ପୃଷ୍ଠା:Odisha Itihasa.pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୋମବଂଶୀ ରାଜା ମହାଶିବଗୁପ୍ତ ଧର୍ମର ଖଣ୍ଡପଡ଼ାରେ ତାମ୍ରଶାସନ ଜାରି କରିଥିଲେ। ଅନ୍ୟ ଜଣେ ରାଜା ଉଦ୍ୟୋତ କେଶରୀ ନରସିଂହପୁରରେ ଏବଂ ଇନ୍ଦ୍ର ରଥ ବାଣପୁରରେ ତାମ୍ରଶାସନ ଜାରି କରିିଥିଲେ। ପୁଣି, ବାଣପୁର ତାମ୍ରଶାସନରୁ ଜଣାଯାଏ ଯେ, ଧର୍ମରଥ କଳିଙ୍ଗ ଓ କଙ୍ଗୋଦ ରାଜ୍ୟ ଅଧିକାର କରି ସେଠାରେ ଭ୍ରାତା ଇନ୍ଦ୍ରରଥଙ୍କୁ ରାଜ୍ୟପାଳ ନିଯୁକ୍ତ କରିଥିଲେ। ଇନ୍ଦ୍ରରଥ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ଓ ଟିଟିଲାଗଡ଼ ନିକଟସ୍ଥ ରାଣୀପୁର-ଝରିଆଲରେ ଇନ୍ଦ୍ରଲାଠ ମନ୍ଦିର ନିର୍ମାଣ କରିଥିଲେ- ଯାହା ତାଙ୍କ ରାଜ୍ୟର ବ୍ୟାପକତାକୁ ଦର୍ଶାଏ। ଚତୁର୍ଥ ମହାଭବଗୁପ୍ତ ଉଦ୍ୟୋତ କେଶରୀଙ୍କ ରାଜତ୍ୱ ବେଳକୁ ସୋମବଂଶର ରାଜତ୍ୱ କୋଶଳ, ଉତ୍କଳ ଓ ଓଡ୍ର ଦେଶକୁ ବ୍ୟାପି ସାରିଥିଲା।

ସୋମବଂଶୀ ରାଜାମାନେ ଯଦିଓ ଓଡ଼ିଶା ଭିତରେ ଖୁବ୍‍ ପରାକ୍ରମଶାଳୀ ଥିଲେ ଏବଂ ଓଡ୍ର, କୋଶଳ, କଙ୍ଗୋଦ ଓ ଉତ୍କଳ ଆଦି ରାଜ୍ୟ ଜୟ କରିବାକୁ ସମର୍ଥ ହୋଇଥିଲେ, ସେମାନଙ୍କୁ ଅନେକ ବାହାର ରାଜାଙ୍କ ହାତରେ ପରାଜୟ ମଧ୍ୟ ବରଣ କରିବାକୁ ପଡିଥିଲା। କାଳାଚୁରୀମାନେ ଥିଲେ ସୋମବଂଶୀ ରାଜାଙ୍କ ପରମ ଶତ୍ରୁ। ଇନ୍ଦ୍ରରଥଙ୍କ ସମୟରେ କାଳାଚୁରୀମାନେ ସୋମବଂଶୀ ରାଜ୍ୟର ଉତ୍ତର-ପଶ୍ଚିମ ଅଞ୍ଚଳକୁ ଜିଣି ନେଇଥିଲେ। ଦ୍ୱିତୀୟ ଯଯାତି ମଧ୍ୟ କାଳାଚୁରୀମାନଙ୍କ ହାତରେ ପରାସ୍ତ ହୋଇଥିଲେ। ସେହିପରି ଚୋଳମାନେ ସୁବର୍ଣ୍ଣପୁରକୁ ଏବଂ ଉତ୍ତର ଗଙ୍ଗବଂଶୀ ରାଜା ତୃତୀୟ ବଜ୍ରହସ୍ତ ଦେବ ସୋମବଂଶୀମାନଙ୍କ ହାତରୁ କଳିଙ୍ଗ ଓ କଙ୍ଗୋଦକୁ ଜିଣି ନେବାରେ ସକ୍ଷମ ହୋଇଥିଲେ।

ଦ୍ୱିତୀୟ ଯଯାତି କେଶରୀ ଓ ତାଙ୍କ ପୁତ୍ର ଉଦ୍ୟୋତ କେଶରୀଙ୍କୁ ସୋମବଂଶୀ ରାଜାମାନଙ୍କ ମଧ୍ୟରେ ପ୍ରମୁଖତା ଦିଆଯାଏ। ମାଦଳାପାଞ୍ଜିରୁ ଜଣାଯାଏ ଯେ, ଦ୍ୱିତୀୟ ଯଯାତି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ କରିଥିଲେ। ଯାଜପୁରରେ କାନ୍ୟକୁବ୍‍ଜରୁ ଦଶହଜାର ବ୍ରାହ୍ମଣଙ୍କୁ ଅଣାଇ ସେ ଦଶାଶ୍ୱମେଧ ଯଜ୍ଞ ମଧ୍ୟ କରିଥିଲେ। ସମ୍ଭବତଃ ଏହି ବ୍ରାହ୍ମଣମାନେ ପରବର୍ତ୍ତୀ ସମୟରେ ଓଡ଼ିଶାରେ ସ୍ଥାୟୀ ଭାବରେ ବସବାସ କରିଥିଲେ। ବ୍ରାହ୍ମଣମାନଙ୍କ ଆଗମନ ପରେ ଓଡ଼ିଶାରେ ବ୍ରାହ୍ମଣ୍ୟ ସଂସ୍କୃତିର ପ୍ରସାର ହେଲା। ପିତାଙ୍କ ପଥ ଅନୁସରଣ କରି ଉଦ୍ୟୋତ କେଶରୀ ବ୍ରାହ୍ମଣ ଓ ପଣ୍ଡିତମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରିଥିଲେ। ଏହା ଓଡ଼ିଶାରେ ସାମାଜିକ ବର୍ଗୀକରଣ ପ୍ରକ୍ରିୟା କୁ ତୀବ୍ରତର କଲା। ସୋମବଂଶୀମାନଙ୍କ ପୃଷ୍ଠପୋଷକତାରେ ନିର୍ମିତ ବ୍ରହ୍ମେଶ୍ୱରୀ ମନ୍ଦିର ଅଭିଲେଖରେ ଉଦ୍ୟୋତ କେଶରୀ ପ୍ରଥମେ ରାଜକୁମାର ଭାବରେ ଏବଂ ପରେ ରାଜା ଭାବରେ କାଳାଚୁରୀ, ଚୋଳ ଓ ଗୌଡ଼ମାନଙ୍କୁ ପ୍ରତିହତ କରିଥିବା କଥା ଉଲ୍ଲେଖ ଅଛି। ତାଙ୍କ ସମୟରେ ବାମଣ୍ଡା ମଣ୍ଡଳ ରାଜ୍ୟ ସ୍ଥାପିତ ହୋଇଥିଲା, ଯାହାର ପ୍ରାଶାସନିକ ଦାୟିତ୍ୱ ଜଣେ ରାଜକୁମାରଙ୍କ ହାତରେ ନ୍ୟସ୍ତ ଥିଲା। ଶିବ ଉପାସକ ଭାବରେ ସେ ଲିଙ୍ଗରାଜ ମନ୍ଦିରର ଜଗମୋହନ ନିର୍ମାଣ ସମ୍ପୂର୍ଣ୍ଣ କରିଥିଲେ ବୋଲି ମାଦଳା ପାଞ୍ଜିରେ ବର୍ଣ୍ଣନା କରାଯାଇଛି।୬୬ . ଓଡ଼ିଶା ଇତିହାସ