ପୃଷ୍ଠା:Odisha Itihasa.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୀର୍ଘ ପ୍ରାୟ ସତୁରି ବର୍ଷ (୧୦୭୬-୧୧୪୭) ରାଜତ୍ୱ କରି ଚୋଡ଼ଗଙ୍ଗ ଦେବ ଗଙ୍ଗସାମ୍ରାଜ୍ୟକୁ କେବଳ ରାଜ୍ୟ ବିସ୍ତାର କରି ନୁହେଁ; ବରଂ ଧର୍ମ, କଳା, ସଂସ୍କୃତି ଓ ସ୍ଥାପତ୍ୟ କ୍ଷେତ୍ରରେ ମଧ୍ୟ ଏକ ଦୃଢ଼ ଭିତ୍ତି ପ୍ରଦାନ କଲେ । ଫଳରେ ଓଡ଼ିଶାରେ ପୂର୍ବରୁ ଆରମ୍ଭ ହୋଇଥିବା ରାଷ୍ଟ୍ରଗଠନ ପ୍ରକ୍ରିୟା ଏଣିକି ଦୃଢ଼ରୁ ଦୃଢ଼ତର ହେଲା ।

ଚୋଡ଼ଗଙ୍ଗ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ସପ୍ତମ କାମାର୍ଣ୍ଣବ ଦେବ ଗଙ୍ଗବଂଶର ରାଜା ହେଲେ । ସେ ଦଶବର୍ଷ କାଳ (୧୧୪୭-୧୧୫୬) ଶାସନ କରିଥିଲେ । ପିତାଙ୍କ ପରି ସେ ମଧ୍ୟ କୋଶଳ ଫେରି ପାଇବା ସକାଶେ କାଳାଚୁରୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ, ଅଥଚ ସଫଳତା ପାଇନଥିଲେ । ଚୋଳମାନଙ୍କ ଆକ୍ରମଣଯୋଗୁଁ କଳିଙ୍ଗର ଦକ୍ଷିଣାଞ୍ଚଳ ମଧ୍ୟ ତାଙ୍କୁ ହରାଇବାକୁ ପଡ଼ିଥିଲା । ସମ୍ଭବତଃ ଏହି ପରାଜୟଜନିତ ଲୋକଲଜ୍ଜାରୁ ରକ୍ଷା ପାଇବାପାଇଁ ସେ ତୁଳାଭରମ ଯଜ୍ଞର ଆୟୋଜନ କରିଥିଲେ । ଆୟୋଜନ ଅନୁଯାୟୀ ରାଜାଙ୍କ ଓଜନର ଧନରତ୍ନ (ସୁନା) ବ୍ରାହ୍ମଣ ଓ ପାରିଷଦବର୍ଗଙ୍କୁ ଦାନ କରାଯାଇଥିଲା ।

କାମାର୍ଣ୍ଣବ ଦେବ ଅପୁତ୍ରକ ଥିଲେ । ତାଙ୍କ ପରେ ତାଙ୍କ ଭାଇ ରାଘବ (୧୧୫୬-୧୧୭୦) ଗଙ୍ଗ ରାଜା ହେଲେ । ସେ ମଧ୍ୟ ଅପୁତ୍ରକ ଥିବାରୁ ଚୋଡ଼ଗଙ୍ଗଙ୍କ ଅନ୍ୟ ଦୁଇ ପୁତ୍ର ଦ୍ୱିତୀୟ ରାଜରାଜ ଓ ଦ୍ୱିତୀୟ ଅନଙ୍ଗଭୀମଦେବ କ୍ରମାନ୍ୱୟରେ ସିଂହାସନ ଆରୋହଣ କଲେ । ଏହି ସମୟରେ ଗଙ୍ଗସେନାପତି ସ୍ୱପ୍ନେଶ୍ୱର ଭୁବନେଶ୍ୱରରେ ମେଘେଶ୍ୱର ଶିବମନ୍ଦିର ନିର୍ମାଣ କରିଥିବାର ପ୍ରମାଣ ମିଳେ । ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ସମୟରେ ନିଆଳିଠାରେ ଶୋଭନେଶ୍ୱର ଶିବ ମନ୍ଦିରର ନିର୍ମାଣ ହୋଇଥିଲା । ମନ୍ଦିରମାନଙ୍କରେ ଦେବଦାସୀ ପ୍ରଥା ମଧ୍ୟ ତାଙ୍କ ସମୟରେ ଆରମ୍ଭ ହୋଇଥିଲା ।

ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ଉତ୍ତାରୁ ତାଙ୍କ ପୁତ୍ର ତୃତୀୟ ରାଜରାଜ (୧୧୯୮-୧୨୧୧) ସିଂହାସନ ଆରୋହଣ କଲେ । ରାଜତ୍ୱର ପ୍ରଥମ ବର୍ଷରେ ସେ ଦାସଗୋବା ତାମ୍ର ଶାସନ ପ୍ରଦାନ କରିଥିଲେ । ଏଥିରେ ଚୋଡ଼ଗଙ୍ଗଦେବ ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିିବା କଥା ଉଲ୍ଲେଖ ଅଛି । ଦକ୍ଷିଣ ଭାରତର ଶ୍ରୀକୂର୍ମନାଥ ମନ୍ଦିର ଶିଳାଳେଖରେ ତୃତୀୟ ରାଜରାଜଙ୍କ ବିଷୟରେ କିଛି ସୂଚନା ରହିଛି । ତୃତୀୟ ରାଜରାଜଙ୍କ ରାଜତ୍ୱ ସମୟର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଘଟଣା ହେଲା, ଏହି ସମୟରେ (୧୧୯୨ରେ) ତୁର୍କମାନେ ଦିଲ୍ଲୀ ସିଂହାସନ ଅଧିକାର କରିସାରିିଥିଲେ । ଏହା ପରେ କାଳାଚୁରୀ, ପାଳ ଓ ଚୋଳମାନଙ୍କ ପରି ମୁସଲମାନ ଶାସକମାନେ ମଧ୍ୟ ଓଡ଼ିଶା ଆକ୍ରମଣ କରିବାକୁ ଆରମ୍ଭ କଲେ । ଐତିହାସିକ ମିନ୍‍ହାବୁଦ୍ଦିନଙ୍କଦ୍ୱାରା ଲିଖିତ 'ତବାକତ-ଇ-ନାସିରୀ' ପୁସ୍ତକରୁ ଜଣାଯାଏ ଯେ ୧୨୦୫ ଖ୍ରୀଷ୍ଟାବ୍ଦରେ ବଙ୍ଗର ଶାସକ ମହମ୍ମଦ ବକ୍‍ତିଆର ଖିଲିଜୀ ଓଡ଼ିଶାର ଯାଜନଗର (ଯାଜପୁର) ଆକ୍ରମଣ କରିବାକୁ ସୈନ୍ୟ ପ୍ରେରଣ କରିଥିଲେ । ମାତ୍ର ନିଜେ ବକ୍‍ତିଆର ତାଙ୍କ ସେନାପତି ଅଲିମର୍ଦ୍ଦନଙ୍କ ହାତରେ କାମରୂପ ଓ ତିବ୍ବତ ଯୁଦ୍ଧ ଅଭିଯାନ ସମୟରେ ନିହତ ହେଲେ । ଫଳରେ ଖିଲିଜୀ ସେନା ଓଡ଼ିଶା ଆକ୍ରମଣ ନ କରି ପ୍ରତ୍ୟାବର୍ତ୍ତନ କଲେ । ଯଦିଓ ଖିଲିଜୀମାନଙ୍କର ପ୍ରଥମ ଓଡ଼ିଶା ଆକ୍ରମଣ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ, ପରବର୍ତ୍ତୀ ସମୟରେ ଉଭୟ ଗଙ୍ଗ ଓ ବଙ୍ଗର ଖିଲିଜୀମାନଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଲା ।୭୨ . ଓଡ଼ିଶା ଇତିହାସ