ପୃଷ୍ଠା:Odisha Itihasa.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇଥାନ୍ତି । ମୂର୍ତ୍ତିିଗୁଡ଼ିକ ମଧ୍ୟରେ ନାଗ-ନାଗୀ, ଗଙ୍ଗା-ଯମୁନା, ପାର୍ଶ୍ୱଦେବ-ପାର୍ଶ୍ୱଦେବୀ, ନବଗ୍ରହ, ମିଥୁନ -ମୈଥୁନ, ନାୟିକା, ଦ୍ୱାରପାଳ-ଦ୍ୱାରପାଳିକା, ଦିଗପାଳ- ଦିଗପାଳିକା, ଗଜସିଂହ, ଭାରବାହକ ଆଦି ଅନ୍ୟତମ । ଓଡ଼ିଶାର ମନ୍ଦିରଗୁଡ଼ିକ ମୂଳରୁ ଚୂଳ ପର୍ଯ୍ୟନ୍ତ କାରୁକାର୍ଯ୍ୟପୂର୍ଣ୍ଣ । ମନ୍ଦିରରେ ବ୍ରହ୍ମାଣ୍ଡର କଳ୍ପନା ରହିଥାଏ । ତେଣୁ କାରୁକାର୍ଯ୍ୟରେ ଦେବ-ଦେବୀ, ଗନ୍ଧର୍ବ, କିନ୍ନର, ନର-ନାରୀ, ପଶୁପକ୍ଷୀ ଓ ଗଛଲତା ରହିଥାନ୍ତି । ଏକାଦଶ ଶତାବ୍ଦୀରେ ସୋମବଂଶୀ ରାଜତ୍ୱ କାଳରେ ନିର୍ମିତ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ହେଉଛି ଏକ ମହାନ କୃତି । ମନ୍ଦିରରେ ପାର୍ଶ୍ୱ ଦେବତା ଭାବରେ ଗଣେଶ, କାର୍ତ୍ତିିକେୟ ଓ ପାର୍ବତୀ ଯଥାକ୍ରମେ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦିଗରେ ଅବସ୍ଥାପିତ । ମୂର୍ତ୍ତିିଗୁଡ଼ିକ କଳା ମୁଗୁନି ପଥରରେ ନିର୍ମିତ । ମନ୍ଦିରରେ ଅନେକଗୁଡ଼ିଏ ଅଙ୍ଗ ଶିଖର ବା ଶିଖର ମନ୍ଦିର ରହିଛି । ମନ୍ଦିରର ଗର୍ଭଗୃହ ଓ ମୁଖଶାାଳାର ବାହ୍ୟକାନ୍ଥ, କାରୁକାର୍ଯ୍ୟ ଓ ମୂର୍ତ୍ତିିକଳାଦ୍ୱାରା ଅଳଙ୍କୃତ । ମନ୍ଦିର ସମ୍ମୁଖରେ ଏକ ବାହନ ସ୍ତମ୍ଭରେ ଉଭୟ ବୃଷଭ ଓ ଗରୁଡ଼ ଅବସ୍ଥାପିତ । ଏଥିରୁ ଅନୁମାନ କରାଯାଏ ଯେ ଲିଙ୍ଗରାଜ ମନ୍ଦିରକୁ ଉଭୟ ଶୈବ ଓ ବୈଷ୍ଣବ ଧର୍ମର ସମନ୍ୱୟ ଭାବରେ କଳ୍ପନା କରାଯାଇଥିଲା । ପୂଜାବିଧିରେ ଉଭୟ ବେଲପତ୍ର (ଶିବଙ୍କ ପ୍ରିୟ) ଓ ତୁଳସୀ ପତ୍ର (ବିଷ୍ଣୁଙ୍କର ପ୍ରିୟ)ର ବ୍ୟବହାରରୁ ମଧ୍ୟ ଏହା ସୁସ୍ପଷ୍ଟ ହୁଏ ।

ଭୁବନେଶ୍ୱରର ଅନ୍ୟ ଏକ ପ୍ରସିଦ୍ଧ ମନ୍ଦିର ହେଲା ରାଜାରାଣୀ ମନ୍ଦିର । ଏହାର ଅଙ୍ଗଶିଖରର ସାଜସଜ୍ଜା ମଧ୍ୟ-ଭାରତର ସ୍ଥାପତ୍ୟ କଳାଦ୍ୱାରା ପ୍ରଭାବିତ ବୋଲି କୁହାଯାଏ । ଫଳରେ ଉଭୟ କଳିଙ୍ଗ ଓ ମଧ୍ୟ-ଭାରତର ସ୍ଥାପତ୍ୟ କଳା ଏଠାରେ ସମନ୍ୱିତ ହୋଇଥିବା ଅନୁମିତ ହୁଏ ।

ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ମନ୍ଦିର କଳାର ଉତ୍କର୍ଷ ଦେଖିବାକୁ ମିଳିଥାଏ । ଗଙ୍ଗରାଜା ଚୋଡ଼ଗଙ୍ଗ ଦେବଙ୍କଦ୍ୱାରା ଦ୍ୱାଦଶ ଶତାବ୍ଦୀର ମଧ୍ୟ ଭାଗରେ ଏହା ନିର୍ମିତ । ଲିଙ୍ଗରାଜ ମନ୍ଦିର ପରି ଏହା ବିମାନ, ଜଗମୋହନ, ନାଟମନ୍ଦିର ଓ ଭୋଗମଣ୍ଡପକୁ ନେଇ ଗଠିତ । ମନ୍ଦିରର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ରାହାପାଗରେ ବା ଆଧାରଶିଳାରେ ଯଥାକ୍ରମେ ବରାହ, ନରସିଂହ ଓ ତ୍ରିବିକ୍ରମ ପାର୍ଶ୍ୱଦେବତା ରୂପେ ଅବସ୍ଥାପିତ । ମନ୍ଦିର ପ୍ରାଙ୍ଗଣରେ ଅନେକ ଦେବଦେବୀଙ୍କ ମନ୍ଦିର ବିଦ୍ୟମାନ । ମନ୍ଦିର ଚତୁର୍ପାର୍ଶ୍ୱରେ ଏକ ପ୍ରକାଣ୍ଡ ପ୍ରାଚୀର ରହିଛି- ଯାହା ମେଘନାଦ ପ୍ରାଚୀର ରୂପେ ଅଭିହିତ । ପ୍ରାଚୀରର ଚାରି ପାର୍ଶ୍ୱରେ ଚାରିଟି ପ୍ରବେଶଦ୍ୱାର ରହିଛି । ପୂର୍ବଦିଗର ମୁଖ୍ୟ ଦ୍ୱାରକୁ ସିଂହଦ୍ୱାର ଏବଂ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାରକୁ ଯଥାକ୍ରମେ ହସ୍ତୀଦ୍ୱାର, ଅଶ୍ୱଦ୍ୱାର ଓ ବ୍ୟାଘ୍ରଦ୍ୱାର କୁହାଯାଏ ।

କିମ୍ବଦନ୍ତୀ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥ ମନ୍ଦିରର ନିର୍ମାଣ କରିଥିଲେ । ମାତ୍ର ତାହା ଅନେକ କାଳଯାଏ ବାଲିରେ ପୋତି ହୋଇ ରହିଥିଲା । ଶେଷରେ ରାଜା ଗାଲମାଧବ ମନ୍ଦିରର ପୁନରୁଦ୍ଧାର କରିଥିଲେ । ମାତ୍ର ମାଦଳାପାଞ୍ଜି ଅନୁସାରେ ସୋମବଂଶୀ ରାଜା ଯଯାତି କେଶରୀ ଏହାର ନିର୍ମାଣ କରିଥିଲେ । ଏହି ସବୁ କିମ୍ବଦନ୍ତୀ ସମ୍ଭବତଃ ମନ୍ଦିରର ପ୍ରାଚୀନତା ସାବ୍ୟସ୍ତ କରିବାକୁ ସୃଷ୍ଟ । ଅନ୍ୟଥା ଗଙ୍ଗ ରାଜା ଚୋଡ଼ଗଙ୍ଗଦେବଙ୍କଦ୍ୱାରା ଦ୍ୱାଦଶ ଶତାବ୍ଦୀରେ ବର୍ତ୍ତମାନର ମନ୍ଦିର ନିର୍ମିତ ବୋଲି ଅନେକ ଐତିହାସିକ ପ୍ରମାଣ ରହିଛି ।୮୪ . ଓଡ଼ିଶ ଇତିହାସ