ପୃଷ୍ଠା:Odisha Itihasa.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭଞ୍ଜବଂଶଶାସିତ ଖିଞ୍ଜଳି ମଣ୍ତଳ

ଖିଞ୍ଜଳି ମଣ୍ତଳକୁ ଆଧୁିନିକ ବୌଦ୍ଧ, ସୋନପୁର ଏବଂ ଫୁଲବାଣୀ ଅଞ୍ଚଳ ସହିତ ସାଧାରଣତଃ ଚିହ୍ନିତ କରାଯାଏ। ଧୃତିପୁର (ଆଧୁନିକ ବୌଦ୍ଧ ସହର) ଥିଲା ଏହି ମଣ୍ତଳର ରାଜଧାନୀ।

ଭଞ୍ଜ ତାମ୍ରଶାସନରୁ ଜଣାଯାଏ ଯେ ଶୀଳଭଞ୍ଜଙ୍କୁ ପ୍ରଥମ ଭଞ୍ଜ ରାଜା ବୋଲି ଗଣାଗଲେ ମଧ୍ୟ ତାଙ୍କ ପୂର୍ବରୁ ସେହି ମଣ୍ତଳରେ ଅନେକ ଭଞ୍ଜ ରାଜା ଶାସନ କରି ସାରିଥିଲେ। ସମ୍ଭବତଃ ବଂଶର ପ୍ରାଚୀନତା ସାବ୍ୟସ୍ତ କରିବାପାଇଁ ଏପରି ଦାବି କରାଯାଇଛି। ପୁଣି ଏକ କିମ୍ବଦନ୍ତୀରେ ଭଞ୍ଜମାନେ ମୟୂରୀ ଅଣ୍ତାରୁ ଜାତ ବୋଲି କୁହାଯାଇଛି। ଏଥିରୁ ଅନୁମିତ ହୁଏ ଯେ ଖିଞ୍ଜଳିର ଭଞ୍ଜମାନେ ଆଦିବାସୀ ସଂପ୍ରଦାୟର ଥିଲେ ଏବଂ ତାଙ୍କ ରାଜତ୍ୱକୁ ସର୍ବମାନ୍ୟ କରିବାଲାଗି ବଂଶର ପ୍ରାଚୀନତା ଉପରେ ଜୋର ଦେଉଥିଲେ। ଭଞ୍ଜମାନେ ବିଷ୍ଣୁ ଓ ଶିବ ଉପାସକ ଥିଲେ। ସେମାନେ ଉପକୂଳ ଅଞ୍ଚଳରୁ ବ୍ରାହ୍ମଣମାନଙ୍କୁ ଅଣାଇ ନିଜ ରାଜ୍ୟରେ ରଖାଇ ଥିଲେ। ଏଥିପାଇଁ ବ୍ରାହ୍ମଣମାନଙ୍କୁ ଭୂମିଦାନ ମଧ୍ୟ କରିଥିଲେ। ଏହା ଫଳରେ ଆଦିବାସୀ ଅଧ୍ୟୁଷିତ ପାର୍ବତ୍ୟ ଅଞ୍ଚଳରେ ବ୍ରାହ୍ମଣ୍ୟ ଧର୍ମର ଆଶୁ ପ୍ରସାର ହେଲା। ଯଦିଓ ଖିଞ୍ଜଳିର ଭଞ୍ଜମାନେ ଭୌମକରଙ୍କ ସାମନ୍ତ ରାଜା ଥିଲେ, ସୋମବଂଶୀ ରାଜା ଜନ୍ମେଜୟଙ୍କ ଖିଞ୍ଜଳି ଆକ୍ରମଣ ସମୟରେ ସେମାନେ ଭୌମ ସାହାଯ୍ୟ ପାଇନଥିଲେ। ସୋମବଂଶୀମାନେ ଯୁଦ୍ଧରେ ବିଜୟ ହାସଲ କଲେ, ଭଞ୍ଜରାଜା ରଣ ଭଞ୍ଜଙ୍କୁ ହତ୍ୟା କଲେ ଏବଂ ଖିଞ୍ଜଳି ଅଧିକାର କରିନେଲେ। ଏହା ପରେ ଭଞ୍ଜମାନେ ଗଞ୍ଜାମର ଘୁମୁସର ଅଞ୍ଚଳକୁ ଚାଲିଯାଇ ସେଠାରେ ଏକ ନୂତନ ରାଜ୍ୟ ପ୍ରତିଷ୍ଠା କଲେ। ଶୀଳ ଭଞ୍ଜଙ୍କ ପରେ କ୍ରମାନ୍ୱୟରେ ଖିଞ୍ଜଳି ମଣ୍ତଳରେ ରାଜତ୍ୱ କରିଥିବା ଅନ୍ୟ ଭଞ୍ଜମାନେ ହେଲେ: ଶତ୍ରୁ ଭଞ୍ଜ, ରଣ ଭଞ୍ଜ, ନେତ୍ତ ଭଞ୍ଜ, ପ୍ରଥମ ଦିଗ ଭଞ୍ଜ, ଦ୍ୱିତୀୟ ଶୀଳ ଭଞ୍ଜ, ବିଦ୍ୟାଧର ଭଞ୍ଜ ଓ ଶେଷ ଭଞ୍ଜ ରାଜା ଦ୍ୱିତୀୟ ନେତ୍ତ ଭଞ୍ଜ। ଦଶମ ଶତାବ୍ଦୀର ଆଦ୍ୟ ଭାଗ (ଖ୍ରୀଷ୍ଟାବ୍ଦ ୯୩୪) ପର୍ଯ୍ୟନ୍ତ ଭଞ୍ଜରାଜବଂଶ ରହିଥିଲା ବୋଲି ଅନୁମାନ କରାଯାଏ।

ଭଞ୍ଜବଂଶଶାସିତ ଖିଜ୍ଜିଙ୍ଗ୍ ମଣ୍ତଳ

ଦଶମ ଓ ଏକାଦଶ ଶତାବ୍ଦୀରେ ଭଞ୍ଜବଂଶର ଅନ୍ୟ ଏକ ଶାଖା ଉତ୍ତର ଓଡ଼ିଶାର ଖିଜ୍ଜିଙ୍ଗ୍ ମଣ୍ତଳରେ ଶାସନ କରୁଥିଲେ। ଖିଜ୍ଜିଙ୍ଗ୍ ମଣ୍ତଳ ରାଜ୍ୟ ଆଧୁନିକ ମୟୂରଭଞ୍ଜ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା। ଏହାର ରାଜଧାନୀ ଥିଲା ଖିଜ୍ଜିଙ୍ଗ୍‌କୋଟ ଯାହାକୁ ଆଧୁନିକ ଖିଚିଙ୍ଗ୍ ବୋଲି ଚିହ୍ନିତ କରାଯାଇଛି। ଖିଞ୍ଜଳି ମଣ୍ତଳର ଭଞ୍ଜବଂଶ ପରି ଖିଜ୍ଜିଙ୍ଗ ମଣ୍ତଳର ଭଞ୍ଜରାଜାମାନେ ମୟୂରୀ ଅଣ୍ତାରୁ ଜାତ ବୋଲି କିମ୍ବଦନ୍ତୀ ସୃଷ୍ଟି ହୋଇଛି। ଏଥିରୁ ଅନୁମିତ ହୁଏ ଯେ, ଉଭୟ ଭଞ୍ଜବଂଶ ଆଦିବାସୀ ସଂପ୍ରଦାୟର ଥିଲେ ଏବଂ ଅତୀତରେ ସେମାନେ ଗୋଟିଏ ବଂଶ ଥିଲେ।

ଓଡ଼ିଶା ଇତିହାସ . ୫୫