ପୃଷ୍ଠା:Odisha Itihasa.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାରାଗୁଡ଼ା ଉପତ୍ୟକାରେ ଓଡ଼ିଶାର ଦୁଇଟି ସର୍ବ ପୁରାତନ ମନ୍ଦିରର ଅବଶେଷ ଦେଖିବାକୁ ମିଳେ । ଏହା ପଞ୍ଚମ ଶତାବ୍ଦୀରେ ନଳରାଜା ଭବଦତ୍ତ ନିର୍ମାଣ କରିଥିବାର ଅନୁମାନ କରାଯାଏ । ମନ୍ଦିର ଦୁଇଟି ଇଟା ଓ ପଥରଦ୍ୱାରା ନିର୍ମିତ ଏବଂ ଛାତର କୌଣସି ଅବଶେଷ ନାହିଁ । ତହିଁରୁ ଗୋଟିଏ ମନ୍ଦିର ଶିବଙ୍କପାଇଁ ଉତ୍ସର୍ଗୀକୃତ ଓ ଅନ୍ୟଟି ସ୍ଥାନୀୟା ଅଧିଷ୍ଠାତ୍ରୀ ଦେବୀ ମାହେଶ୍ୱରୀଙ୍କପାଇଁ ଉଦ୍ଦିଷ୍ଟ । ଷଷ୍ଠ ଶତାବ୍ଦୀର ଗୋକର୍ଣ୍ଣେଶ୍ୱର ଶିବମନ୍ଦିର ଅନ୍ୟ ଏକ ପ୍ରାଚୀନ ମନ୍ଦିର । ପୂର୍ବ-ଗଙ୍ଗ ରାଜତ୍ୱ କାଳରେ ମହେନ୍ଦ୍ର ପର୍ବତରେ ଏହାର ପ୍ରତିଷ୍ଠା କରାଯାଇଥିଲା । ଏହା ସାତଟି ପଥରରେ ନିର୍ମିତ ଏବଂ ଏହାର ଶୀର୍ଷରେ ଏକ ଅମଳକ ଶିଳା ରହିଛି । କୋରାପୁଟ ଜିଲ୍ଲାର ପଦ୍ମପୁର ନିକଟସ୍ଥ ଜଗମଣ୍ଡା ପାହାଡ଼ ଉପରେ ଥିବା ନୀଳକଣ୍ଠେଶ୍ୱର ଶିବମନ୍ଦିର ହେଉଛି ଗୋକର୍ଣ୍ଣେଶ୍ୱର ମନ୍ଦିରର ସମସାମୟିକ । ଜଗମଣ୍ଡା ମନ୍ଦିର ନଅଟି ପଥରରେ ନିର୍ମିତ ।

ଏଥିରୁ ଅନୁମିତ ହୁଏ ଯେ, ମନ୍ଦିର ନିର୍ମାଣ କଳା ଓଡ଼ିଶାର ସବୁଆଡେ଼ ବିସ୍ତାରିତ ହୋଇ ରହିଥିଲା । କୋରାପୁଟ ଓ କଳାହାଣ୍ଡି ଭଳି ଅଞ୍ଚଳରେ ମଧ୍ୟ ଏହାର କମ୍‍ ବିସ୍ତାର ନଥିଲା । ନିର୍ମାଣ ଶୈଳୀରେ ତ୍ରୁଟି ରହିଥିବାରୁ ଉପର ଛାତ ଦୀର୍ଘସ୍ଥାୟୀ ହୋଇ ପାରୁନଥିଲା ଏବଂ ମନ୍ଦିର ବିଶାଳ ଆକାରର ହୋଇ ପାରୁନଥିଲା । କାଳକ୍ରମେ ଏକାଦଶ ଶତାବ୍ଦୀ ବେଳକୁ ଏଥିରେ ବିକାଶ ଘଟିଲା । ସମଗ୍ର ଓଡ଼ିଶା ଅଞ୍ଚଳ ଏକଶାସନାଧୀନ ହେବାରୁ ବିଭିନ୍ନ ଅଞ୍ଚଳର ଶିଳ୍ପୀ ଏକ ସ୍ଥାନରେ କାମ କରିବାର ସୁଯୋଗ ପାଇଲେ । ସେମାନଙ୍କର ପାରସ୍ପରିକ ଭାବ ବିିନିମୟ, ଶୈଳୀରେ ରହିଥିବା ତ୍ରୁଟିକୁ ସୁଧାରିବାରେ ସାହାଯ୍ୟ କଲା । ଏହା ଫଳରେ, ବିଶାଳ ଆକାରର ମନ୍ଦିରନିର୍ମାଣ ସମ୍ଭବ ହେଲା ଓ ନିର୍ମାଣ ବେଳେ ବହୁ ସଂଖ୍ୟକ ଶିଳ୍ପୀ ପରସ୍ପର ମଧ୍ୟରେ ଯୋଗାଯୋଗ କରିବାରେ ସମର୍ଥ ହେଲେ । ଏହା ନିର୍ମାଣ ଶୈଳୀକୁ ଅଧିକ ବିକଶିତ କରିବା ତଥା ଶିଳ୍ପୀମାନଙ୍କ ମଧ୍ୟରେ ସାମାଜିକ ସଂପର୍କ ବୃଦ୍ଧି କରିବାରେ ସାହାଯ୍ୟ କଲା । ଅନ୍ୟ ଅର୍ଥରେ କହିଲେ; ରାଜ୍ୟର ସମୃଦ୍ଧି, ବଡ଼ ମନ୍ଦିରର ନିର୍ମାଣ, ବହୁ ସଂଖ୍ୟକ ଶିଳ୍ପୀଙ୍କ ମଧ୍ୟରେ ଯୋଗାଯୋଗ ଓ ଓଡ଼ିଶାର ରାଜନୈତିକ ଏକତ୍ରୀକରଣ ପରସ୍ପରପାଇଁ ଅନୁପୂରକ ହେଲେ । ଏହି କାରଣରୁ ଗଙ୍ଗଶାସନ କାଳରେ ନିର୍ମିତ ମନ୍ଦିରଗୁଡ଼ିକ ପ୍ରସିଦ୍ଧ ହେଲା ।

କଳିଙ୍ଗ ସ୍ଥାପତ୍ୟର ଉତ୍କର୍ଷ ଓ ସ୍ୱତନ୍ତ୍ରତାକୁ ଭାରତରେ ସେତେବେଳେ ବିଶେଷ ମହତ୍ତ୍ୱ ପ୍ରଦାନ କରାଯାଇଥିଲା । କର୍ଣ୍ଣାଟକରୁ ମିଳିଥିବା ତ୍ରୟୋଦଶ ଶତାବ୍ଦୀର (୧୨୩୫ ଖ୍ରୀଷ୍ଟାବ୍ଦ) ଏକ ଶିଳାଲିପିରେ ଚାରି ପ୍ରକାର ମନ୍ଦିର ନିର୍ମାଣ ଶୈଳୀ କଥା କୁହାଯାଇଛି । ସେଗୁଡ଼ିକ ହେଲା: ନାଗର ଶୈଳୀ, ବେସର ଶୈଳୀ, ଦ୍ରାବିଡ଼ ଶୈଳୀ ଓ କଳିଙ୍ଗ ଶୈଳୀ । ଏଥିରୁ ମନେହୁଏ ଓଡ଼ିଶା ବାହାରେ ମଧ୍ୟ କଳିଙ୍ଗ ଶୈଳୀକୁ ପ୍ରସିଦ୍ଧି ମିଳିଥିଲା ।

କଳିଙ୍ଗର ମନ୍ଦିର ମୁଖ୍ୟତଃ ତିିନି ଅଂଶରେ ବିଭକ୍ତ । ସେଗୁଡିକ ହେଲା ରେଖ, ପୀଢ଼ ଓ ଖାକରା । ମନ୍ଦିର ଶିଖରର ଆକାର ଓ ପୂଜା ଅର୍ଚ୍ଚନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବିଭକ୍ତୀକରଣ କରାଯାଇଥାଏ । ରେଖ ଦେଉଳ, ମୁଖ୍ୟ ଦେବତାଙ୍କ ନିମନ୍ତେ ଉଦ୍ଦିଷ୍ଟ ଏବଂ ଗର୍ଭଗୃହ୮୨ . ଓଡ଼ିଶା ଇତିହାସ