ପୃଷ୍ଠା:Odisha Itihasa.pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉପରେ ନିର୍ମିତ । ପୀଢ଼ ଦେଉଳ ଗର୍ଭଗୃହ ସମ୍ମୁଖରେ ଥିବା ମୁଖଶାଳା । ଏହାରି ଉପରେ ମନ୍ଦିର ନିର୍ମିତ । ପୀଢ଼ ଦେଉଳ ଭକ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ । ରେଖ ଓ ପୀଢ଼ ମଧ୍ୟରେ ରହିଥିବା ପରିପୂରକତାକୁ ଦୃଷ୍ଟିରେ ରଖି ଉଭୟ ଦେଉଳର ସଂଯୋଗସ୍ଥଳୀକୁ ଶିଳ୍ପଶାସ୍ତ୍ରରେ ବିବାହ ବନ୍ଧନ ରୂପେ ବର୍ଣ୍ଣନା କରାଯାଇଛି । ଖାକରା ଦେଉଳ ଶାକ୍ତଦେବୀଙ୍କପାଇଁ ଉଦ୍ଦିଷ୍ଟ । ଖାକରା ଦେଉଳର ଶିଖର "ଖ' ଆକାରର ବା ଚୈତ୍ୟଗୃହ ଭଳି ଅର୍ଦ୍ଧସିଲିଣ୍ଡର ଆକୃତିର । ଏହା ଓଲଟି ପଡ଼ିଥିବା ବୋଇତ ପରି ଦେଖାଯାଏ । ଦାକ୍ଷିଣାତ୍ୟର ପ୍ରଭାବ ଏଥିରେ ରହିଛି । ଖାକରା ଦେଉଳ ଓଡ଼ିଶାରେ କ୍ୱଚିତ୍‍ ପରିଦୃଷ୍ଟ ହୁଏ । ଭୁବନେଶ୍ୱରର ବୈତାଳ ଦେଉଳ, ଗୌରୀ ଦେଉଳ, ଚୌରାସିର ବରାହୀ ମନ୍ଦିର ଓ ବୟାଳିଶ ବାଟିର ଗଙ୍ଗେଶ୍ୱରୀ ମନ୍ଦିର ଖାକରା ଶୈଳୀରେ ନିର୍ମିତ ମନ୍ଦିରର ନିଦର୍ଶନ । ରେଖ ଓ ପୀଢ଼ ଦେଉଳର ଭିତ୍ତି ବର୍ଗାକାର । ରେଖ ଦେଉଳର ଶିଖର ଆଲମ୍ବ ଭାବେ ଏକ ରେଖା ଭଳି ହୋଇ ବେକ ପାଖରେ ବକ୍ରାକାର ହୋଇଥାଏ । ପୀଢ଼ ଦେଉଳ ହେଲା କ୍ରମକ୍ଷୟିଷ୍ଣୁ ଶିଖରସଂପନ୍ନ ଏକ ପିରାମିଡ ସଦୃଶ । ରେଖ ଦେଉଳର ପ୍ରକୋଷ୍ଠକୁ ଗର୍ଭଗୃହ ବା ବିମାନ କୁହାଯାଏ । ସେଠାରେ ମନ୍ଦିରର ମୁଖ୍ୟ ଦେବତା ଅଧିଷ୍ଠିତ ହୁଅନ୍ତି । ଷଷ୍ଠରୁ ଏକାଦଶ ଶତାବ୍ଦୀ ମଧ୍ୟରେ ରେଖ ଦେଉଳର ଆକାରରେ କ୍ରମ ବିକାଶ ଦେଖାଗଲା । ଗଙ୍ଗ ଶାସନ କାଳରେ ମନ୍ଦିରକୁ ଅଧିକ ବିଶାଳ, ମାର୍ଜିତ ଓ ସୌଷ୍ଠବପୂର୍ଣ୍ଣ କରିବାପାଇଁ ଭିତ୍ତିସ୍ଥଳକୁ ବୃଦ୍ଧି କରାଗଲା । ଏହାଦ୍ୱାରା ମନ୍ଦିରର ବାହ୍ୟ ଆକାର ଅଧିକ ଗୋଲାକାର ହେବା ସହିତ ଗଠନ ବର୍ତ୍ତୁଳାକାର ଦେଖାଗଲା ।

ପ୍ରାରମ୍ଭିକ ସ୍ତରରେ ପୀଢ଼ ଦେଉଳର ଜଗମୋହନ ବା ମୁଖଶାଳା, ଯାହା ରେଖସ୍ଥିତ ଗର୍ଭଗୃହର ସମ୍ମୁଖରେ ରହିଥାଏ, ଏକ ଆୟତାକାର ପ୍ରକୋଷ୍ଠ ଭଳି ରହିଥିଲା । ଛାତକୁ ଟେକି ଧରିବାପାଇଁ ଦୁଇଟି ଧାଡ଼ିରେ ସ୍ତମ୍ଭମାନ ରହିଥିଲା । ମନ୍ଦିରର ଛାତ ଚାଳଘରର ଛାତ ଭଳି ଦୋଚାଳିଆ ଥିଲା । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର ଏହି ଶ୍ରେଣୀଭୁକ୍ତ; ମାତ୍ର ସୋମବଂଶୀ ରାଜତ୍ୱକାଳୀନ ମନ୍ଦିରରେ ପ୍ରଥମ କରି ବର୍ଗାକାରର ମୁଖଶାଳା ଦେଖିବାକୁ ମିଳିଲା । ଫଳରେ ଛାତ ପିରାମିଡ଼ ଭଳି ହେଲା । ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିର ଏହି ଶ୍ରେଣୀର ମନ୍ଦିର । ପରବର୍ତ୍ତୀ ସମୟରେ ମୁଖଶାଳାରେ ପୂର୍ଣ୍ଣାଙ୍ଗ ପୀଢ଼ ଦେଉଳ ଦେଖିବାକୁ ମିଳିଲା । ଲିଙ୍ଗରାଜ, ବ୍ରହ୍ମେଶ୍ୱର, ପୁରୀ ଜଗନ୍ନାଥ, କୋଣାର୍କର ସୂର୍ଯ୍ୟମନ୍ଦିର ଏହି ଶ୍ରେଣୀର ମନ୍ଦିର । ପୀଢ଼ର ଗଣ୍ଡି ଉପରେ ମସ୍ତକର ରଚନା କରାଯାଇଥାଏ । ଅନ୍ୟ ଉପ-ଅଙ୍ଗ ଗୁଡ଼ିକୁ (ତଳୁ ଉପର ଯାଏ) ବେକି, ଘଣ୍ଟ, ଅଁଳାବେକି, ଅମଳକ, ଖପୁରି ଓ କଳସ କୁହାଯାଏ । କୋଣାର୍କ ସୂର୍ଯ୍ୟ ମନ୍ଦିରର ରେଖ ଦେଉଳ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ସାରିଛି । କେବଳ ପୀଢ଼ ଦେଉଳର ନିର୍ମାଣ ଶୈଳୀ, ଭାସ୍କର୍ଯ୍ୟ ଓ ସୂକ୍ଷ୍ମ କାରୁକାର୍ଯ୍ୟ ରହିଛି । ତାହା ସତ୍ତ୍ୱେ ଏହା ଆଜି ବିଶ୍ୱ ଐତିହ୍ୟର ମାନ୍ୟତା ପାଇଛି ।

ନିର୍ମାଣଶୈଳୀ ପରି କାରୁକାର୍ଯ୍ୟ ମଧ୍ୟ ମନ୍ଦିରକୁ ସ୍ୱାତନ୍ତ୍ର୍ୟ ପ୍ରଦାନ କରେ । ମନ୍ଦିରରେ ବିଭିନ୍ନ ପ୍ରକାର ମୂର୍ତ୍ତିି, ଡ଼ାଳ, ପୁଷ୍ପଲତା ଖୋଦିତ ହୋଇ ମନ୍ଦିରର ଶୋଭା ବର୍ଦ୍ଧନ କରେ । ମୂର୍ତ୍ତିଗୁଡ଼ିକ ମୁଖ୍ୟତଃ ତୋରଣ, ପ୍ରବେଶଦ୍ୱାର, ସ୍ତମ୍ଭ, ଗବାକ୍ଷ, ପାର୍ଶ୍ୱଦେବତା ତଥା ଛାତ ଇତ୍ୟାଦିରେ ଖୋଦିତ{{right|ଓଡ଼ିଶା ଇତିହାସ . ୮୩