ପୃଷ୍ଠା:Odisha Itihasa.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଲା ଏବଂ ତହିଁରୁ ତୋଷାଳୀ ରାଜ୍ୟରେ ଦୀର୍ଘ କାଳ ଧରି ରାଜ୍ୟ ଶାସନ କରିଥିବା ଏହି ରାଜବଂଶ ବିଷୟ ଲୋକ ଲୋଚନକୁ ଆସିଲା। ଏପରିିକି ସମକାଳୀନ ମାଦଳାପାଞ୍ଜିରେ ମଧ୍ୟ ଭୌମମାନଙ୍କ ବିଷୟରେ କୌଣସି ସୂଚନା ନାହିଁ। ପଣ୍ତିତ ବିନାୟକ ମିଶ୍ର ନାମକ ଜଣେ ବିଦ୍ୱାନ ଭୌମ ତାମ୍ର ଶାସନଗୁଡ଼ିକୁ ସଂକଳିତ ଓ ବିଶ୍ଳେଷଣ କରି ପୁସ୍ତକ ଆକାରରେ (Orissa Under the Bhauma Kings) ପ୍ରକାଶ କଲା ପରେ ଏହି ରାଜବଂଶ ସଂପର୍କରେ ଇତିହାସ ଛାତ୍ରମାନଙ୍କ ବିଶେଷ ଦୃଷ୍ଟି ଆକର୍ଷିତ ହେଲା। ବିନାୟକ ମିଶ୍ରଙ୍କ ପୁସ୍ତକ ପ୍ରକାଶନ ପରେ ଏ ମଧ୍ୟରେ ଆହୁରି ଅନେକ ଐତିହାସିକ ତଥ୍ୟ ଓ ନିଦର୍ଶନ ପ୍ରାପ୍ତ ହୋଇଛି, ଯାହା ତତ୍‍କାଳୀନ ଓଡ଼ିଶାର ଚିତ୍ର ପ୍ରସ୍ତୁତିରେ ସହାୟକ ହୁଏ। ଭୌମ ପ୍ରଦତ୍ତ ତାମ୍ର ଶାସନଗୁଡ଼ିକରେ 'ଭୌମ ରାଜା' ବୋଲି ଉଲ୍ଲେଖ ରହିଥିବା ବେଳେ ଭୌମବଂଶୀୟ ରାଜାମାନଙ୍କ ନାମରେ ସର୍ବଦା 'କର' ପ୍ରତ୍ୟୟ ଯୋଡ଼ା ହୋଇଥାଏ। ଏହି କାରଣରୁ ଐତିହାସିକମାନେ ସେମାନଙ୍କୁ 'ଭୌମ-କର' ବା 'ଭୌମକର' ବଂଶ ବୋଲି ନାମିତ କରିଥାନ୍ତି। ବର୍ତ୍ତମାନ ଇତିହାସରେ 'ଭୌମକର' ନାମରେ ସେମାନେ ପରିଚିତ।

ଭୌମବଂଶର ଉତ୍ପତ୍ତି ସମ୍ବନ୍ଧରେ ମୁଖ୍ୟତଃ ଦୁଇଟି ମତ ଐତିହାସିକମାନେ ରଖିଥାନ୍ତି। ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ଭୌମମାନେ ଆସାମରୁ ଓଡ଼ିଶା ଆସିଥିଲେ। ଅଷ୍ଟମ ଶତାବ୍ଦୀରେ ଆସାମର ହର୍ଷବର୍ମନ ନାମକ ଜଣେ ରାଜା ଓଡ୍ର ଅଧିକାର କରିଥିଲେ ଏବଂ ବିଜିତ ଅଞ୍ଚଳର ପ୍ରଶାସନପାଇଁ ସାଙ୍ଗରେ ଆସିଥିବା ଭୌମମାନଙ୍କୁ ନିଯୁକ୍ତ କରିଥିଲେ। କାଳକ୍ରମେ ଭୌମମାନଙ୍କ ଉପରେ ହର୍ଷବର୍ମନଙ୍କର ନିୟନ୍ତ୍ରଣ ରହିଲା ନାହିଁ, ଯାହା ସେମାନଙ୍କୁ ସ୍ୱାଧୀନ ରାଜ୍ୟ ପ୍ରତିଷ୍ଠା କରିବାରେ ସହାୟକ ହେଲା। ନେପାଳର ପଶୁପତିନାଥ ମନ୍ଦିର ଅଭିଲେଖରେ ହର୍ଷବର୍ମନଙ୍କ କନ୍ୟାଙ୍କୁ ଭବଦତ୍ତ ବଂଶଜା କୁହାଯାଇଛି। ସେହିଭଳି ଭୌମରାଜ ଚତୁର୍ଥ ଶୁଭଙ୍କର ଦେବ ପ୍ରଦତ୍ତ ତାଳଚେର ତାମ୍ରଶାସନରେ ଭୌମରାଜା ଭବଦତ୍ତ ବଂଶର ବୋଲି ଉଲ୍ଲେଖ ରହିଛି। ଏହି ଆଧାରରେ ହର୍ଷବର୍ମନ ଓ ଭୌମମାନେ ଗୋଟିଏ ବଂଶର ବୋଲି ମନେ କରାଯାଏ।

ଅନ୍ୟ ମତ ଅନୁସାରେ, ଭୌମମାନେ ହେଲେ ଓଡ଼ିଶାର ଭୂୟାଁ ଆଦିବାସୀ ସଂପ୍ରଦାୟର। ତୋଷାଳୀରେ ରାଜ୍ୟ ସ୍ଥାପନ କଲା ପରେ ସେମାନେ ନିଜକୁ ଉଚ୍ଚବଂଶଜ ବୋଲି ପ୍ରତିଷ୍ଠା ଦେବାକୁ 'ଭୌମ' ଭାବରେ ନାମିତ କରିଥିଲେ। ଆଦିବାସୀ ସଂପ୍ରଦାୟରେ ନାରୀକୁ ପୁରୁଷ ପରି ଅଧିକାର ମିଳିଥାଏ। ସେହି କାରଣରୁ ଭୌମରାଣୀମାନଙ୍କୁ ମଧ୍ୟ ସିଂହାସନ ଆରୋହଣ କରିବାକୁ ଅବସର ମିଳିଥିଲା। ସେମାନେ 'ପରମ ଭଟ୍ଟାରକ', 'ପରମେଶ୍ୱର' ଓ 'ମହାରାଜାଧିରାଜ' ଆଦି ଉପାଧି ଗ୍ରହଣ କରି ନିଜ ବଂଶକୁ ପ୍ରତିଷ୍ଠା ଦେବାକୁ ପ୍ରୟାସ କରିଥିଲେ।

ଭୌମ ରାଜତ୍ୱ କାଳରେ ଯେଉଁ ତାମ୍ରଶାସନମାନ ଆବିଷ୍କୃତ ହୋଇଛି, ତାହାକୁ ଆଧାର କରି ଐତିହାସିକମାନେ କ୍ରମ ଅନୁଯାୟୀ ଭୌମବଂଶାବଳୀ ସ୍ଥିର କରିଛନ୍ତି। ଏହା ନିମ୍ନରେ ପ୍ରଦାନ କରାଗଲା।

ଓଡ଼ିଶା ଇତିହାସ . ୪୯