ଓ ଜୈନ ଧର୍ମର ପ୍ରସାର ଊଣା ନଥିଲା । ରାଜା ଦ୍ୱିତୀୟ ଧର୍ମରାଜଙ୍କ ରାଣୀ ରାଜାଙ୍କ ବିପରୀତ ଜୈନ ଧର୍ମର ପୃଷ୍ଠପୋଷକତା କରିଥିବାର ଉଲ୍ଲେଖ ରହିଛି । ଏଥିରୁ ମନେହୁଏ ଯେ, ଧର୍ମ ଆଧାରରେ ଲୋକେ ନିଜକୁ ଭାଗ ଭାଗ କରୁ ନଥିଲେ ଏବଂ ଗୋଟିଏ ପରିବାରରେ ମଧ୍ୟ ଏକାଧିକ ଧର୍ମର ପ୍ରବେଶ ରହିଥିଲା । ରାଜ୍ୟ ବିସ୍ତାରପାଇଁ ଶୈଳୋଦ୍ଭବମାନେ ଅଶ୍ୱମେଧ ଓ ବାଜପେୟ ଯଜ୍ଞକୁ ମାଧ୍ୟମ କରିଥିବାର ଉଦାହରଣ ରହିଛି । ଯେଉଁ ରାଜା ବଶ୍ୟତା ସ୍ୱୀକାର କରିବାକୁ ଅନିଚ୍ଛୁକ ଥିଲେ କେବଳ ସେହି ରାଜାଙ୍କ ବିରୁଦ୍ଧରେ ଯଜ୍ଞର ଆୟୋଜକ ବା ରାଜ୍ୟ ବିସ୍ତାରପାଇଁ ଆଗ୍ରହୀ ରାଜା ଯୁଦ୍ଧ କରୁଥିଲେ । ବଶ୍ୟତା ସ୍ୱୀକାର କରି କେତେକ ରାଜା ସାମନ୍ତ ସ୍ତରକୁ ଅବନୀତ ହେଉଥିବା ବେଳେ ଯଜ୍ଞ ଆୟୋଜନ କରି ଅନ୍ୟ କେତେକ ରାଜା ବିଶାଳ ସାମ୍ରାଜ୍ୟର ଅଧିକାରୀ ହେଉଥିଲେ । ସାମନ୍ତ ରାଜା ଉପରିସ୍ଥ ରାଜାକୁ ଉପହାର, ଭେଟି ଆଦି ଦେଇ ନିଜ କ୍ଷେତ୍ରରେ କର୍ତ୍ତୃତ୍ୱ ବଜାୟ ରଖୁଥିଲେ । ଏହିଭଳି ଭାବେ ସ୍ତରକୁ ସ୍ତର ହୋଇ ରାଜାମାନଙ୍କ ମଧ୍ୟରେ ଏକ ସାମନ୍ତୀ ସମ୍ବନ୍ଧ ଗଢ଼ି ଉଠୁଥିଲା । ଶୈଳୋଦ୍ଭବ ଶାସନ ସମୟର ଓଡ଼୍ର ଓ କଙ୍ଗୋଦରେ ଏହା ପରିଲକ୍ଷିତ ହୁଏ ।

ଶୈଳୋଦ୍ଭବ ଶାସନ କାଳର ଏକ ବଡ଼ ଐତିହାସିକ ଘଟଣା ହେଲା ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂଙ୍କ ଓଡ଼ିଶା ଭ୍ରମଣ । ହୁଏନସାଂ ସମ୍ଭବତଃ ୬୩୯ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଓଡ୍ର, କଳିଙ୍ଗ, କଙ୍ଗୋଦ ଓ କୋଶଳ ରାଜ୍ୟ ଭ୍ରମଣ କରିଥିଲେ । ତାଙ୍କ ବିବରଣୀରେ ଏହାର ଉଲ୍ଲେଖ ରହିଛି । ଓଡ୍ର, ଯାହାକୁ ସେ ୟୁ ଚା ବୋଲି ଲେଖିଛନ୍ତି, ତାହା ସେତେବେଳେ ହର୍ଷବର୍ଦ୍ଧନଙ୍କ ନିୟନ୍ତ୍ରଣରେ

ଓଡ଼ିଶା ଇତିହାସ . ୪୫