ପୃଷ୍ଠା:Odisha Itihasa.pdf/୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋଦାଳକ ମଣ୍ଡଳ ଭୌମରାଜ୍ୟର ସାମନ୍ତ ରାଜ୍ୟ ଥିଲା, ଯଦିଓ ମଣ୍ଡଳର ଆଭ୍ୟନ୍ତରୀଣ ପ୍ରଶାସନରେ ଶୁଳ୍କି ରାଜାମାନଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱ ରହିଥିଲା। ଶୁଳ୍କିମାନେ ଭୌମାବ୍ଦର ବ୍ୟବହାର କରୁିଲେ ଏବଂ ନିଜକୁ 'ମହାସାମନ୍ତାଧିପତି',;ପଞ୍ଚମହାଶବ୍ଦ' ଓ;ପରମଭଟ୍ଟାରକ' ଆଦି ଉପାଧିରେ ଭୂଷିତ କରିଥିଲେ। ସେମାନଙ୍କ ସମୟରେ ଅରଣ୍ୟ ପରିପୂର୍ଣ୍ଣ ଢେଙ୍କାନାଳ ଅଞ୍ଚଳରେ କୃଷିକାର୍ଯ୍ୟ, ଜନବସତି ଓ ଗମନାଗମନର ପ୍ରସାର ନିମିତ୍ତ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲା। ଐତିହାସିକ ଦୀନେଶ ଚନ୍ଦ୍ର ମଜୁମଦାରଙ୍କ ମତରେ ଶୁଳ୍କିମାନେ ଶୁକ୍ଲାମ୍ବର ଜୈନ ସମ୍ପ୍ରଦାୟର ଥିଲେ। ମାତ୍ର ନବମ ଶତାବ୍ଦୀରେ କୋଦାଳକ ମଣ୍ଡଳ ନାମରେ ଆଞ୍ଚଳିକ ରାଜ୍ୟ ସ୍ଥାପନ କରିବା ପରେ ସେମାନେ ଶାକ୍ତ ଉପାସକ ଥିବାର ଏବଂ 'ଭଗବତୀ ସ୍ତମ୍ଭେଶ୍ୱରୀ ଭଟ୍ଟାରିକା' ନାମରେ ସ୍ଥାନୀୟ ଦେବତୀ ପ୍ରତିଷ୍ଠା କରିିଥିବାର ଜଣାଯାଏ। ରଣସ୍ତମ୍ଭ ଶୁଳ୍କିବଂଶର ଜଣେ ପରାକ୍ରମୀ ରାଜା ଥିଲେ।

ପଣ୍ଡିତ ବିନାୟକ ମିଶ୍ର ପ୍ରସ୍ତୁତ କରିଥିବା ଶୁଳ୍କି ରାଜବଂଶାବଳୀ ନିମ୍ନରେ ଦିଆଗଲା।

ଶୁଳ୍କି ରାଜବଂଶାବଳୀ

କାଞ୍ଚନସ୍ତମ୍ଭ

କଳହସ୍ତମ୍ଭ

ରଣସ୍ତମ୍ଭ

ଜୟସ୍ତମ୍ଭ

କୁଳସ୍ତମ୍ଭ

ତୁଙ୍ଗବଂଶଶାସିତ ଯମଗର୍ତ ମଣ୍ଡଳ

ନବମ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଆଧୁନିକ ଅନୁଗୁଳ ଜିଲ୍ଲାର ଉତ୍ତରାଂଶରେ ଯମଗର୍ତ ମଣ୍ଡଳ ନାମରେ ଏକ କ୍ଷୁଦ୍ର ରାଜ୍ୟ ରହିଥିଲା। ତୁଙ୍ଗବଂଶୀ ରାଜାମାନେ ସେଠାରେ ରାଜତ୍ୱ କରୁଥିଲେ। ମଣ୍ଡଳର ରାଜଧାନୀ ଥିଲା ଯମଗର୍ତ, ଯାହାକୁ ପାଲଲହଡ଼ା ନିକଟସ୍ଥ ଯାମରା ସହିତ ଚିହ୍ନିତ କରାଯାଏ। ମିଳିଥିବା ତାମ୍ରଶାସନରୁ ଜଣାଯାଏ ଯେ ତୁଙ୍ଗମାନେ ବିହାରର ରୋହିତଗିରିରୁ (ରୋହତାସଗଡ଼) ଆସିଥିଲେ ଏବଂ ଭୌମମାନଙ୍କର ସାମନ୍ତ ରାଜା ରୂପେ ଯମଗର୍ତ ମଣ୍ଡଳରେ ଶାସନ କରିଥିଲେ। ଏହାର ବଂଶାବଳୀ ପଣ୍ଡିତ ବିନାୟକ ମିଶ୍ର ପ୍ରସ୍ତୁତ କରିଛନ୍ତି, ଯାହା ନିମ୍ନରେ ଦିଆଗଲା।୫୮. ଓଡ଼ିଶା ଇତିହାସ