ପୃଷ୍ଠା:Odisha Itihasa.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉତ୍ତର ଗଙ୍ଗବଂଶର ପ୍ରଥମ ରାଜା ଥିଲେ ବଜ୍ରହସ୍ତ ଦେବ । ତାଙ୍କ ସମୟରେ ତ‌ଥା ତାଙ୍କ ଉତ୍ତରାଧିକାରୀ ଦେବେନ୍ଦ୍ର ବର୍ମା ପ୍ରଥମ ରାଜରାଜ ଦେବଙ୍କ ସମୟରେ ସୋମମାନଙ୍କର ରାଜ୍ୟକୁ ଗଙ୍ଗମାନେ ଅଧିକାର କରିନେଲେ । ଉତ୍ତର ଗଙ୍ଗ ବଂଶର ମହାରାଜ, ମହାରାଜାଧିରାଜ, ପରମ ମାହେଶ୍ୱର, ପରମ ଭଟ୍ଟାରକ ଏବଂ ତ୍ରିକଳିଙ୍ଗାଧିପତି ଆଦି ପଦବୀରୁ ମନେହୁଏ ଯେ, ସେମାନେ ସ୍ୱାଧୀନ ଥିଲେ, ରାଜ୍ୟଜୟକୁ ପ୍ରମୁଖତା ଦେଉଥିଲେ ତ‌ଥା ଖୁବ୍‍ ଅଧିକ ମାତ୍ରାରେ ଧର୍ମାଶ୍ରିତ ଥିଲେ । ପରବର୍ତ୍ତୀ ସମୟରେ ଯୁଦ୍ଧ ଜୟ ସହିତ ଧର୍ମ ଓ ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ଦେଇ ରାଜ୍ୟରେ ଆଭ୍ୟନ୍ତରୀଣ ଶାନ୍ତି ରକ୍ଷା କରିବାରେ ସଫଳ ହୋଇଥିଲେ । ପ୍ରଥମ ରାଜରାଜ ସମ୍ଭବତଃ ଚୋଳ ରାଜା କୁଳୋତ୍ତୁଙ୍ଗ ଚୋଳଙ୍କୁ ପରାସ୍ତ କରି ତାଙ୍କ କନ୍ୟାଙ୍କ ସହିତ ବିବାହ କରିଥିଲେ । ଏହି ବୈବାହିକ ସମ୍ପର୍କ ପରେ ଗଙ୍ଗ ରାଜ୍ୟ ଚୋଳମାନଙ୍କର ସାହାଯ୍ୟ-ସମର୍ଥନ ଲାଭ କଲା । ଚୋଳ ପରିବାର ସହିତ ସମ୍ବନ୍ଧ ପରେ ରାଜରାଜଙ୍କ ପୁତ୍ର ଅନନ୍ତବର୍ମା "ଚୋଳଗଙ୍ଗ' (ଚୋଡ଼ଗଙ୍ଗ) ନାମ ବହନ କଲେ । ପ୍ରକୃତରେ ଦେଖିଲେ, ସେ ହେଉଛନ୍ତି ଗଙ୍ଗବଂଶର ସର୍ବଶ୍ରେଷ୍ଠ ରାଜା । ତାଙ୍କ ସମୟରୁ ହିଁ ଗଙ୍ଗସାମ୍ରାଜ୍ୟର ପ୍ରକୃତ ଶୁଭାରମ୍ଭ ହେଲା ବୋଲି କହିଲେ ହୁଏତ ଭୁଲ ହେବ ନାହିଁ । ପ୍ରଥମ ରାଜରାଜଙ୍କ ଜନୈକ ପୁତ୍ର କୁହାଯାଉିବା ଉଦୟଗଣ୍ଡ ପରମାଦ୍ରିଦେବଙ୍କ ସଂପର୍କରେ ବିଶେଷ ଐତିହାସିକ ତ‌ଥ୍ୟ ନାହିଁ ।

ଅନନ୍ତବର୍ମା ଚୋଡ଼ଗଙ୍ଗ (୧୦୭୬-୧୧୪୭ ଖ୍ରୀଷ୍ଟାବ୍ଦ)

ଜଣେ ସାମ୍ରାଜ୍ୟ ନିର୍ମାତା ଭାବରେ ଚୋଡ଼ଗଙ୍ଗ ଦେବ ଓଡ଼ିଶା ଇତିହାସରେ ଖୁବ୍‍ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ତାଙ୍କ ସମୟରେ ପାଳରାଜା ରାମପାଳ ସୋମବଂଶୀମାନଙ୍କ ଉପରେ ଆକ୍ରମଣ କଲେ । ଏହାକୁ ରାଜ୍ୟ ବିସ୍ତାରପାଇଁ ଏକ ସୁଯୋଗ ମନେ କରି ଚୋଡ଼ଗଙ୍ଗ ପ୍ରଥମେ ସୋମବଂଶୀ ରାଜା କର୍ଣ୍ଣଦେବଙ୍କୁ ସହାୟତା କରି ପାଳମାନଙ୍କ ଦାଉରୁ ରକ୍ଷା କଲେ ଏବଂ ପରେ ସମଗ୍ର ସୋମବଂଶ ରାଜ୍ୟକୁ ନିଜ ଅଧିକାରଭୁକ୍ତ କରିନେଲେ । ଏହା ସମ୍ଭବତଃ ଖ୍ରୀଷ୍ଟାବ୍ଦ ୧୧୧୦ର ଘଟଣା । ପ୍ରକୃତରେ ଦେଖିବାକୁ ଗଲେ, ଏକାଦଶ ଶତାବ୍ଦୀର ଶେଷବେଳକୁ ସୋମବଂଶୀମାନେ ଏତେ ଦୁର୍ବଳ ହୋଇପଡ଼ିଥିଲେ ଯେ, କୌଣସି ନା କୌଣସି ପରାକ୍ରମୀ ରାଜ୍ୟ ସହ ବିଲୟ ହେବା ସେମାନଙ୍କ ନିୟତି ଥିଲା । ଏହା ଉତ୍ତାରୁ ଗଙ୍ଗ ରାଜଧାନୀ କଳିଙ୍ଗନଗର (ମୁଖଲିଙ୍ଗମ୍‍)ରୁ ସ୍ଥାନାନ୍ତରିତ ହୋଇ କଟକରେ ସ୍ଥାପିତ ହେଲା, କାରଣ ଏହା ଥିଲା ବର୍ଦ୍ଧିତ ଗଙ୍ଗରାଜ୍ୟର ମଧ୍ୟବର୍ତ୍ତୀ ସ୍ଥାନ ।

ଚୋଡ଼ଗଙ୍ଗଦେବ ଉପକୂଳ ଓଡ଼ିଶାରେ ନିଜ କର୍ତ୍ତୃତ୍ୱ ସୁଦୃଢ଼ କରିବା ସମୟରେ ପଶ୍ଚିମ ଅଞ୍ଚଳ ଆର୍ଥାତ୍ ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର କ୍ଷେତ୍ରକୁ କାଳାଚୁରୀ ରାଜା ଦ୍ୱିତୀୟ ରତ୍ନଦେବ (୧୧୨୦-୧୧୩୫ ଖ୍ରୀଷ୍ଟାବ୍ଦ) ଅଧିକାର କରିନେଲେ । ଚୋଡ଼ଗଙ୍ଗ ଉକ୍ତ କ୍ଷେତ୍ରକୁ ଫେରି ପାଇବା ସକାଶେ କାଳାଚୁରୀମାନଙ୍କ ସହ ଯୁଦ୍ଧ କଲେ, କିନ୍ତୁ ଶେଷ ପର୍ଯ୍ୟନ୍ତ ଏଥିରେ ତାଙ୍କୁ ସଫଳତା ମିଳିନଥିଲା । ପ୍ରାୟ ଶହେ ବର୍ଷ ଧରି ଏହା କାଳାଚୁରୀମାନଙ୍କ ଅଧିକାରଭୁକ୍ତ ହୋଇ ରହିଲା ।୭୦ . ଓଡ଼ିଶା ଇତିହାସ