ପୃଷ୍ଠା:Odisha Itihasa.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେତେବେଳେ ଜଗନ୍ନାଙ୍କୁ କେନ୍ଦ୍ର କରି ଗଢ଼ିଉଠିଥିବା ପୂଜକ, ସାମନ୍ତ ଓ ସେବାକାରୀବର୍ଗ ଜଗନ୍ନାଥଙ୍କ ମାଧ୍ୟମରେ ରାଜଶକ୍ତିକୁ ନିୟନ୍ତ୍ରଣ କଲେ । ଅନ୍ୟ ପକ୍ଷରେ ଶିକ୍ଷା, ସଂସ୍କୃତି, କଳା, ଭାସ୍କର୍ଯ୍ୟ, ସଙ୍ଗୀତ ଓ ସାହିତ୍ୟ ଆଦିର ବିକାଶ ମଧ୍ୟ ଜଗନ୍ନାଥ ଓ ମନ୍ଦିର ମାଧ୍ୟମରେ ଦେଖିବାକୁ ମିଳିଲା । ଅନ୍ୟ ଶବ୍ଦରେ କହିଲେ; ତୃତୀୟ ଅନଙ୍ଗଭୀମଦେବ ତାଙ୍କର ଯୁଦ୍ଧ ଜୟ, ରାଜ୍ୟ ବିସ୍ତାର, ଜଗନ୍ନାଙ୍କର ପୃଷ୍ଠପୋଷକତା ଓ ସ୍ଥାପତ୍ୟ କଳାର ବିକାଶପାଇଁ ଗଙ୍ଗ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କଲେ । ତୃତୀୟ ଅନଙ୍ଗଭୀମଦେବଙ୍କ ପରେ ତାଙ୍କ ପୁତ୍ର ପ୍ରଥମ ନରସିଂହ ଦେବ (୧୨୩୮- ୧୨୪୧) ଗଙ୍ଗରାଜ୍ୟର ଶାସକ ହେଲେ । ତାଙ୍କ ଶାସନ ସମୟରେ ସାମରିକ ବିଜୟ ତ‌ଥା କଳାଭାସ୍କର୍ଯ୍ୟ କ୍ଷେତ୍ରରେ ଗଙ୍ଗବଂଶର ଗୌରବ ବୃଦ୍ଧି ପାଇଥିଲା । ସେ ବଙ୍ଗ ନବାବଙ୍କ ବିରୁଦ୍ଧରେ ବାରମ୍ବାର ଯୁଦ୍ଧ କରି ବଙ୍ଗର ଦ୍ୱିତୀୟ ରାଜଧାନୀ ଲକ୍ଷନୋର ଓ ରାଢ଼ ଅଞ୍ଚଳ ଅଧିକାର କଲେ । ସେତେବେଳେ ଦିଲ୍ଲୀରେ ତୁର୍କମାନେ ଶାସନ ପ୍ରତିଷ୍ଠା କରିସାରିଥିଲେ । ବଙ୍ଗ ସେମାନଙ୍କର ପ୍ରଦେଶ ଥିଲା । ମାତ୍ର ଦିଲ୍ଲୀ ଶାସକଙ୍କ ଦୁର୍ବଳତା ଏବଂ ଦିଲ୍ଲୀ ଓ ବଙ୍ଗ ମଧ୍ୟରେ ରହିଥିବା ଦୂରତା ତ‌ଥା ଗମନାଗମନର ଅସୁବିଧା ବଙ୍ଗକୁ ଦିଲ୍ଲୀଠାରୁ ଏକ ରକମର ସ୍ୱାଧୀନତା ଦେବାରେ ସାହାଯ୍ୟ କରିଥିଲା । ଫଳରେ ବଙ୍ଗନବାବ ଦିଲ୍ଲୀର ବିନା ସହାୟତାରେ ଗଙ୍ଗମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାଧ୍ୟ ହେଉଥିଲେ । ଅନେକ ଥର ସେ ପରାସ୍ତ ମଧ୍ୟ ହେଉଥିଲେ । ପୁଣି ଯୁଦ୍ଧ ସାହାଯ୍ୟ ପାଇଲା ପରେ କଳିଙ୍ଗ ସେନାକୁ ପରାସ୍ତ ମଧ୍ୟ କରିପାରୁଥିଲେ । ଅନ୍ୟ ପକ୍ଷରେ ପ୍ରଥମ ନରସିଂହଦେବଙ୍କୁ କାଳାଚୁରୀ ରାଜକୁମାର ପରମାର୍ଦୀଦେବଙ୍କ ଅକୁଣ୍ଠ ସହଯୋଗ ମିଳୁଥିଲା । ପରମାର୍ଦୀଦେବ ଗଙ୍ଗ ସାମ୍ରାଜ୍ୟର ସାମନ୍ତ ଥିଲେ ଏବଂ ସେନାପତିର ଦାୟିତ୍ୱ ନିର୍ବାହ କରୁଥିଲେ । ଗଙ୍ଗମାନଙ୍କୁ ତାଙ୍କ ସହଯୋଗ ପଛର ଅନ୍ୟ ଏକ କାରଣ ହେଲା, ସେ ତୃତୀୟ ଅନଙ୍ଗଭୀମଦେବଙ୍କ କନ୍ୟାକୁ ଆର୍ଥାତ୍ ପ୍ରଥମ ନରସିଂହଦେବଙ୍କ ଭଗ୍ନୀକୁ ବିବାହ କରିଥିଲେ । ତେଣୁ ବଙ୍ଗର ମୁସଲମାନ ନବାବଙ୍କ ବିରୁଦ୍ଧରେ ଗଙ୍ଗ ଓ କାଳାଚୁରୀଙ୍କ ମିିଳିତ ସହଯୋଗ ପଛରେ ବିଶେଷ ଧାର୍ମିକ ଆଧାର ରହିଥିଲା ବୋଲି ଅନୁଭବ କରିହୁଏ ନାହିଁ ।

ନରସିଂହଦେବଙ୍କ ଶାସନ କାଳରେ ବଙ୍ଗର ନବାବ ଥିଲେ ତୁଘ୍ରିଲ ଖାଁ । ୧୨୪୩ରେ ଗଙ୍ଗମାନଙ୍କ ସହ ଯୁଦ୍ଧରେ ତାଙ୍କୁ ପରାଜୟ ଭୋଗିବାକୁ ପଡିଥିଲା । ୧୨୪୪ରେ ସଂଘଟିତ ଅନ୍ୟ ଏକ ଯୁଦ୍ଧରେ ନରସିଂହଦେବ ବଙ୍ଗ ନବାବଙ୍କ ଅଧୀନରେ ଥିବା ରାଢ଼ ରାଜ୍ୟ ଅଧିକାର କରିଥିଲେ । ୧୨୪୭ରୁ ୧୨୫୫ ମଧ୍ୟରେ ଆହୁରି ଚାରି ଥର ବଙ୍ଗ ଓ ଓଡ଼ିଶା ମଧ୍ୟରେ ଯୁଦ୍ଧ ହୋଇଥିଲା । ବଙ୍ଗର ନୂତନ ନବାବ ଇଖତୟାରୁଦ୍ଦିନ ଯୁଜବେକ ପ୍ରଥମ ଦୁଇଥର ଯୁଦ୍ଧରେ ବିଜୟୀ ହୋଇଥିଲେ; ମାତ୍ର ତୃତୀୟ ଥର ସେ ପରାସ୍ତ ହୋଇ ଦିଲ୍ଲୀଠାରୁ ସହଯୋଗ ମାଗିଥିଲେ । ୧୨୫୫ରେ ଘଟିଥିବା ଚତୁର୍ଥ ସଂଘର୍ଷରେ ବଙ୍ଗ ଓ ଦିଲ୍ଲୀ ସେନା ମିିଳିତ ଭାବରେ ଗଙ୍ଗ ସେନାଙ୍କୁ ପରାସ୍ତ କଲେ; ଗଙ୍ଗ ସେନାପତି କାଳାଚୁରୀ ରାଜକୁମାର ପରମାର୍ଦୀଦେବ ଯୁଦ୍ଧରେ ନିହତ ହେଲେ । ଏହିଭଳି ଭାବେ ଗଙ୍ଗବଂଶର ପ୍ରଭାବ ନରସିଂହଦେବଙ୍କ ସମୟରେ ବଙ୍ଗର ହୁଗୁଳି ଓ ବାଙ୍କୁଡ଼ା ଜିଲ୍ଲାରେ ପ୍ରଥମେ୭୪ . ଓଡ଼ିଶା ଇତିହାସ