ପୃଷ୍ଠା:Odisha Itihasa.pdf/୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହା ପରେ ରାଜା ରଣ ଭଞ୍ଜଙ୍କୁ ଯୁଦ୍ଧରେ ପରାସ୍ତ ଓ ନିହତ କରି ଆଧୁନିକ ବୌଦ-ସୋନପୁର ସହ ଚିହ୍ନିତ ଖିଞ୍ଜଳି ମଣ୍ତଳ ରାଜ୍ୟ ଅଧିକାର କଲେ। ଖିଞ୍ଜଳି ମଣ୍ତଳ ଭୌମମାନଙ୍କର ସାମନ୍ତ ରାଜ୍ୟ ଥିବା ସତ୍ତ୍ୱେ ରଣ ଭଞ୍ଜଙ୍କୁ ଯୁଦ୍ଧ ବେଳେ ଭୌମକରମାନଙ୍କର ସୈନ୍ୟ ସହାୟତା ମିଳିଥିଲା। ହୁଏତ ଏତେବେଳକୁ ଭୌମମାନେ ଦୁର୍ବଳ ହୋଇପଡ଼ିଥିଲେ ଏବଂ ନିଜ ସାମନ୍ତ ରାଜ୍ୟକୁ ପ୍ରତିରକ୍ଷା ପ୍ରଦାନ କରିବାକୁ ଅସମର୍ଥ ଥିଲେ।

ଖିଞ୍ଜଳି ମଣ୍ତଳ ଅଧିକାର କଲା ପରେ ସୋମବଂଶୀମାନେ ଭୌମକର ବଂଶ ସହ ବୈବାହିକ ସମ୍ବନ୍ଧ ସ୍ଥାପନ କଲେ। ପ୍ରଥମ ଜନ୍ମେଜୟ ନିଜ କନ୍ୟା ପୃଥ୍ୱୀ ମହାଦେବୀଙ୍କୁ ଭୌମରାଜା ଚତୁର୍ଥ ଶୁଭକର ଦେବଙ୍କ ସହିତ ବିବାହ ଦେଲେ। ଏହି ପ୍ରକ୍ରିୟାରେ ଜନ୍ମେଜୟ ଭୌମ ଶାସନରେ ହସ୍ତକ୍ଷେପ କଲେ। ଚତୁର୍ଥ ଶୁଭକରଙ୍କ ମୃତ୍ୟୁ ପରେ ଯେତେବେଳେ ତାଙ୍କ ଭାଇ ତୃତୀୟ ଶିବକର ଦେବ ସିଂହାସନ ଆରୋହଣ କଲେ, ପୃଥ୍ୱୀ ମହାଦେବୀ ତା'ର ବିରୋଧ କରିଥିଲେ। ଫଳରେ ଶିବକର ଦେବଙ୍କ ମୃତ୍ୟୁ ପରେ ସେ ଭୌମ ରାଜ୍ୟର ଶାସିକା ହେଲେ। ସମ୍ଭବତଃ ପିତା ପ୍ରଥମ ଜନ୍ମେଜୟଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ସେ ଭୌମ ରାଜପଦ ଦାବି କରିଥିଲେ। ତେଣୁ ତାଙ୍କ ଦ୍ୱାରା ପ୍ରଦତ୍ତ ବୌଦ ତାମ୍ରଶାସନରେ ସେ ନିଜକୁ କୋଶଳର ସୋମବଂଶୀ ରାଜାଙ୍କ କନ୍ୟା ବୋଲି ସୁସ୍ପଷ୍ଟ କରିଥିଲେ। ଭୌମରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ପ୍ରଥମ ଜନ୍ମେଜୟଙ୍କ ହସ୍ତକ୍ଷେପ ରହିଥିବା କଥା ନିମ୍ନୋକ୍ତ କେତୋଟି ଘଟଣାରୁ ସାବ୍ୟସ୍ତ ହୁଏ।

ଜନ୍ମେଜୟଙ୍କ ପୁତ୍ର ପ୍ରଥମ ଯଯାତି ଭୌମଶାସିତ ତୋଷାଳୀ ରାଜ୍ୟରେ ରାଜତ୍ୱର ନବମ ବର୍ଷରେ ଏକ ଗ୍ରାମ ଦାନ କରିଥିଲେ। ସୋମବଂଶୀ ରାଜା ଯେତେବେଳେ କାଳାଚୁରୀ ରାଜା ଶଙ୍କରପଣଙ୍କ ସହ ଯୁଦ୍ଧରେ ବ୍ୟସ୍ତ ରହିଲେ, ତାହାର ସୁବିଧା ନେଇ ପୃଥ୍ୱୀମହାଦେବୀଙ୍କୁ ଭୌମ ଅଧିକାରୀମାନେ ରାଜପଦରୁ ଗାଦିଚ୍ୟୁତ କଲେ ଏବଂ ତାଙ୍କ ସ୍ଥାନରେ ତୃତୀୟ ଶିବକରଙ୍କ ବିଧବା ପତ୍ନୀ ତ୍ରିଭୁବନ ମହାଦେବୀଙ୍କୁ ସିଂହାସନରେ ବସାଇଲେ। କାଳାଚୁରୀଙ୍କ ସହିତ ଯୁଦ୍ଧ ସାରି ଯେତେବେଳେ ଯଯାତି ପୁଣି ଥରେ ନିଜ ଭଉଣୀ ପୃଥ୍ୱୀ ମହାଦେବୀଙ୍କୁ ଭୌମ ରାଜଗାଦି ଦେବାକୁ ପ୍ରୟାସ କଲେ, ତାହା ଭୌମ ଅଧିକାରୀଙ୍କ ବିରୋଧଯୋଗୁଁ ସମ୍ଭବ ହେଲା ନାହିଁ। ଏଥିରୁ ମନେହୁଏ ଭୌମ ପ୍ରଶାସନରେ ସୋମବଂଶୀମାନଙ୍କର ହସ୍ତକ୍ଷେପ ରହିଥିଲା ଏବଂ ତାକୁ ଭୌମ ରାଜଅଧିକାରୀ ବର୍ଗ ତୀବ୍ର ବିରୋଧ କରୁଥିଲେ। ସମ୍ଭବତଃ ଓଡ଼ିଶା ବାହାରୁ ଆସି କୋଶଳରେ ରାଜତ୍ୱ କରୁଥିବା ଏବଂ କୋଶଳକୁ କେନ୍ଦ୍ର କରି ବାକି ଓଡ଼ିଶାକୁ ରାଜ୍ୟବିସ୍ତାର କରୁଥିବା ସୋମବଂଶୀମାନଙ୍କୁ ଆରମ୍ଭରେ ସ୍ଥାନୀୟ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ପ୍ରଥମ ଜନ୍ମେଜୟ ଖିଞ୍ଜଳି ମଣ୍ତଳ ଅଧିକାର କଲା ପରେ ସୁବର୍ଣ୍ଣପୁରକୁ (ଆଧୁନିକ ସୋନପୁର) ରାଜଧାନୀ ପରିବର୍ତ୍ତନ କଲେ। ପ୍ରଥମ ଯଯାତି ସୁବର୍ଣ୍ଣପୁରରୁ ପ୍ରଥମେ ବିନୀତପୁର (ବିନିକା) ଓ ରାଜତ୍ୱର ପନ୍ଦର ବର୍ଷରେ ଯଯାତି ନଗରକୁ (ଯାଜପୁର) ରାଜଧାନୀ ସ୍ଥାନାନ୍ତର କରିଥିଲେ। ଏଥିରୁ ଜଣାଯାଏ ଯେ ସେମାନେ କ୍ରମଶଃ ପ୍ରାକୃତିକ ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ନିଜ କର୍ତ୍ତୃତ୍ୱକୁ ଆଣି ପାରିଥିଲେ।

ଓଡ଼ିଶା ଇତିହାସ . ୬୫