ପୃଷ୍ଠା:Odisha Itihasa.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେମାନେ ଓଡ଼ିଶାରେ ବ୍ରାହ୍ମଣମାନଙ୍କୁ ଉଦାର ଭାବରେ ପୃଷ୍ଠପୋଷକତା ପ୍ରଦାନ କରିବାକୁ ତଥା ବହୁ ଖର୍ଚ୍ଚ କରି ମନ୍ଦିରମାନ ନିର୍ମାଣ କରିବାକୁ ସମର୍ଥ ହୋଇଥିଲେ । ମାତ୍ର ବହିଃ ଶତ୍ରୁ ଆକ୍ରମଣ ପରେ ଆୟର ଉପରୋକ୍ତ ସ୍ରୋତଟି ବନ୍ଦ ହୋଇଗଲା । ଏହା ସହିତ ପରାଜୟ ପରେ ସନ୍ଧିସ୍ଥାପନ କରିବାକୁ ସେମାନଙ୍କୁ (ଗଙ୍ଗମାନଙ୍କୁ) ରାଜକୋଷରୁ ଧନରତ୍ନ ମଧ୍ୟ ଦେବାକୁ ପଡ଼ିଲା । ଏହା ଗଙ୍ଗମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିଦେଲା । ବାରମ୍ବାର ଯୁଦ୍ଧରେ ପରାଜୟ ଲଭି ଗଙ୍ଗମାନେ ଲୌକିକ ସ୍ତରରେ ମଧ୍ୟ ଲୋକପ୍ରିୟତା ହରାଇଲେ । ଗଙ୍ଗବଂଶର ଶେଷ ସ୍ୱାଧୀନ ରାଜା ଚତୁର୍ଥ ଭାନୁଦେବ ୧୪୧୪ରେ ସିଂହାସନ ଆରୋହଣ କଲେ । ସେ ଏତେ ମାତ୍ରାରେ ଦୁର୍ବଳ ଥିଲେ ଯେ, ମାଳବର ରାଜା ସୁଲତାନ ହୁସାଙ୍ଗ ୧୪୨୧ରେ ଗଙ୍ଗରାଜାଙ୍କୁ ରାଜଧାନୀରେ ବନ୍ଦୀ କରିଦେଲେ । ଏହି ଲଜ୍ଜାଜନକ ସ୍ଥିତିରୁ ମୁକ୍ତି ପାଇବାପାଇଁ ଗଙ୍ଗରାଜା ମାଳବ ରାଜାଙ୍କୁ ୭୫ଟି ଉତ୍କୃଷ୍ଟ ମାନର ଅଶ୍ୱ ଦେବାକୁ ବାଧ୍ୟ ହେଲେ ।

ରାଜତ୍ୱର ଶେଷ ପର୍ଯ୍ୟାୟରେ ଚତୁର୍ଥ ଭାନୁଦେବ ରେଡ୍ଡି ବଂଶର ଗୃହଯୁଦ୍ଧର ସୁଯୋଗ ନେଇ ରେଡ୍ଡିମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହେଲେ । ମାତ୍ର ଏହି ବିଜୟ କ୍ଷଣସ୍ଥାୟୀ ପ୍ରମାଣିତ ହେଲା, କାରଣ ତାଙ୍କୁ ଦକ୍ଷିଣରେ ବିଜୟନଗର ଆକ୍ରମଣର ଶିକାର ହେବାକୁ ପଡ଼ିଲା । ଗଙ୍ଗରାଜା ରାଜଧାନୀ ବାହାରେ ଯୁଦ୍ଧରେ ବ୍ୟସ୍ତ ଥିବାବେଳେ ତାଙ୍କ ମନ୍ତ୍ରିମଣ୍ଡଳ ବିଦ୍ରୋହ ଘୋଷଣା କଲେ । ଚତୁର୍ଥ ଭାନୁଦେବ ଦକ୍ଷିଣରୁ ପ୍ରତ୍ୟାବର୍ତ୍ତ କରି ବିଦ୍ରୋହ ଦମନ କରିବା ପୂର୍ବରୁ କପିଳ ରାଜଗାଦିରେ ବସିଲେ ଏବଂ ନିଜକୁ କପିଳେନ୍ଦ୍ରଦେବ ଭାବରେ ନାମିତ କରି ୧୪୩୫ ଖ୍ରୀଷ୍ଟାବ୍ଦରେ ସୂର୍ଯ୍ୟବଂଶ ନାମରେ ଏକ ରାଜବଂଶ ପ୍ରତିଷ୍ଠା କଲେ । ଏଣିକି ଗଙ୍ଗମାନଙ୍କ ଅଧୀନରେ କାମ କରିଥିବା କପିଳେନ୍ଦ୍ରଦେବ ଗଙ୍ଗରାଜ୍ୟ ଅଧିକାର କରି ଓଡ଼ିଶାକୁ ନୂଆ ନେତୃତ୍ୱ ଦେବାକୁ ଉଦ୍ୟମ କଲେ । ଦୀର୍ଘ ଚାରିଶହ ବର୍ଷର ନିରବଚ୍ଛିନ୍ନ ରାଜତ୍ୱ ପରେ ଗଙ୍ଗବଂଶର ପତନ ହେଲା ।

ଏକାଦଶ ଶତାବ୍ଦୀର ଶେଷଭାଗରେ ଗଙ୍ଗମାନେ ପୂର୍ବଭାରତର ଏକ ପ୍ରମୁଖ ସାମ୍ରାଜ୍ୟ ପ୍ରତିଷ୍ଠା କରିବାର ଗୌରବ ଲାଭ କରିଥିଲେ । ସେମାନଙ୍କ ସମୟରେ ଆଧୁନିକ ଓଡ଼ିଶାର ବିଭିନ୍ନ କ୍ଷେତ୍ର ଏକଶାସନାଧୀନ ହୋଇଥିଲା । ପୂର୍ବରୁ ଚଳିଆସୁଥିବା ବ୍ରାହ୍ମଣମାନଙ୍କ ପୃଷ୍ଠପୋଷକତା ପ୍ରଦାନ କରିବାର ବିଧିକୁ ଗଙ୍ଗମାନେ ଅଧିକ ତେଜୀୟାନ କରିଥିଲେ, ଯାହା ଫଳରେ ସମଗ୍ର ଓଡ଼ିଶାରେ ବ୍ରାହ୍ମଣ୍ୟ ଧର୍ମର ସାମାଜିକ କର୍ତ୍ତୃତ୍ୱ ଅତି ମାତ୍ରାରେ ବୃଦ୍ଧି ପାଇଥିଲା । ଜଗନ୍ନାଥଙ୍କୁ ଓଡ଼ିଶାର ରାଷ୍ଟ୍ରଦେବତା କରି ଗଢ଼ିବାରେ ଗଙ୍ଗମାନେ ପ୍ରମୁଖ ଭୂମିକା ନେଇଥିଲେ । ସେତେବେଳେ ଦକ୍ଷିଣରେ ଏବଂ ମଧ୍ୟ-ଭାରତରେ ମନ୍ଦିରକଳାର ଯେଉଁ ବିକାଶ ସମ୍ଭବ ହୋଇଥିଲା, ତା'ର ଉତ୍କୃଷ୍ଟ ନିଦର୍ଶନ ଓଡ଼ିଶାରେ ଦେଖିବାକୁ ମିଳିଲା । ପୁରୀ ଓ କୋଣାର୍କର ପ୍ରଖ୍ୟାତ ମନ୍ଦିରଗୁଡ଼ିକୁ ବାଦ୍‍ଦେଇ ଆହୁରି ଅନେକ ମନ୍ଦିର ଗଙ୍ଗମାନେ ନିର୍ମାଣ କଲେ । ଅନେକ ଥର ଗଙ୍ଗମାନେ ବିଜୟଲାଭ ମଧ୍ୟ କରିଛନ୍ତି । ରାଜ୍ୟ ଜୟରୁ ଲାଭ ହେଉଥିବା ଧନରତ୍ନକୁ ଗଙ୍ଗମାନେ ନିର୍ମାଣ କାର୍ଯ୍ୟରେ ତଥା ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରିବାରେ ବ୍ୟୟ କରୁଥିଲେ । ମୋଟ ଉପରେ କହିଲେ, ଓଡ଼ିଶା ରାଜ୍ୟର ଏକତ୍ରୀକରଣ ପାଇଁ ମଧ୍ୟଯୁଗରେ{{right|ଓଡ଼ିଶା ଇତିହାସ . ୭୯