ପୃଷ୍ଠା:Odisha Itihasa.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଣେ 'ରାଣ୍ଡୀ'ର ପୁତ୍ର ଥିଲେ ଏବଂ ଗୋକର୍ଣ୍ଣ ଥିଲେ ତାଙ୍କର ଜାରଜ ପିତା । କେଶରୀ ବଂଶର ଅସନ୍ତୁଷ୍ଟ ସେନାପତି ବାସୁଦେବ ବାହିନୀପତି ତାଙ୍କୁ ସାଙ୍ଗମାନଙ୍କ ସହିତ ରାଜା-ରାଜା ଖେଳ ଖେଳୁଥିବାର ଦେଖି 'ଲିଙ୍ଗରାଜ'ଙ୍କ ଆଦେଶ ଶୁଣାଇଲେ ଏବଂ ଏକ ନୂଆ ସାମ୍ରାଜ୍ୟ ଗଠନ କରିବାକୁ ପରାମର୍ଶ ଦେଲେ । ଏହା ପରେ ଚୋଡ଼ଗଙ୍ଗ ଧୋବଣୀ ନିତେଇଠାରୁ 'ଡାଆଣୀ' ଶକ୍ତି ନେଇ ଅଳ୍ପ ଦିନ ଭିତରେ ଓଡ଼ିଶା ଜୟ କଲେ । ସେହିଭଳି ସୂର୍ଯ୍ୟବଂଶର ପ୍ରତିଷ୍ଠାତା କପିଳେନ୍ଦ୍ର ଦେବଙ୍କ ସମ୍ବନ୍ଧରେ ମାଦଳାପାଞ୍ଜିରେ କୁହାଯାଇଛି, ସେ ପୂର୍ବରୁ ଜଣେ ଚୋର ଥିଲେ ଏବଂ ରାଜପଦ ପାଇଲା ପରେ ଜଣେ ପୂର୍ବତନ ଚୋର କାଶୀଦାସଙ୍କୁ ରାଜପୁରୋହିତ ଭାବରେ ନିଯୁକ୍ତ କରିଥିଲେ । ଦରିଦ୍ର ଭିକାରି ରୂପରେ କପିଳେନ୍ଦ୍ର ଜଗନ୍ନାଥ ମନ୍ଦିର ବେଢ଼ାରେ ବୁଲୁଥିବା ବେଳେ ଅପୁତ୍ରକ ଗଙ୍ଗରାଜ ମତ୍ତଭାନୁଦେବ ସ୍ୱପ୍ନାଦେଶ ପାଇ ତାଙ୍କର ଲାଳନପାଳନ କଲେ ଏବଂ ତାଙ୍କୁ ଉତ୍ତରାଧିକାରୀ ନିଯୁକ୍ତ କଲେ । ମାଦଳାପାଞ୍ଜିର ଏଭଳି କାହାଣୀ ପଛରେ ଯାହା ଉଦ୍ଦେଶ୍ୟ ଥାଉ ନା କାହିଁକି, ଜଣେ ଜୀବିତ ରାଜାଙ୍କ ରାଜତ୍ୱ କାଳରେ, ଜଗନ୍ନାଥ ମନ୍ଦିରର ଏକ ସାର୍ବଜନୀନ ଦସ୍ତାବିଜ ଭାବରେ ରାଜାଙ୍କୁ ନୀଚ କରି ଏମିତି ଲେଖାଯାଇ ନ ପାରେ । ଗଙ୍ଗ ଓ ସୂର୍ଯ୍ୟ ବଂଶର ଶାସନ ପରେ ଉକ୍ତ ରାଜପରିବାରକୁ ଏମିତି ନୀଚ ଦେଖାଇ ଦସ୍ତାବିଜ ପ୍ରସ୍ତୁତ କରାଯାଇଥାଇପାରେ ! ଏତଦ୍‍ ବ୍ୟତୀତ ମାଦଳା ପାଞ୍ଜିରେ ବ୍ୟବହୃତ ଓଡ଼ିଆ ଭାଷା ମଧ୍ୟ ଗଙ୍ଗକାଳୀନ ହୋଇନପାରେ । ଏହି ସବୁ କାରଣରୁ ମାଦଳାପାଞ୍ଜିକୁ ଯଥେଷ୍ଟ ପରବର୍ତ୍ତୀ ସମୟର ରଚନା ବୋଲି ମନେ କରାଯାଏ ।

୧୨୬୪ ଖ୍ରୀଷ୍ଟାବ୍ଦରେ ପ୍ରଥମ ନରସିଂହଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ପ୍ରଥମ ଭାନୁଦେବ ସିଂହାସନ ଆରୋହଣ କଲେ । ତାଙ୍କ ସମୟରେ ଗଙ୍ଗମାନେ ବହିର୍ଯୁଦ୍ଧରେ ଜଡ଼ିତ ଥିବାର ସୂଚନା ନାହିଁ । ତାଙ୍କ ଉପରେ ନରହରି ତୀର୍ଥ ନାମକ ଜଣେ ଦାର୍ଶନିକଙ୍କର ବିଶେଷ ପ୍ରଭାବ ରହିଥିଲା । ନରହରି ତୀର୍ଥ ୧୨୬୪ରୁ ୧୨୯୩ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ରହି ବୈଷ୍ଣବ ଧର୍ମର ପ୍ରଚାର କଲେ ଏବଂ ଏକ ମହତ୍ତ୍ୱପୂର୍ଣ୍ଣ ରାଜାଧିକାରୀ ପଦରେ ମଧ୍ୟ ନିଯୁକ୍ତ ହୋଇଥିଲେ । ପ୍ରଥମ ଭାନୁଦେବଙ୍କ ମୃତ୍ୟୁ ପରେ ଦ୍ୱିତୀୟ ନରସିଂହ ଦେବଙ୍କ ଅଭିଭାବକ ଭାବରେ କିଛି କାଳ ସେ ଶାସନ ଦାୟିତ୍ୱ ମଧ୍ୟ ନେଇଥିଲେ ।

ସୋନପୁରସ୍ଥିତ ସ୍ତମ୍ଭେଶ୍ୱରୀ ମନ୍ଦିରରୁ ପ୍ରାପ୍ତ ଏକ ତାମ୍ର ଶାସନରୁ ଜଣାପଡେ଼ ଯେ କୋଶଳ କ୍ଷେତ୍ର ପ୍ରଥମ ଭାନୁଦେବଙ୍କ ସମୟରେ ମଧ୍ୟ ଗଙ୍ଗ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ପ୍ରଥମ ଭାନୁଦେବଙ୍କ ବିବାହ ପୂର୍ବ ଚାଲୁକ୍ୟ ରାଜକୁମାରୀ ଜାକଲ୍ଲାଦେବୀଙ୍କ ସହିତ ହୋଇଥିଲା । ଏଥିରୁ ଅନୁମିତ ହୁଏ ଯେ, ତ୍ରୟୋଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ବେଳକୁ ପତନର ଶିକାର ହୋଇ ଚାଲୁକ୍ୟମାନେ ଗଙ୍ଗ ରାଜ୍ୟର ସାମନ୍ତ ସ୍ତରକୁ ଆସି ସାରିଥିଲେ । ମଧ୍ୟଯୁଗର ରୀତି ଅନୁଯାୟୀ ରାଜପରିବାରମାନେ ନିଜ କନ୍ୟାମାନଙ୍କୁ ଉପର ସ୍ତରର ରାଜପରିବାରରେ କେବଳ ବିବାହପାଇଁ ପ୍ରଦାନ କରୁଥିଲେ । ଯୁଦ୍ଧ ପରେ ବିଜୟୀ ରାଜା ପରାଜିତ ରାଜପରିବାରର କନ୍ୟା ସହ ବିବାହ କରିବା ପଛରେ ମଧ୍ୟ ଏହି ସାମାଜିକ ରୀତି କାମ କରୁଥିଲା ।୭୬ . ଓଡ଼ିଶା ଇତିହାସ