ପୃଷ୍ଠା:Odisha Itihasa.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏକାଦଶ ଶତାବ୍ଦୀର ଶେଷ ବେଳକୁ ସୋମବଂଶୀ ରାଜ୍ୟ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଲା। କାଳାଚୁରୀ, ଚୋଳ ଓ ଗୌଡ଼ମାନଙ୍କ ଅପେକ୍ଷା ସେମାନଙ୍କର ଅଧିକ ବଡ଼ ଶତ୍ରୁ ଭାବରେ ଉତ୍ତର ଗଙ୍ଗବଂଶ ବା ପରବର୍ତ୍ତୀ ଗଙ୍ଗବଂଶ ରାଜ୍ୟ ସମ୍ମୁଖକୁ ଆସିଲା। ବାହାରର ଅନ୍ୟ ରାଜ୍ୟଗୁଡ଼ିକ ପରି ଗଙ୍ଗମାନେ କେବଳ ଆକ୍ରମଣ କରି ଓ ଧନସମ୍ପତ୍ତି ଲୁଟି ନେଇ ସନ୍ତୁଷ୍ଟ ହୋଇନଥିଲେ। ଅତୀତରେ ଭୌମମାନଙ୍କ ରାଜ୍ୟରେ ସୋମବଂଶୀମାନେ ରାଜ୍ୟ ବିସ୍ତାର କଲା ପରି, ସେମାନେ (ଉତ୍ତର ଗଙ୍ଗମାନେ) ଓଡ଼ିଶାର ଗୋଟାକ ପରେ ଗୋଟାଏ ରାଜ୍ୟ ଅଧିକାର କରିନେଲେ ଏବଂ ନିଜ ରାଜ୍ୟର ବିସ୍ତାର କଲେ। ଦିରଘାସି ଶିଳାଲେଖରୁ ଜଣାଯାଏ ଯେ ଗଙ୍ଗରାଜା ପ୍ରଥମ ରାଜରାଜ ଦେବେନ୍ଦ୍ର ବର୍ମାଙ୍କର ସେନାପତି ଖିମିଡ଼ି, ଓଡ୍ର ଓ କୋଶଳ ଆଦି ରାଜ୍ୟର ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ। ସୋମବଂଶର ଶେଷ ରାଜା ଥିଲେ କର୍ଣ୍ଣଦେବ। ରାଜତ୍ୱର ଷଷ୍ଠ ବର୍ଷରେ ସେ ରତ୍ନଗିରି ତାମ୍ର ଶାସନ ରାଜଧାନୀ ଯଯାତିନଗରଠାରୁ ପ୍ରଦାନ କରିଥିଲେ। ସେ ସିଂହାସନ ଆରୋହଣ କଲାବେଳକୁ ସୋମବଂଶୀ ରାଜ୍ୟ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଯାଏ ସୀମିତ ହୋଇ ଆସିିଥିଲା। ତାଙ୍କ ସମୟରେ ପାଳବଂଶର ରାଜା ରାମପାଳ ଉତ୍ତର ଦିଗରୁ ଏବଂ ଗଙ୍ଗରାଜା ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବ ଦକ୍ଷିଣ ଦିଗରୁ ସୋମବଂଶୀ ରାଜ୍ୟ ଉପରେ ଆକ୍ରମଣ କଲେ। ସମ୍ଭବତଃ ପାଳମାନେ କର୍ଣ୍ଣଦେବଙ୍କୁୁ ପରାସ୍ତ କରିଥିଲେ, କିନ୍ତୁ ଚୋଡ଼ଗଙ୍ଗଦେବ ତାଙ୍କୁ ସୁରକ୍ଷା ପ୍ରଦାନ କରି ପୁଣି ଥରେ ସିଂହାସନରେ ବସାଇଥିଲେ। ମାତ୍ର ଚୋଡ଼ଗଙ୍ଗଦେବଙ୍କ ଅନୁକମ୍ପା ଲାଭ କରି କର୍ଣ୍ଣଦେବ ଗଙ୍ଗକର୍ତ୍ତୃତ୍ୱାଧୀନ ହୋଇ ପଡ଼ିଲେ। ଶେଷରେ ୧୧୧୨ ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗଦେବ ସୋମବଂଶୀ ରାଜ୍ୟକୁ ଅଧିକାର କରିନେଲେ। ଏହିଭଳି ଭାବେ ସୋମବଂଶୀ ଶାସନର ଅନ୍ତ ହେଲା। ରାଜନୈତିକ ଦୃଷ୍ଟିରୁ ଦେଖିଲେ, ଭୈାମମାନଙ୍କ ସମୟରେ ପ୍ରାକୃତିକ ଓଡ଼ିଶା କ୍ଷେତ୍ରକୁ ଯେଉଁ ଏକ ଶାସନ ଏବଂ ସଂସ୍କୃତିର ଅନ୍ତର୍ଭୁକ୍ତ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା, ତାହା ସୋମବଂଶୀମାନଙ୍କ ରାଜତ୍ୱରେ ତ୍ୱରାନ୍ୱିତ ହେଲା। ଉତ୍ତର ଭାରତରୁ ବହୁ ସଂଖ୍ୟାରେ ବ୍ରାହ୍ମଣମାନଙ୍କୁ ଓଡ଼ିଶାରେ ବସତି ସ୍ଥାପନ କରିବାକୁ ସୁବିଧା ସୁଯୋଗ ଦେଇ ସେମାନେ ସାମାଜିକ ବର୍ଗୀକରଣ ପ୍ରକ୍ରିୟା ବୃଦ୍ଧି କଲେ। ସାମାଜିକ ବର୍ଗୀକରଣ, ବ୍ରାହ୍ମଣ୍ୟ ଧର୍ମର ପ୍ରସାର ଓ ସାମ୍ରାଜ୍ୟ ବିସ୍ତାରର ପ୍ରକ୍ରିୟା ମଧ୍ୟରେ ଅନୁପୂରକତା ଦେଖିବାକୁ ମିଳିଲା। ଭୌମମାନଙ୍କ ସମୟରେ ପାର୍ବତ୍ୟାଞ୍ଚଳରେ ସ୍ଥାପିତ ମଣ୍ଡଳ ରାଜ୍ୟଗୁଡ଼ିକରେ ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ମିଳିଥିଲା। ସୋମବଂଶୀମାନଙ୍କ ସମୟରେ ବାହାରୁ ସେମାନଙ୍କୁ ଅଣାଗଲା। ଉଭୟ ବିଷୟକୁ ଯୋଡ଼ି ଦେଖିଲେ ଜଣାଯାଏ ଯେ, ଓଡ଼ିଶା ଆନ୍ତରିକ ଭାବରେ ତ‌ଥା ବାହାର କ୍ଷେତ୍ର ସହିତ ଏହି ସମୟରେ ବ୍ରାହ୍ମଣ୍ୟ ଧର୍ମ ମାଧ୍ୟମରେ ସଂଯୋଜିତ ହେବା ଲାଗି ଅଧିକ ମାତ୍ରାରେ ରାଜ ପ୍ରୋତ୍ସାହନ ଲାଭ କଲା। ସେହି ଦୃଷ୍ଟିରୁ ଦେଖିଲେ ସୋମବଂଶୀ ରାଜତ୍ୱ ଯେ ଓଡ଼ିଶା ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ- ଏଥିରେ କୌଣସି ଦ୍ୱିମତ ନାହିଁ।

...

ଓଡ଼ିଶା ଇତିହାସ . ୬୭