ପୃଷ୍ଠା:Odisha Itihasa.pdf/୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

'ତାରିଖ-ଇ-ଫିରୁଜଶାହୀ' ଓ 'ସିରାତ-ଇ-ଫିରୁଜଶାହୀ' ନାମକ ଦୁଇଟି ସମକାଳୀନ ପୁସ୍ତକରେ ଫିରୁଜଶାହଙ୍କ ଓଡ଼ିଶା ଆକ୍ରମଣ କଥା ବିସ୍ତୃତ ଭାବେ ବର୍ଣ୍ଣିିତ ହୋଇଛି । ଏହି ଦୁଇଟି ପୁସ୍ତକ ତଥା ଅନ୍ୟାନ୍ୟ ତଥ୍ୟାବଳୀକୁ ଆଧାର କରି ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମାଣ କରିଛନ୍ତି ଯେ, ଦିଲ୍ଲୀ ସୁଲତାନ ବଙ୍ଗ ଅଭିଯାନରୁ ଦିଲ୍ଲୀ ଫେରିବା ବାଟରେ ଓଡ଼ିଶା ଆକ୍ରମଣ କରିବାକୁ ସ୍ଥିର କଲେ । ଆକ୍ରମଣ ପଛରେ ସମ୍ଭବତଃ ବଡ଼ କାରଣ ଥିଲା, ଓଡ଼ିଶାର ଅସଂଖ୍ୟ ମନ୍ଦିରରାଜି ଓ ଧନସମ୍ପଦ । ଜଣେ ନୈଷ୍ଠିକ ମୁସଲମାନ ଭାବରେ ଫିରୁଜଶାହ ସମଗ୍ର ଭାରତରେ ଖ୍ୟାତିଲାଭ କରିଥିବା ହିନ୍ଦୁମନ୍ଦିରଗୁଡ଼ିକୁ ଧ୍ୱଂସ କରିବାକୁ ଚାହୁଁଥିଲେ । 'ତାରିଖ-ଇ-ଫିରୁଜଶାହୀ'ରେ ଯାଜନଗରର ସୁଖ ସମୃଦ୍ଧି କଥା ବିଶଦ ଭାବେ ବର୍ଣ୍ଣିତ ହୋଇଛି । ଉନ୍ନତ କୃଷିଯୋଗୁଁ ଦାରିଦ୍ର୍ୟ ନଥିଲା; ସେନାବାହିୀରେ ବ୍ୟବହୃତ ପଶୁ (ଘୋଡ଼ା ଓ ହାତୀ) ମାନଙ୍କପାଇଁ ମଧ୍ୟ ଭୋଜନର ଅଭାବ ନଥିଲା । ସ୍ଥାନୀୟ ଲୋକେ ଭଲ ଘରେ ରହୁଥିଲେ । ଘର ଆଗରେ ବଗିଚା ଓ ଫଳଗଛ ଲୋକଙ୍କ ସମୃଦ୍ଧିକୁ ସୂଚାଉଥିଲା । ଏହି ସମୃଦ୍ଧିକୁ ମନରେ ରଖି ଫିରୋଜ ଶାହ ଖୁବ୍‍ ଧନ ସମ୍ପତ୍ତି ଲୁଣ୍ଠନ କରିବାର ଯୋଜନା କରି ଓଡ଼ିଶା ଆକ୍ରମଣ କଲେ ।

ଫିରୋଜଶାହଙ୍କ ସେନା ମୟୂରଭଞ୍ଜ ବାଟ ଦେଇ ଓଡ଼ିଶାରେ ପ୍ରବେଶ କରିଥିଲେ । ପ୍ରଥମେ ସେମାନେ ଖିଚିଙ୍ଗର ମନ୍ଦିରଗୁଡ଼ିକୁ ଧ୍ୱଂସ କଲେ । କଟକରେ ପହଞ୍ଚି ସେମାନେ ବାରବାଟୀ ଦୁର୍ଗ ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରଗୁଡ଼ିକୁ ଧ୍ୱଂସ କଲେ । ଏହି କାରଣରୁ ସମ୍ଭବତଃ ଭୁବନେଶ୍ୱରର ଏତେ ନିକଟବର୍ତ୍ତୀ ତଥା ରାଜ୍ୟର ରାଜଧାନୀ ହେବା ସତ୍ତ୍ୱେ କଟକଠାରେ ମଧ୍ୟଯୁଗର କୌଣସି ମନ୍ଦିର ଦୃଷ୍ଟିଗୋଚର ହୁଏ ନାହିଁ । ସୁଲତାନଙ୍କ ଆଦେଶରେ ଅନେକ ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି । ଶେଷରେ କେତେକ ହସ୍ତୀ ଓ ଧନରତ୍ନ ସାଙ୍ଗରେ ନେଇ ସୁଲତାନ ଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କଲେ ।

ସୁଲତାନ ଫିରୋଜଶାହଙ୍କ ହସ୍ତରେ ପରାଜୟ ପରେ ଗଙ୍ଗମାନଙ୍କର ଯଥେଷ୍ଟ ସମ୍ମାନହାନି ହେଲା । ଗଙ୍ଗ ବଂଶ ପତନର ଏହା ଏକ ପ୍ରମୁଖ କାରଣ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସୁଲତାନଙ୍କ ଆକ୍ରମଣର ଅଳ୍ପ କେତେ ବର୍ଷ ପୂର୍ବରୁ ୧୩୫୬ରେ ବିଜୟନଗର ସାମ୍ରାଜ୍ୟର ରାଜକୁମାରଙ୍କ ହାତରେ ସେମାନେ ପରାଜୟ ଭୋଗିଥିଲେ । ଏହା ପରେ ଚତୁର୍ଥ ନରସିଂହଦେବଙ୍କ ଶାସନ ସମୟରେ ୧୩୭୮ରେ ଜୌନପୁରରେ ସର୍କି ସୁଲତାନ ଖ୍ୱାଜା-ଇ-ଜାହାନ ଓ ମାଲିକ-ଇସ୍‍-ସର୍କ ଓଡ଼ିଶା ଆକ୍ରମଣ କରି ଅନେକ ଧନରତ୍ନ ଓ ହାତୀ ନେଇ ଚାଲିଗଲେ । ମନେହୁଏ, ମଧ୍ୟଯୁଗରେ ମୋଗଲ ଆଗମନ ପୂର୍ବରୁ ସେନାବାହିୀରେ ହାତୀର ବ୍ୟବହାର ବୃଦ୍ଧି ପାଇବା ଯୋଗୁଁ ଓଡ଼ିଶା ଜଙ୍ଗଲରେ ମିଳୁଥିବା ଉନ୍ନତ ମାନର ହାତୀର ଚାହିଦା ବଢ଼ିଲା ଓ ପରିଣାମ ସ୍ୱରୂପ ବହିଃ ଶତ୍ରୁମାନେ ଓଡ଼ିଶା ଆକ୍ରମଣ କରି ରାଜାଙ୍କ ପାଖରୁ ଦେୟ ରୂପେ ବହୁ ସଂଖ୍ୟାରେ ହସ୍ତୀ ଦାବି କରିବାକୁ ଲାଗିଲେ । ଜୌନପୁର, ବଙ୍ଗ ଓ ଦିଲ୍ଲୀର ମୁସଲମାନ ଶାସକଙ୍କ ବ୍ୟତୀତ ଆନ୍ଧ୍ରର ରେଡ୍ଡିମାନଙ୍କ ଆକ୍ରମଣ ମଧ୍ୟ ଗଙ୍ଗମାନଙ୍କୁ ସହ୍ୟ କରିବାକୁ ପଡ଼ିଥିଲା । ପୂର୍ବରୁ ଗଙ୍ଗ ସାମ୍ରାଜ୍ୟର ସମୃଦ୍ଧିର ଏକ ବଡ଼ କାରଣ ଥିଲା ଦିଗ୍‍ବିଜୟ । ପରାଜିତ ରାଜ୍ୟର ଧନସମ୍ପତ୍ତି ଲୁଣ୍ଠନ କରି୭୮ . ଓଡ଼ିଶା ଇତିହାସ