ପୃଷ୍ଠା:Odisha Itihasa.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇତିହାସ ପଠନ-ପାଠନ ବେଳେ କେତୋଟି ସ୍ୱାଭାବିକ ପ୍ରଶ୍ନ ମନରେ ଥାଏ: "କିଏ',"କେଉଁଠି' ଓ "କେବେ' ଏବଂ ତା' ସହିତ "କାହିଁକି' ଓ "କେମିତି' । ଏହି ପ୍ରଶ୍ନଗୁଡ଼ିକ ନ ପଚାରିଲେ ଅତୀତର ଜଟିଳତା ବୋଧଗମ୍ୟ ହୁଏ ନାହିଁ । ଇତିହାସ ବୋଧଗମ୍ୟ ହେଲେ ଘୋଷାପାଠ ହୋଇ ରହେନା, ଆମୋଦଦାୟୀ ହୁଏ ।

ଇତିହାସ ହେଲା ଅତୀତର ଏକ ବସ୍ତୁନିଷ୍ଠ ଆଲୋଚନା । ଏହା ବର୍ତ୍ତମାନକୁ ବୁଝିବାରେ ତଥା ତାକୁ ଆଧାର କରି ଭବିଷ୍ୟତ ପାଇଁ ବିକଳ୍ପ ଖୋଜିବାରେ ସାହାଯ୍ୟ କରେ । ଇତିହାସ ଆଲୋଚନା ବେଳେ ଐତିହାସିକ ଯଦି ବିଚାରକ ଭଳି ଅଯଥା ଭାବପ୍ରବଣତାରୁ ଊର୍ଦ୍ଧ୍ୱରେ ନ ରହନ୍ତି, ଅନାସକ୍ତ ନ ହୁଅନ୍ତି, ଇତିହାସ ବସ୍ତୁନିଷ୍ଠ ହୋଇ ପାରେନା । ବୃଥା ଆସ୍ଫାଳନ ଇତିହାସର ପାଠକୁ ମୁତଫରକା କରିଦିଏ । ଅତୀତକୁ ନେଇ ଲଜ୍ଜିତ ହେବା ଅଯୌକ୍ତିକ ନିଶ୍ଚୟ । ଠିକ୍ ସେମିତି ଅତୀତର କେବଳ ରୋମନ୍ଥନ କରି କିମ୍ବା ବାହାସ୍ଫୋଟ ମାରି ଇତିହାସ ମାଧ୍ୟମରେ କଦାଚିତ୍ ଜାତି ପରିଚୟ ଖୋଜା ଯାଇ ପାରେନା । ସତ୍ୟାନ୍ୱେଷୀ ହେବା ଇତିହାସପାଇଁ ଏକ ବଡ଼ ଆବଶ୍ୟକତା । ଦ୍ୱିତୀୟତଃ, ଆଞ୍ଚଳିକ ଇତିହାସ କୌଣସି କାଳେ ରାଷ୍ଟ୍ର ବା ବିଶ୍ୱ ଇତିହାସର ପ୍ରତିଯୋଗୀ ହୋଇପାରେନା । ଆଞ୍ଚଳିକ ଇତିହାସର ଖୁବ୍ ଆବଶ୍ୟକତା ରହିଛି । ମାତ୍ର ତାକୁ ରାଷ୍ଟ୍ର ଓ ବିଶ୍ୱ ଇତିହାସର ପରିପ୍ରେକ୍ଷୀରେ ଦେଖିବାକୁ ପଡ଼ିବ । ଅନ୍ୟଥା ଆଞ୍ଚଳିକ ଇତିହାସ ଆମୋଦଦାୟୀ ଓ ସୁଖପାଠ୍ୟ ହୋଇ ପାରିବ ନାହିଁ କି ବିଶ୍ୱଦୃଷ୍ଟି ଦେଇ ପାରିବ ନାହିଁ । ଅନ୍ୟ ଶବ୍ଦରେ କହିଲେ, ବିଶ୍ୱ, ରାଷ୍ଟ୍ର ଓ ଅଞ୍ଚଳ ମଧ୍ୟରେ ରହିଥିବା ପରିପୂରକତାକୁ ଉପେକ୍ଷା କରି କେବେ ଆଞ୍ଚଳିକ ଇତିହାସର ଘଟଣାବଳୀକୁ ପର୍ଯ୍ୟାଲୋଚନା କରାଯାଇ ନ ପାରେ । 'ଓଡ଼ିଶା ଇତିହାସ' ସେହି ପରିପୂରକତାକୁ ଚିହ୍ନିବା ଓ ଚିହ୍ନେଇବା ଦିଗରେ ଯତ୍କିଞ୍ଚିତ୍ ଉପଯୋଗୀ ହେବ ବୋଲି ଆମର ଆଶା । ପୁସ୍ତକରେ ବ୍ୟାବହାରିକ ଭାଷାର ପ୍ରୟୋଗ ରହିଛି । ବର୍ତ୍ତମାନ ସମୟରେ ଐତିହାସିକମାନେ ଖ୍ରୀଷ୍ଟାବ୍ଦ ସ୍ଥାନରେ ସାଧାରଣାବ୍ଦ (Common Era ବା CE) ଓ ଖ୍ରୀଷ୍ଟପୂର୍ବ ସ୍ଥାନରେ ପ୍ରାକ୍-ସାଧାରଣାବ୍ଦ (Before Common Era ବା BCE)ର ବ୍ୟବହାର କରୁଛନ୍ତି । କିନ୍ତୁ ବୋଧଗମ୍ୟତା ଦୃଷ୍ଟିରୁ ଏଠାରେ ଖ୍ରୀଷ୍ଟାବ୍ଦ ଓ ଖ୍ରୀଷ୍ଟପୂର୍ବର ବ୍ୟବହାରକୁ ଆମେ ଏଡ଼ାଇ ପାରିନାହୁଁ ।

ପୁସ୍ତକଟିର ପ୍ରସ୍ତୁତି ଓ ପ୍ରକାଶନ ମୂଳରେ "ଆମ ଓଡ଼ିଶା'ର ଅଧ୍ୟକ୍ଷ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅକୁଣ୍ଠ ପ୍ରେରଣା ଭୁଲିବାର ନୁହେଁ । ସେ ପାଦଟିଏ ପଛକୁ ଘୁଞ୍ଚିଯାଇଥିଲେ ଏହା ଆଗକୁ ବଢ଼ିପାରିନଥାନ୍ତା । "ଓଡ଼ିଶା ଇତିହାସ'ର ପ୍ରକାଶନ ମୂଳରେ ତାଙ୍କର ସାମାଜିକ ପ୍ରତିବଦ୍ଧତା ସ୍ପଷ୍ଟରୂପେ ଦେଖି ହୁଏ । ବନ୍ଧୁ ଗୌରହରି ଦାସ, ଦାଶ ବେନହୁର, ଯଶୋବନ୍ତ ନାରାୟଣ ଧର ଓ ସିଦ୍ଧାର୍ଥ ମହାପାତ୍ରଙ୍କ ସହଯୋଗ ବି ଭୁଲିବାର ନୁହେଁ । ଏହି ପୁସ୍ତକ ପ୍ରସ୍ତୁତିରେ "ଆମ ଓଡ଼ିଶା'ର ସଂପାଦକ (ପ୍ରକାଶନ) ଅସିତ ମହାନ୍ତିଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଛି । ଶ୍ରୀ ପଟ୍ଟନାୟକଙ୍କ ସମେତସଂପୃକ୍ତ ସମସ୍ତଙ୍କୁ ଏବଂ "ଆମ ଓଡ଼ିଶା'ର ସମସ୍ତ ସହଯୋଗୀଙ୍କୁ ମଧ୍ୟ ମୁଁ ଏହି ଅବସରରେ ବିଶେଷ ଧନ୍ୟବାଦ ଜଣାଉଛି ।

--ପ୍ରୀତୀଶ ଆଚାର୍ଯ୍ୟ