ପୃଷ୍ଠା:Odisha Itihasa.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତୃତୀୟ ରାଜରାଜଙ୍କ ପରେ ତୃତୀୟ ଅନଙ୍ଗଭୀମଦେବ (୧୨୧୧-୧୨୩୮) ସିଂହାସନ ଆରୋହଣ କଲେ । ତୃତୀୟ ଅନଙ୍ଗଭୀମଦେବ କାଳାଚୁରୀମାନଙ୍କୁ ପରାସ୍ତ କରି କୋଶଳକୁ ଗଙ୍ଗସାମ୍ରାଜ୍ୟ ଅଧୀନକୁ ଫେରାଇ ଆଣିେଥିଲେ । ସେତେବେଳକୁ କାଳାଚୁରୀମାନେ ଅନେକ ଦୁର୍ବଳ ହୋଇ ସାରିଥିଲେ । ସେମାନଙ୍କର ଗଙ୍ଗମାନଙ୍କ ହାତରେ ପରାସ୍ତ ହେବା ଏବଂ କୋଶଳର ଗଙ୍ଗ ସାମ୍ରାଜ୍ୟରେ ସାମିଲ ହେବା ଅସ୍ୱାଭାବିକ ମନେହୁଏ ନାହିଁ । ମାଦଳା ପାଞ୍ଜି ଅନୁଯାୟୀ କୋଶଳ ପୁନଃ ଅଧିକୃତ ହେବା ପରେ ତୃତୀୟ ଅନଙ୍ଗଭୀମଙ୍କ ରାଜକୋଷ ଅଧିକ ଆୟ କରିବାକୁ ସମର୍ଥ ହେଲା ।

କାଳାଚୁରୀ ରାଜା ତୁମ୍ମାଣଙ୍କୁୁ ଯୁଦ୍ଧରେ ପରାସ୍ତ କଲେ ଗଙ୍ଗ ସେନାପତି ବ୍ରାହ୍ମଣ ବିଷ୍ଣୁ । ଏହା ପରେ ଗଙ୍ଗ ଓ କାଳାଚୁରୀଙ୍କ ମଧ୍ୟରେ ବିବାହ ବନ୍ଧନ ସ୍ଥାପିତ ହେଲା । କାଳାଚୁରୀ ରାଜକୁମାର ପରମାର୍ଦୀଦେବଙ୍କ ସହିତ ତୃତୀୟ ଅନଙ୍ଗଭୀମଦେବଙ୍କ କନ୍ୟା ଚନ୍ଦ୍ରିକାଙ୍କର ବିବାହ ହେଲା । ଏହା ପରେ ପରମାର୍ଦୀଦେବ ଗଙ୍ଗସେନାର ସେନାପତି ଭାବେ କାର୍ଯ୍ୟ ତୁଲାଇଲେ । ସମ୍ଭବତଃ କାଳାଚୁରୀମାନେ ତ୍ରୟୋଦଶ ଶତାବ୍ଦୀର ଆରମ୍ଭ ବେଳକୁ ପତନର ସମ୍ମୁଖୀନ ହୋଇ ରାଜ୍ୟ ହରାଇଥିଲେ, ଯାହା ଫଳରେ ରାଜକୁମାର ପରମାର୍ଦୀଦେବଙ୍କୁ ଗଙ୍ଗ ରାଜାଙ୍କ ଅଧୀନରେ କାମ କରିବାକୁ ପଡ଼ିଥିଲା । ଯେତେବେଳେ ବଙ୍ଗର ନବାବ ଗିୟାସୁଦ୍ଦିନ୍‍ ଇଓ୍ୱାଜ ଓଡ଼ିଶା ଆକ୍ରମଣ କଲେ, ଗଙ୍ଗ ସେନାପତି ପରମାର୍ଦୀଦେବ ସଫଳତାର ସହିତ ସେମାନଙ୍କର ପ୍ରତିରୋଧ କରିଥିଲେ । ଗିୟାସୁଦ୍ଦିନ୍‍ଙ୍କ ସେନାପତି ଯୁଜବେକ୍‍ ପରମାର୍ଦୀଦେବଙ୍କ ହାତରେ ପରାସ୍ତ ହୋଇଥିବା କଥା 'ତବାକତ-ଇ-ନାସିରୀ' ପୁସ୍ତକରେ ଉଲ୍ଳେଖ ଅଛି । ପରମାର୍ଦୀଦେବଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଚନ୍ଦ୍ରିକାଦେବୀ ଭୁବନେଶ୍ୱରରେ ପତିଙ୍କ ସ୍ମୃତିରେ ଅନନ୍ତ ବାସୁଦେବ ମନ୍ଦିର ୧୨୭୮ରେ ନିର୍ମାଣ କରିଥିଲେ ।

ଏହି ସମୟରେ ଚୋଳରାଜ୍ୟରେ ଚାଲିଥିବା ଗୃହବିବାଦର ସୁଯୋଗ ନେଇ ଗଙ୍ଗରାଜା କାଞ୍ଚିପୁରମ ପର୍ଯ୍ୟନ୍ତ କୃଷ୍ଣା ଗୋଦାବରୀର ଉର୍ବର ତ୍ରିକୋଣଭୂମି ଅଞ୍ଚଳ ଅଧିକାର କରିନେଲେ । ଦକ୍ଷିଣ ଅଭିଯାନ ସମୟରେ ତାଙ୍କୁ ଓ୍ୱାରଙ୍ଗଲର କାକତୀୟ ରାଜା ଗଣପତିଙ୍କ ହସ୍ତରେ ପରାସ୍ତ ହେବାକୁ ପଡ଼ିଲା ଏବଂ ପରିଣାମ ସ୍ୱରୂପ ପୂର୍ବ ଗୋଦାବରୀ ଜିଲ୍ଲାର କିଛି ଅଂଶ ହରାଇବାକୁ ପଡିଥିଲା ।

ମାଦଳାପାଞ୍ଜି ଅନୁଯାୟୀ ରାଜଧାନୀ କଟକର ବାରବାଟୀ ଦୁର୍ଗ ତୃତୀୟ ଅନଙ୍ଗଭୀମଦେବଙ୍କ ସମୟରେ ନିର୍ମିତ ହୋଇଥିଲା । ବଙ୍ଗର ମୁସଲମାନ ଓ ଦକ୍ଷିଣର ଚୋଳ, ବେଙ୍ଗୀ ଆଦି ରାଜ୍ୟରୁ ଓଡ଼ିଶାକୁ ସୁରକ୍ଷା ଦେବାପାଇଁ ସେ ଜଗନ୍ନାଥ ଧର୍ମର ରାଜନୀତିକ ବ୍ୟବହାର କଲେ । ଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାର ମର୍ଯ୍ୟାଦା ଦେଇ ଗଙ୍ଗରାଜା ତାଙ୍କର ପ୍ରତିନିଧି ଭାବରେ ରାଜ୍ୟଶାସନ କରୁଛନ୍ତି ବୋଲି ସେ ଘୋଷଣା କଲେ । ଏହାଦ୍ୱାରା ତାଙ୍କୁ ସାମନ୍ତରାଜା, ମନ୍ଦିରସେବକ, ବ୍ରାହ୍ମଣ, ପ୍ରଶାସନ ଓ ସେନାସାମନ୍ତଙ୍କର ପ୍ରଭୂତ ସହଯୋଗ ମିଳିଲା । ଅନ୍ୟ ପକ୍ଷରେ ରାଜଶକ୍ତିର ଊର୍ଦ୍ଧ୍ୱରେ ଜଗନ୍ନାଥ ଏକ ଶକ୍ତି ରୂପେ ମର୍ଯ୍ୟାଦା ପାଇଲେ । ଏହା ଗଙ୍ଗମାନଙ୍କ ପରେ ମଧ୍ୟ ଅବ୍ୟାହତ ରହିଲା । ଏହାର ସୁଯୋଗ ନେଇ କେତେବେଳେ ରାଜଶକ୍ତି ଜଗନ୍ନାଙ୍କୁ ଆଳ କରି କର୍ତ୍ତୃତ୍ୱ ଜାହିର କଲା ତ ଅନ୍ୟ{{right|ଓଡ଼ିଶା ଇତିହାସ . ୭୩