ପୃଷ୍ଠା:Odisha Itihasa.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରାକ୍‌କଥନ

ଏମିତିରେ ଏହି ପୁସ୍ତକକୁ ଓଡ଼ିଶାର ସଂପୂର୍ଣ୍ଣ ଇତିହାସ ବୋଲି କହିବା ଅସମୀଚୀନ ହେବ । ଇତିହାସର ବିଷୟବସ୍ତୁ ଆଜି ଖୁବ୍ ବ୍ୟାପକ । ରାଜନୀତି ବାହାରେ ସମାଜ, ଅର୍ଥନୀତି, ସଂସ୍କୃତି, ବିଜ୍ଞାନ, ଗଣିତ, ଭୂଗୋଳ, ରସାୟନ ଆଦି ସବୁ କିଛି ଇତିହାସର ବିଷୟବସ୍ତୁ । ପୁଣି, ମଣିଷ ବ୍ୟତୀତ ଗଛଲତା, ପଶୁପକ୍ଷୀ, ନଦୀନାଳ ବି ଇତିହାସର ପ୍ରସଙ୍ଗ । ସମସ୍ତଙ୍କୁ ନେଇ ଏହି ବିଶ୍ୱ, ଏହି ସମାଜ । ସଭିଙ୍କର ଅତୀତ ଅଛି ଏବଂ ସେହି ଅତୀତର ମୋଟ ଅଧ୍ୟୟନ ହେବ ଇତିହାସ । ଦ୍ୱିତୀୟ କଥା, ସଭିଙ୍କ ମଧ୍ୟରେ ଏକ ପାରସ୍ପରିକ ସଂପର୍କ ଅଛି । ସଂସ୍କୃତି ଓ ଅର୍ଥନୀତି ମଧ୍ୟରେ ଯେମିତି ସଂପର୍କ, ମଣିଷ ଓ ଗଛଲତା ମଧ୍ୟରେ ବି ସେମିତି ସଂପର୍କ । ଏତେ ବ୍ୟାପକ ପରିଧିର ଇତିହାସଟିଏ ରଚନାପାଇଁ ଦୃଷ୍ଟି ରହିବା କଥା, ଯଦିଓ ତା'ର ସୃଷ୍ଟି କଷ୍ଟକର ! ଏହା ଆପୋସ ସମ୍ବନ୍ଧକୁ ଦର୍ଶାଏ; ପରିପୂରକତାକୁ ସୁସ୍ପଷ୍ଟ କରେ । ଏହି ଦୃଷ୍ଟିରୁ ଦେଖିଲେ ଜଣାଯିବ ଯେ ଏ ପର୍ଯ୍ୟନ୍ତ ଯେଉଁଠି ଇତିହାସ ଲେଖା ଯାଇଛି, ସେସବୁ ମନୋନୀତ ପ୍ରସଙ୍ଗ କେତୋଟିର ସମଷ୍ଟି ମାତ୍ର । ଏ ସବୁ ସତ୍ତ୍ୱେ ଓଡ଼ିଶାର ଇତିହାସ କଥା ପଡ଼ିଲେ ଆଖିଦୃଶିଆ ପ୍ରସଙ୍ଗଗୁଡ଼ିକୁ ବାଦ୍ ଦିଆଯାଇ ନପାରେ । ସାଧାରଣ ଛାତ୍ର, ଶିକ୍ଷକ ଓ ପାଠକ ମନରେ ଓଡ଼ିଶାର ଇତିହାସ ପଢ଼ିବା ଆଗରୁ କେତୋଟି ସ୍ୱାଭାବିକ ପ୍ରଶ୍ନ ଥାଏ । ଗହନକୁ ଯାଇ ନପାରିଲେ ସୁଦ୍ଧା ଅନ୍ତତଃ ସେହି କେତୋଟି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ତ ପୁସ୍ତକଟି ଉପଯୋଗୀ ହେବା କଥା ।

ଇତିହାସ ଲେଖନ ଏକ ପ୍ରକ୍ରିୟା । କେବେ ତାହା ଶେଷ ହେବାର ନୁହେଁ । ପାଠକ ମନରେ ଅତୀତକୁ ନେଇ ଯେତେଦିନ ପର୍ଯ୍ୟନ୍ତ ନୂଆ ନୂଆ ପ୍ରଶ୍ନ ଆସୁଥିବ ସେତେଦିନ ପର୍ଯ୍ୟନ୍ତ ଅତୀତକୁ ପୁନର୍ନିରୀକ୍ଷଣ କରିବାର ଆବଶ୍ୟକତା ପଡ଼ୁଥିବ । ନୂଆକରି ଇତିହାସ ଲେଖା ହେଉଥିବ । ଅତୀତରେ ଅନେକ ଓଡ଼ିଶା ଇତିହାସ ଲେଖାଯାଇଛି । ଭବିଷ୍ୟତରେ ବି ଅନେକ ଲେଖାହେବ । ଏହି ପୁସ୍ତକଟି ସେହି ବିସ୍ତୃତ ପ୍ରକ୍ରିୟା ମଧ୍ୟରୁ ଅନ୍ୟତମ । ଏହାର ମହତ୍ତ୍ୱ ଓଡ଼ିଶା ସମ୍ବନ୍ଧରେ ଲିଖିତ ଅନ୍ୟ ଇତିହାସ ପୁସ୍ତକ ତୁଳନାରେ ନା କମ୍, ନା ବେଶି । ଏହି ପୁସ୍ତକ ପାଠ କଲା ପରେ ଯଦି ଛାତ୍ର, ଶିକ୍ଷକ ଓ ସାଧାରଣ ପାଠକ ଓଡ଼ିଶା ଇତିହାସ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ଏବଂ ଭବିଷ୍ୟତର ଇତିହାସ ଗବେଷକଙ୍କ ପାଇଁ ଏହା ଯଦି କିଛି ଆଧାର ଯୋଗାଏ, ତେବେ ଆମର ଶ୍ରମ ସାର୍ଥକ ହେବ ।