ପୃଷ୍ଠା:Odisha Itihasa.pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିମ୍ବଦନ୍ତୀ ଅନୁଯାୟୀ ଖିଞ୍ଜିଙ୍ଗ୍‍ମଣ୍ତଳର ପ୍ରତିଷ୍ଠାତା ବୀରଭଦ୍ର ଭଞ୍ଜ ମୟୂରୀ ଅଣ୍ତାରୁ ଉତ୍ପତ୍ତି ଲାଭ କରିବା ପରେ ବଶିଷ୍ଠ ଋଷିଙ୍କଦ୍ୱାରା ପାଳିତ ହୋଇଥିଲେ । ଏହା ଖିଜ୍ଜିିଙ୍ଗ୍‍ ଭଞ୍ଜବଂଶକୁ ଆର୍ଯ୍ୟ ବା ବ୍ରାହ୍ମଣ୍ୟ ଧର୍ମ ଓ ସଂସ୍କୃତି ସହିତ ସଂଯୋଜିତ କରେ । ଖିଜ୍ଜିଙ୍ଗ୍‍ ମଣ୍ତଳର ତାମ୍ରଶାସନମାନଙ୍କରୁ ଯେଉଁ ଭଞ୍ଜବଂଶାବଳୀ ଐତିହାସିକମାନେ ସ୍ଥାନିତ କରନ୍ତି, ତହିଁରେ କୋଟ୍ଟ ଭଞ୍ଜ ପ୍ରଥମ ଐତିହାସିକ ଚରିତ୍ର । ତାଙ୍କୁ ସୋନପୁର-ବୌଦ୍ଧ ଅଞ୍ଚଳରେ ସ୍ଥାପିତ ଖିଞ୍ଜଳି ଭଞ୍ଜବଂଶ ଓ ମୟୂରଭଞ୍ଜ-କେନ୍ଦୁଝର ଅଞ୍ଚଳରେ ସ୍ଥାପିତ ଖିଜ୍ଜିଙ୍ଗ୍‍ ଭଞ୍ଜବଂଶ ମଧ୍ୟରେ ଯୋଗସୂତ୍ର ଭାବରେ ଦେଖାଯାଏ । ସମ୍ଭବତଃ ନବମ ଶତାବ୍ଦୀର ଶେଷ ଭାଗରେ ସେ ଖିଞ୍ଜଳି ମଣ୍ତଳରୁ ଯାଇ ଖିଜ୍ଜିଙ୍ଗ୍‍ ମଣ୍ତଳ ସ୍ଥାପନ କରିଥିଲେ ।

ଖିଜ୍ଜିଙ୍ଗ୍‍ ଭଞ୍ଜବଂଶ ଶିବଭକ୍ତ ଥିଲେ । ସେମାନେ ବ୍ରାହ୍ମଣମାନଙ୍କୁ ଉଦାର ଭାବରେ ଭୂମିଦାନ କରି ମହତ୍ତ୍ୱପୂର୍ଣ୍ଣ ପଦପଦବୀରେ ନିଯୁକ୍ତ କରିଥିଲେ । ଫଳରେ, ସେମାନଙ୍କ ରାଜତ୍ୱ କାଳରେ ଖିଜ୍ଜିଙ୍ଗ୍‍ ମଣ୍ତଳରେ ଆର୍ଯ୍ୟ ଓ ବ୍ରାହ୍ମଣ ସଂସ୍କୃତିର ଦ୍ରୁତ ପ୍ରସାର ଘଟିଥିଲା । ରାଜ୍ୟରେ ବୌଦ୍ଧ ଓ ଜୈନ ଉପାସନାକୁ ମଧ୍ୟ ସେମାନେ ପ୍ରୋତ୍ସାହନ ଦେଇଥିବାର ଅନେକ ପ୍ରମାଣ ରହିଛି । ରାଜଧାନୀ ଖିଚିଙ୍ଗ୍‍ର ମୁଖ୍ୟ ମନ୍ଦିରର ଅନତି ଦୂରରେ ୧୯୩୮ରେ ଆବିଷ୍କୃତ ହୋଇଥିବା ବୌଦ୍ଧସ୍ତୂପ ସେମାନଙ୍କ ସମୟର ବୋଲି ଜଣାଯାଏ । ଏହାଛଡ଼ା ଖିଚିଙ୍ଗ୍‍ ସଂଗ୍ରହାଳୟରେ ରହିଥିବା ଜୈନ ତୀର୍ଥଙ୍କର ମୂର୍ତ୍ତିି ମଧ୍ୟ ସେହି ସମୟର ବୋଲି ମନେହୁଏ ।

ଖିଜ୍ଜିଙ୍ଗ୍‍ ମଣ୍ତଳରେ ପ୍ରଦତ୍ତ ତାମ୍ର ଶାସନରେ ଭୌମ ଅବ୍ଦର ବ୍ୟବହାର ରହିଛି । ଏଥିରୁ ମନେ ହୁଏ ଯେ ଖିଜ୍ଜିଙ୍ଗ୍‍ ଭଞ୍ଜବଂଶ ତତ୍‍କାଳୀନ ଶକ୍ତିଶାଳୀ ଭୌମ ରାଜ୍ୟର ସାମନ୍ତ ଥିଲେ, ଯଦିଓ ମଣ୍ତଳର ଆଭ୍ୟନ୍ତରୀଣ ପ୍ରଶାସନ ଉପରେ ଭୌମମାନଙ୍କର କୌଣସି ନିୟନ୍ତ୍ରଣ ନଥିଲା । ଭୌମରାଣୀ ବକୁଳ ମହାଦେବୀ ଖିଜ୍ଜିଙ୍ଗ ମଣ୍ତଳର ରାଜା ପ୍ରଥମ ରଣ ଭଞ୍ଜଙ୍କ ଭଉଣୀ ଥିବାର ଅନୁମାନ କରାଯାଏ । ପ୍ରଥମ ରଣ ଭଞ୍ଜଙ୍କ ଉତ୍ତରାଧିକାରୀ ପୃଥ୍ୱୀ ଭଞ୍ଜ 'ମହାମଣ୍ତଳାଧିପତି' ଓ 'ମହାରାଜାଧିରାଜ' ଉପାଧି ଗ୍ରହଣ କରିଥିଲେ । ଏଥିରୁ ବୁଝାଯାଏ ଯେ, ତାଙ୍କ ସମୟରେ ଖିଜ୍ଜିଙ୍ଗ ଭଞ୍ଜମାନଙ୍କର ପ୍ରଭାବ ବୃଦ୍ଧି ପାଇଥିଲା । ସେ ୨୦୦ ଭୌମାବ୍ଦ ବା ୯୩୬ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ୧୯୪୯ରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ସମ୍ମିଶ୍ରଣ ହେବା ପର୍ଯ୍ୟନ୍ତ ଯେଉଁ ଭଞ୍ଜବଂଶ ସେଠାରେ ରାଜତ୍ୱ କରିଥିଲେ ସେମାନେ ଖିଜ୍ଜିଙ୍ଗ୍‍ ଭଞ୍ଜଙ୍କର ଉତ୍ତରପୁରୁଷ ଥିଲେ ବୋଲି ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି ।

ଐତିହାସିକ ଆର.ସି. ମଜୁମଦାର ଦୀର୍ଘ ଗବେଷଣା ପରେ ଖିଜ୍ଜିଙ୍ଗ ଭଞ୍ଜବଂଶର ଯେଉଁ ବଂଶାବଳୀ ପ୍ରସ୍ତୁତ କରିଛନ୍ତି, ତାହା ନିମ୍ନରେ ଦିଆଗଲା ।୫୬ . ଓଡ଼ିଶ ଇତିହାସ