ପୃଷ୍ଠା:Odisha Itihasa.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉତ୍ତର ଗଙ୍ଗବଂଶ ଓ ଗଙ୍ଗ ସାମ୍ରାଜ୍ୟ

ଉତ୍ତର ବା ପରବର୍ତ୍ତୀ ଗଙ୍ଗବଂଶ ହେଲେ ପୂର୍ବ ଗଙ୍ଗବଂଶର ଦାୟାଦ। ପଞ୍ଚମ ଶତାବ୍ଦୀର ଶେଷ ଭାଗରୁ (୪୯୬ ଖ୍ରୀଷ୍ଟାବ୍ଦ) ଆରମ୍ଭ କରି ଅଷ୍ଟମ ଶତାବ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଗଞ୍ଜାମ କ୍ଷେତ୍ର ଓ ଆନ୍ଧ୍ରର ଶ୍ରୀକାକୁଲମ୍‍ କ୍ଷେତ୍ରରେ ପୂର୍ବ ବା ଆଦ୍ୟ ଗଙ୍ଗବଂଶ କଳିଙ୍ଗ ରାଜ୍ୟ ସ୍ଥାପନ କରିଥିଲେ। କଳିଙ୍ଗନଗର (ମୁଖଲିଙ୍ଗମ) ସେମାନଙ୍କ ରାଜଧାନୀ ଥିଲା। ଅଷ୍ଟମ ଶତାବ୍ଦୀର ଉତ୍ତରାର୍ଦ୍ଧରେ ପୂର୍ବ ଗଙ୍ଗବଂଶର ପତନ ହେଲା। ଗଙ୍ଗମାନେ ଅନେକ ଭାଗରେ ବିଭକ୍ତ ହେଲେ। ଧୀରେ ଧୀରେ ସେମାନଙ୍କର ଓଡ଼ିଶା ସହିତ ସମ୍ବନ୍ଧ ତୁଟିଲା ଏବଂ ଆନ୍ଧ୍ରରେ ଏକ ଅଖ୍ୟାତ ବଂଶ ଭାବରେ ସେମାନେ ରହିଲେ। ଏକାଦଶ ଶତାବ୍ଦୀର ପ୍ରମାର୍ଦ୍ଧରେ (୧୦୩୮ ଖ୍ରୀଷ୍ଟାବ୍ଦ) ବଜ୍ରହସ୍ତ ଦେବ ସିଂହାସନ ଆରୋହଣ କଲେ। ତାଙ୍କ ସମୟ ପରଠାରୁ ପଞ୍ଚଦଶ ଶତାବ୍ଦୀର ପ୍ରଥମାର୍ଦ୍ଧ ମଧ୍ୟରେ (୧୪୩୪ ଖ୍ରୀ.) ଗଙ୍ଗମାନେ ପୁଣି ଥରେ ଗୌରବ ଅର୍ଜନ କଲେ। ଏହି ସମୟରେ ସେମାନେ ଏକ ବୃହତ୍‍ ରାଜ୍ୟ ଗଠନ କରିବାରେ ସଫଳ ହେଲେ। ସେମାନେ ଆନ୍ଧ୍ର ଅଞ୍ଚଳରୁ ଓଡ଼ିଶାକୁ ଆସିଥିଲେ ହେଁ ଓଡ଼ିଶା-ସଂସ୍କୃତିର ସଂରକ୍ଷକ ରୂପେ ପ୍ରସିଦ୍ଧି ଅର୍ଜନ କଲେ। ସେମାନଙ୍କ ସମୟରେ (ଉତ୍ତର ଗଙ୍ଗବଂଶର ରାଜତ୍ୱ କାଳରେ) ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ତ‌ଥା ଆହୁରି ଅନେକ ମନ୍ଦିର ନିର୍ମିତ ହେଲା। ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରି ସେହି ପ୍ରକ୍ରିୟାରେ ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ଉତ୍ତର ଗଙ୍ଗବଂଶ ପ୍ରମୁଖତା ଲାଭ କଲା। ଏହା ସହିତ ଓଡ଼ିଶା ରାଜ୍ୟଗଠନର ଭିତ୍ତି ମଧ୍ୟ ସୁଦୃଢ଼ ହେଲା। ଦୀର୍ଘ ଚାରି ଶହ ବର୍ଷର ଗଙ୍ଗରାଜତ୍ୱ କାଳ ମଧ୍ୟରେ ୧୭ଜଣ ରାଜା ଶାସନ କରିିଲେ। ରାଜ୍ୟର ବିସ୍ତାର ହେବା ସହିତ ରାଜଧାନୀକୁ ସେମାନେ କଳିଙ୍ଗନଗର (ମୁଖଲିଙ୍ଗମ) ଠାରୁ ବାରାଣସୀ କଟକକୁ (ଆଧୁନିକ କଟକ) ସ୍ଥାନାନ୍ତର କରିିଥିଲେ। ଓଡ଼ିଶାରେ ସ୍ଥାୟୀ ଭାବେ ରହିଗଲା ପରେ ଗଙ୍ଗମାନେ ଓଡ଼ିଶାର ଚାଲିଚଳଣି ଓ ଓଡ଼ିଆ ଭାଷାକୁ ଆପଣେଇ ନେଲେ। ସେମାନଙ୍କ ସମୟରେ ଆଞ୍ଚଳିକ ଓଡ଼ିଆ ସାହିତ୍ୟର ଉତ୍‍‌ଥାନ ହେଲା ଏବଂ ଜଗନ୍ନାଥ ଓଡ଼ିଶା ସଂସ୍କୃତିର ପ୍ରତୀକ ହେଲେ। ଏଥିରେ ଗଙ୍ଗମାନଙ୍କ ଅନେକ ଐତିହାସିକ ଭୂମିକା ରହିଥିଲା।୬୮ . ଓଡ଼ିଶା ଇତିହାସ