ପୃଷ୍ଠା:Odisha Itihasa.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏବଂ ସାମାଜିକ ଦୃଷ୍ଟିରୁ ଶରଭପୁରୀୟ ରାଜ ପରିବାର ସ୍ତରକୁ ଉନ୍ନୀତ ହେଲେ। କୁହାଯାଏ, ଶରଭପୁରୀୟ ବଂଶରେ ପୁତ୍ର ସନ୍ତାନ ନହେବାରୁ ପାଣ୍ଡୁବଂଶୀ ତିବରଦେବଙ୍କୁ ଶରଭପୁରୀୟ ରାଜସିଂହାସନ ପ୍ରାପ୍ତ ହେଲା ଏବଂ ଏହି ପ୍ରକ୍ରିୟାରେ ସୋମବଂଶୀମାନେ ରାଜବଂଶର ମର୍ଯ୍ୟାଦା ଲାଭ କଲେ। କାଳାଚୁରୀ ରାଜାମାନଙ୍କ ବାରମ୍ବାର ଆକ୍ରମଣଯୋଗୁଁ ଏହି ସମୟରେ ପାଣ୍ଡୁବଂଶୀ ନାମରେ ପରିଚିତ ସୋମବଂଶୀମାନେ ଉତ୍କଳ ଆଡ଼କୁ ଅଗ୍ରସର ହେଲେ ଏବଂ କାଳକ୍ରମେ ଓଡ଼ିଶାରେ ସ୍ଥାୟୀ ଭାବେ ରାଜ୍ୟ ପ୍ରତିଷ୍ଠା କଲେ।

ସୋମବଂଶୀମାନେ ଆରମ୍ଭରେ ଯେତେବେଳେ ପାଣ୍ଡୁବଂଶୀ ଭାବରେ ପରିଚିତ ଥିଲେ, ସେତେବେଳେ ସେମାନଙ୍କ ମୋଟ ଶାସନ କାଳ ୭୦୦ରୁ ୮୧୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସୀମିତ ଥିଲା ବୋଲି ଅନୁମାନ କରାଯାଏ। ଦକ୍ଷିଣ କୋଶଳରେ ରାଜତ୍ୱ କରି ସେମାନେ ନିରନ୍ତର ଓଡ଼ିଶାର ଅଭ୍ୟନ୍ତରକୁ ରାଜ୍ୟ ବିିସ୍ତାରପାଇଁ ଉଦ୍ୟମ କରୁଥିଲେ। ମାତ୍ର ଏଥିରେ ସେମାନଙ୍କୁ ବିଶେଷ ସଫଳତା ମିଳିନଥିଲା। ତିବରଦେବଙ୍କୁ ପ୍ରମେ ରାଜ୍ୟ ଭାର ମିଳିିଲା ଏବଂ ୭୦୦ରୁ ୭୨୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ସେ ଶାସନ କରିବା ପରେ ତାଙ୍କର ଯେଉଁ ଉତ୍ତରାଧିକାରୀମାନେ ଦକ୍ଷିଣ କୋଶଳରେ ରାଜତ୍ୱ କଲେ ସେମାନେ ହେଲେ କ୍ରମାନ୍ୱୟରେ ଚନ୍ଦ୍ରଗୁପ୍ତ, ହର୍ଷଗୁପ୍ତ ଓ ବାଳାର୍ଜୁନ। ପିତା ହର୍ଷଗୁପ୍ତଙ୍କ ମୃତ୍ୟୁ ବେଳକୁ ବାଳାର୍ଜୁନ ନାବାଳକ ଥିବାରୁ ରାଜମାତା ବାସଟା ଦେବୀ କିଛି କାଳ ରାଜକାର୍ଯ୍ୟ ତୁଲାଇଥିଲେ। ରାଜଧାନୀ ଶିରପୁର ପ୍ରସ୍ତର ଅଭିଲେଖରେ ବାସଟା ଦେବୀଙ୍କ ସମୟରେ କୋଶଳରେ କେତେକ ବିଷ୍ଣୁ ମନ୍ଦିର ନିର୍ମିତ ହୋଇଥିବାର ଉଲ୍ଲେଖ ରହିଛି। ବାଳାର୍ଜୁନଙ୍କ ରାଜତ୍ୱ ସମୟରେ ଦକ୍ଷିଣ କୋଶଳ ରାଷ୍ଟ୍ରକୂଟମାନଙ୍କ ହାତରେ ପରାଜିତ ହୋଇ ସାମନ୍ତ ରାଜ୍ୟ ହେବାକୁ ବାଧ୍ୟ ହେଲା। ମାତ୍ର ରାଷ୍ଟ୍ରକୂଟ ରାଜା ତୃତୀୟ ଗୋବିନ୍ଦଙ୍କ ମୃତ୍ୟୁ ପରେ ବାଳାର୍ଜୁନ ପୁଣି ସ୍ୱାଧୀନ ହେଲେ। ବାଳାର୍ଜୁନ ଦୀର୍ଘ ୫୭ ବର୍ଷ ଧରି ରାଜ୍ୟ ଶାସନ କରି ଥିଲେ ଏବଂ ନିଜ ରାଜତ୍ୱ କାଳରେ ଅନେକ ଗୁଡ଼ିଏ ତାମ୍ରଶାସନ ପ୍ରଦାନ କରିଥିଲେ। ପାଣ୍ଡୁବଂଶୀ ସମୟର ଇତିହାସ ରଚନାରେ ଏହି ତାମ୍ରଶାସନ ମୁଖ୍ୟ ଆଧାର ରୂପେ ପରିଗଣିତ ହୁଏ। ବାଳାର୍ଜୁନ ଶୈବଧର୍ମର ଉପାସକ ଥିଲେ ଏବଂ ତା' ସହିତ ବୌଦ୍ଧଧର୍ମର ପୃଷ୍ଠପୋଷକତା କରୁଥିଲେ ବୋଲି ତାମ୍ରଶାସନରୁ ଜଣାଯାଏ। ତାଙ୍କ ସମୟରେ ଶିରପୁରଠାରେ ଲକ୍ଷ୍ମଣେଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା।

ବାଳାର୍ଜୁନଙ୍କ ପରବର୍ତ୍ତୀ ପାଣ୍ଡୁବଂଶୀ ରାଜାମାନେ ନିଜକୁ ସୋମବଂଶୀ ବୋଲି ଅଭିହିତ କରିଥିଲେ। ନବମ ଶତାବ୍ଦୀର ମଧ୍ୟ ଭାଗରୁ (୮୫୦ ଖ୍ରୀଷ୍ଟାବ୍ଦରୁ) ଦ୍ୱାଦଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ (୧୧୦୦-୧୧୧୦ ଖ୍ରୀଷ୍ଟାବ୍ଦ) ସେମାନେ ଓଡ଼ିଶାରେ ରାଜତ୍ୱ କରିଥିଲେ। ନିଜ ନାମ ସହିତ ଅଭିଷେକ ନାମ 'ମହାଶିବଗୁପ୍ତ' ଓ 'ମହାଭବଗୁପ୍ତ' ପଦବୀ ଗ୍ରହଣ କରି ସେମାନେ ନିଜ ଗୌରବ ଓ ପରାକ୍ରମର ପରିଚୟ ଦେଇଥିଲେ। ସେମାନେ କାହାରି ସାମନ୍ତରାଜା ନ ଥିଲେ। ସ୍ୱାଧୀନ ଭାବରେ ରାଜତ୍ୱ କରି କ୍ରମାଗତ ରାଜ୍ୟର ପରିସୀମା ବିସ୍ତାର କରିବାରେ ସଫଳ ହୋଇଥିଲେ। ଯାହା ପୂର୍ବରୁ ଉଲ୍ଲିଖିତ, ଅନେକ ମଣ୍ଡଳ ରାଜ୍ୟ ସେମାନଙ୍କ ସମୟରେ ସୋମବଂଶୀ ରାଜ୍ୟର ଅଧିକାରଭୁକ୍ତ ହୋଇଥିଲା।

ଓଡ଼ିଶା ଇତିହାସ . ୬୩