ପୃଷ୍ଠା:Odisha Itihasa.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଥିଲା। ହର୍ଷବର୍ଦ୍ଧନଙ୍କଦ୍ୱାରା ନିଯୁକ୍ତ ଜଣେ ସାମରିକ ଅଧିକାରୀ ଏହାର ପ୍ରଶାସନ ଦାୟିତ୍ୱରେ ରହିଥିଲେ। ବର୍ତ୍ତମାନ ବଙ୍ଗର ମେଦିିନିପୁର ଓ ଓଡ଼ିଶାର ଉପକୂଳ ଜିଲ୍ଲା ବାଲେଶ୍ୱର, କଟକ ଓ ପୁରୀର କିଛି ଅଂଶକୁ ନେଇ ଓଡ୍ର ରାଜ୍ୟ ଗଠିତ ହୋଇଥିଲା।

ହୁଏନ୍‍ସାଂ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଓଡ୍ର ଅଞ୍ଚଳର ଲୋକଙ୍କର ବର୍ଣ୍ଣ ଶ୍ୟାମଳ,ଆକୃତି ଦୀର୍ଘ ଓ ସ୍ୱଭାବ ଉଗ୍ର ଥିଲା। ସେମାନଙ୍କ ଭାଷା ଓ ଭାବ ମଧ୍ୟ-ଭାରତରୁ ଭିନ୍ନ ଥିଲା। ରାଜ୍ୟରେ ମହାଯାନ ବୌଦ୍ଧଙ୍କର ପ୍ରଭାବ ରହିଥିଲା। ପ୍ରାୟ ଶହେଟି ବୌଦ୍ଧ ବିହାରରେ ଅନ୍ୟୂନ ଦଶ ହଜାର ବୌଦ୍ଧ ଭିକ୍ଷୁ ରହିଥିଲେ। ଅନେକ ମନ୍ଦିର ଏହି ରାଜ୍ୟରେ ରହିଥିବାର ହୁଏନ୍‍ସାଂ ଲେଖିଛନ୍ତି। ବିବରଣୀରେ ପୁଷ୍ପଗିରି (ପୁସି ପୋକିଲି)ର ଉଲ୍ଲେଖ ରହିଛି- ଯାହା ବୌଦ୍ଧବିହାର ଭାବରେ ଖୁବ୍‍ ପ୍ରସିଦ୍ଧି ଅର୍ଜନ କରିଥିଲା। ଏହା ବ୍ୟତୀତ ହୁଏନସାଂ ଓଡ୍ର ରାଜ୍ୟର ଦକ୍ଷିଣ-ପଶ୍ଚିମ ଉପକୂଳରେ 'ଚେଲିତାଲୋ' ନାମକ ଏକ ସହର ଥିବାର ବର୍ଣ୍ଣନା କରିଛନ୍ତି। ଏହା ସାମୁଦ୍ରିକ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ଥିଲା। ଐତିହାସିକମାନେ ଏହି ସହରକୁ 'ଶ୍ରୀକ୍ଷେତ୍ର' ପୁରୀ ସହ ଚିହ୍ନିତ କରନ୍ତି।

କଙ୍ଗୋଦକୁ 'କଙ୍ଗୟୋ ତୋ' ବୋଲି ଉଲ୍ଲେଖ କରି ହୁଏନ୍‍ସାଂ ଲେଖିଛନ୍ତି ଏହା ଏକ ପାର୍ବତ୍ୟ ରାଜ୍ୟ ଥିଲା। ଲୋକଙ୍କର ବର୍ଣ୍ଣ ଶ୍ୟାମଳ ଏବଂ ସ୍ୱଭାବ ପରାକ୍ରମୀ ଥିବାର ଉଲ୍ଲେଖ ରହିଛି। କଙ୍ଗୋଦର ଲୋକେ ବ୍ୟବହାର କରୁଥିବା ଲିପି ଓ ମଧ୍ୟ-ଭାରତର ଲିପି ମଧ୍ୟରେ ପାର୍ଥକ୍ୟ ନଥିଲେ ମଧ୍ୟ, ଶୈଳୀରେ ପାର୍ଥକ୍ୟ ରହିଥିଲା। ହୁଏନ୍‍ସାଂଙ୍କ ଅନୁଯାୟୀ କଙ୍ଗୋଦରେ ବୌଦ୍ଧଧର୍ମ ଅବକ୍ଷୟଗାମୀ ଥିଲା। ମାତ୍ର ରାଜ୍ୟରେ ଶତାଧିକ ହିନ୍ଦୁ ଦେବଦେବୀ ମନ୍ଦିର ରହିଥିଲା ଓ ପ୍ରାୟ ଦଶ ହଜାର ଜୈନ ସନ୍ୟାସୀ ରହିଥିଲେ। ବ୍ୟବସାୟୀମାନେ କଉଡ଼ିକୁ ବିିନିମୟର ମାଧ୍ୟମ ରୂପେ ବ୍ୟବହାର କରୁଥିଲେ। କଙ୍ଗୋଦରେ ଉଚ୍ଚକୋଟୀର ହସ୍ତୀ ରହିଥିଲେ - ଯାହାକୁ ବାହାର ରାଜ୍ୟଗୁଡ଼ିକ କଙ୍ଗୋଦରୁ ଆମଦାନୀ କରୁଥଲେ।

କି ଲିଙ୍ଗ କିଆ (କଳିଙ୍ଗ) ଭ୍ରମଣ କରି ହୁଏନ୍‍ସାଂ ଲେଖିଛନ୍ତି ଯେ କଙ୍ଗୋଦ ପରି କଳିଙ୍ଗ ରାଜ୍ୟର ରାଜାମାନେ ମଧ୍ୟ ଉଚ୍ଚକୋଟୀର ହସ୍ତୀ ରପ୍ତାନି କରୁଥିଲେ। ଲୋକଙ୍କର ଭାଷା ମଧ୍ୟଭାରତରେ ପ୍ରଚଳିତ ଭାଷାଠାରୁ ପୃଥକ ଥିଲା। ଶତାଧିକ ଦେବମନ୍ଦିର ସହିତ କଳିଙ୍ଗରେ ଅନେକ ବୌଦ୍ଧ ବିହାର ରହିଥିବା କଥା ବିବରଣୀରେ ଉଲ୍ଲେଖ ଅଛି।

କଳିଙ୍ଗରୁ ହୁଏନ୍‍ସାଂ କୋଶଳ ରାଜ୍ୟକୁ ଭ୍ରମଣ କରିଥିଲେ ବୋଲି ବିଶ୍ୱାସ କରାଯାଏ। କୋଶଳରେ ସେତେବେଳେ ଶରଭପୁରୀୟ ବଂଶ ଶାସନ କରୁଥିଲେ। ଆଧୁିନିକ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ରାୟପୁର ଓ ବିଳାସପୁର ଅଞ୍ଚଳ କୋଶଳର ଅନ୍ତର୍ଭୁକ୍ତ ଥିଲା। ମହାଯାନପନ୍ଥୀଙ୍କର ରାଜ୍ୟରେ ପ୍ରଭାବ ରହିଥିଲା। କୋଶଳରେ ଶତାଧିକ ବୌଦ୍ଧ ବିହାର ରହିଥିବା କଥା ହୁଏନ୍‍ସାଂ ଲେଖିଛନ୍ତିି। 'ପୋଲୋମଲୋକିଲି' (ପରିମଳଗିରି)ଠାରେ ଏକ ବୃହତ୍‍ ବୌଦ୍ଧ ବିହାର ରହିଥିବା କଥା ବିବରଣୀରେ କୁହାଯାଇଛି। ଆଧୁନିକ ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତାଞ୍ଚଳକୁ ପରିମଳ ଗିରି ବୋଲି ଐତିହାସିକମାନେ ଚିହ୍ନିତ କରନ୍ତି। ବୌଦ୍ଧ ବିହାର ବ୍ୟତୀତ ଅନେକ ସଂଖ୍ୟାରେ

୪୬ . ଓଡ଼ିଶା ଇତିହାସ