ପୃଷ୍ଠା:Odisha Itihasa.pdf/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଗନ୍ନାଥ ମନ୍ଦିରର ଅନ୍ୟ ଏକ ବିଶେଷତ୍ୱ ହେଲା, ନିର୍ମାଣର ବହୁବର୍ଷ ପରେ ଏଥିରେ ଅରୁଣସ୍ତମ୍ଭକୁ ସଂଯୋଜିତ କରାଯାଇଛି । ମନ୍ଦିରର ପ୍ରସିଦ୍ଧି ବୃଦ୍ଧି ପାଇଥିବାରୁ ତାହାର ପୃଷ୍ଠପୋଷକତା କରିବାକୁ ଯାଇ ଅଷ୍ଟାଦଶ ଶତାବ୍ଦୀରେ ମରାଠାମାନେ କୋଣାର୍କରୁ ଏହି ସ୍ତମ୍ଭକୁ ଆଣି ଜଗନ୍ନାଥ ମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ । ସ୍ତମ୍ଭ ଉପରେ ଅରୁଣ ମୂର୍ତ୍ତିି ସ୍ଥାପିତ ହୋଇଥିବାରୁ ଏହାକୁ ଅରୁଣସ୍ତମ୍ଭ ବୋଲି ମଧ୍ୟ କୁହାଯାଏ । ମନ୍ଦିର ବେଢ଼ା ମଧ୍ୟରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି । ମୁକ୍ତିମଣ୍ଡପ ପାର୍ଶ୍ୱରେ ଥିବା ନୃସିଂହ ମନ୍ଦିର ବର୍ତ୍ତମାନର ମନ୍ଦିର ଅପେକ୍ଷା ବହୁ ପ୍ରାଚୀନ ବୋଲି କୁହାଯାଏ । ବିମଳା, ଭୁବନେଶ୍ୱରୀ ଓ ଲକ୍ଷ୍ମୀ ମନ୍ଦିର ବେଢ଼ାର ଅନ୍ୟ ମନ୍ଦିରମାନଙ୍କ ମଧ୍ୟରେ ପ୍ରମୁଖ । କୋଣାର୍କର ସୂର୍ଯ୍ୟ ମନ୍ଦିର ଗଙ୍ଗରାଜତ୍ୱର ସର୍ବଶ୍ରେଷ୍ଠ କୃତି । ତ୍ରୟୋଦଶ ଶତାବ୍ଦୀର ମଧ୍ୟ ଭାଗରେ ପ୍ରଥମ ନରସିଂହଦେବଙ୍କଦ୍ୱାରା ଏହା ନିର୍ମିତ । ମନ୍ଦିରର ବିମାନ ବା ମୁଖ୍ୟ ଦେଉଳ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି; ମନ୍ଦିର ବେଢ଼ାରେ ନାଟମନ୍ଦିର ଏବଂ ଜଗମୋହନ ଆଂଶିକ ଭଗ୍ନାବସ୍ଥାରେ ଦଣ୍ଡାୟମାନ । କୋଣାର୍କର ନାଟମନ୍ଦିର ଏକ ଉଚ୍ଚ ପୀଠ ଉପରେ ଅବସ୍ଥିତ ଏବଂ ଏହା ଉପରକୁ ଯିବାପାଇଁ ଚାରି ପାର୍ଶ୍ୱରେ ପାହାଚ ରହିଛି । ନାଟମନ୍ଦିରର ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବଜାଉଥିବା ତଥା ନୃତ୍ୟ ପରିବେଷଣ କରୁଥିବା ମୂର୍ତ୍ତିି ଖୋଦିତ ।

ନାଟମନ୍ଦିର ପରି କୋର୍ଣାକର ଜଗମୋହନ ବା ମୁଖଶାଳା ମଧ୍ୟ ଏକ ଉଚ୍ଚ ପୀଠ ଉପରେ ନିର୍ମିତ । ଜଗମୋହନକୁ ଅଶ୍ୱଦ୍ୱାରା ଟଣା ଯାଉଥିବା ଏକ ବିଶାଳ ରଥର ସ୍ୱରୂପ ଦିଆଯାଇଛି । ରଥରେ ୨୪ଟି ଚକ ଏବଂ ସମ୍ମୁଖ ଭାଗରେ ସାତଟି ଅଶ୍ୱ ଖଚିତ । ଜଗମୋହନର ଉଚ୍ଚତା ପ୍ରାୟ ୧୨୦ ଫୁଟ ଏବଂ ତିନି ଥାକର ପୀଢ଼କୁ ନେଇ ଏହା ଗଠିତ । ଭଗ୍ନ ବିମାନର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱର ରାହାପାଗରେ ଉଦୀୟମାନ ସୂର୍ଯ୍ୟ, ମଧ୍ୟାହ୍ନ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟ ପାର୍ଶ୍ୱଦେବତା ରୂପେ ଖୋଦିତ ।

ଗଙ୍ଗବଂଶୀ ରାଜାମାନଙ୍କ ପରେ ସୂର୍ଯ୍ୟବଂଶୀଙ୍କ ରାଜତ୍ୱ କାଳରେ ମଧ୍ୟ କେତେକ ମନ୍ଦିର ନିର୍ମିତ ହୋଇଥିଲା । ମାତ୍ର ଗଙ୍ଗକାଳୀନ ମନ୍ଦିରର ବିଶାଳତା ଓ ସୂକ୍ଷ୍ମ କାରୁକାର୍ଯ୍ୟ ତହିଁରେ ଦେଖିବାକୁ ମିଳେ ନାହିଁ । ତେଣୁ ଗଙ୍ଗକାଳୀନ ଶାସନକୁ ମନ୍ଦିରକଳାର ଶିଖର ବୋଲି କୁହାଯାଏ । ଏହା ପରେ କ୍ରମଶଃ ଓଡ଼ିଶାରେ ମନ୍ଦିରକଳାର ଅବକ୍ଷୟ ଘଟିଲା ବୋଲି କହିଲେ ଭୁଲ ହେବନାହିଁ । ଏହି ଅବକ୍ଷୟର ଏକ ପ୍ରମୁଖ କାରଣ ହେଲା, ରାଜ ପୃଷ୍ଠପୋଷକତାର ଅଭାବ । ସୂର୍ଯ୍ୟବଂଶୀ ରାଜତ୍ୱ କାଳରେ ଶିଳ୍ପୀକୁଳ ଧ୍ୱଂସ ପାଇ ନଥିଲେ, ବରଂ ସେମାନେ ଓଡ଼ିଶାର ଅଭ୍ୟନ୍ତରକୁ ବିସ୍ତାରିତ ହୋଇଥିଲେ ଏବଂ ସ୍ଥାନୀୟ ପ୍ରୋତ୍ସାହନରେ ନାନା ସ୍ଥାନରେ ସେମାନେ ମନ୍ଦିର ଶିଳ୍ପକୁ ଜୀବିତ ରଖିଥିଲେ । ପ୍ରୋତ୍ସାହନ ଯେହେତୁ ସ୍ଥାନୀୟ, ମନ୍ଦିର ନିର୍ମାଣ ମଧ୍ୟ ଗଙ୍ଗକାଳୀନ ମନ୍ଦିର ପରି ଭବ୍ୟ ଓ ବିଶାଳ ହୋଇ ପାରି ନଥିଲା ।


...

{{right|ଓଡ଼ିଶା ଇତିହାସ . ୮୫