ପୃଷ୍ଠା:Odisha Itihasa.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏହି ଉପାଧି ପରବର୍ତ୍ତୀ ସମୟରେ ଅର୍ଥାତ ସୂର୍ଯ୍ୟବଂଶୀ ଶାସନ କାଳରେ ଏବଂ ତା'ପରେ ଏକ ରାଜନୈତିକ ଅର୍ଥରେ ବ୍ୟବହୃତ ହେଲା । ଜଗନ୍ନାଥଙ୍କର ଆସ୍ଥାନ ରୂପେ ପ୍ରତିଷ୍ଠା ଲାଭ କରିଥିବା ପୁରୀ ଉପରେ ଯେଉଁ ରାଜାଙ୍କର ନିୟନ୍ତ୍ରଣ ରହିଲା, କେବଳ ସେହି ରାଜା 'ଗଜପତି' ଉପାଧି ବହନ କଲେ । ଏହାକୁ 'ସମ୍ରାଟ'ର ଏକ ସମାର୍ଥବୋଧକ ଶବ୍ଦ ରୂପେ ରାଜନୈତିକ ସ୍ୱୀକୃତି ମିଳିଲା । ଅନ୍ୟ ଶବ୍ଦରେ କହିଲେ, 'ଗଜପତି' ଉପାଧି ଉକ୍ତ ରାଜାଙ୍କୁ ମୋଟ ଓଡ଼ିଶାର ଶାସକ ତୁଲ୍ୟ ସମ୍ମାନ ପ୍ରଦାନ କଲା । ଯେମିତି ଜଗନ୍ନାଥ ଓଡ଼ିଶାର ରାଷ୍ଟ୍ରଦେବତା ରୂପେ ପ୍ରତିଷ୍ଠା ଲାଭ କରିଥିଲେ, ସେମିତି 'ଗଜପତି' ଓଡ଼ିଶାର ଶାସକ ଭାବରେ ମର୍ଯ୍ୟାଦା ପାଇଲେ । 'ଜଗନ୍ନାଥ' ଓ 'ଗଜପତି' ପରସ୍ପରପାଇଁ ଅନୁପୂରକ ହେବା ସହିତ ଓଡ଼ିଶାକୁ ଏକ ସାମାଜିକ ତଥା ରାଜନୈତିକ ଅସ୍ମିତା ଦେବାରେ ସହାୟକ ହେଲେ ।

କପିଳେନ୍ଦ୍ର ଦେବ (୧୪୩୫-୧୪୬୭) ଗଜପତି ଶାସନର ପ୍ରତିଷ୍ଠାତା ଥିଲେ କପିଳେନ୍ଦ୍ର ଦେବ । ୧୪୩୫ ଖ୍ରୀଷ୍ଟାବ୍ଦରେ ସେ ଗଙ୍ଗବଂଶର ଚତୁର୍ଥ ଭାନୁଦେବଙ୍କ ପରେ ସିଂହାସନ ଆରୋହଣ କରି ସୂର୍ଯ୍ୟବଂଶର ପ୍ରତିଷ୍ଠା କରିଥିଲେ । ସମ୍ଭବତଃ କପିଳେନ୍ଦ୍ରଦେବ ଏକ ସାଧାରଣ ବଂଶଜ ଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଜାଗେଶ୍ୱର ଓ ମାତାଙ୍କ ନାମ ବେଲମା । ତାଙ୍କ ପୂର୍ବପୁରୁଷ ଦକ୍ଷିଣ ଓଡ଼ିଶାରୁ ଆସିଥିଲେ । ଗଙ୍ଗରାଜାଙ୍କ ସେନାବାହିନୀରେ କପିଳେନ୍ଦ୍ର ପ୍ରଥମେ 'ରାଉତ' ଓ ପରେ 'ନାୟକ' ପଦକୁ ଉନ୍ନୀତ ହୋଇଥିଲେ । ସୂର୍ଯ୍ୟବଂଶ ଶାସନ ପରେ ଲିଖିତ ମାଦଳାପାଞ୍ଜି ଅନୁଯାୟୀ, ଜଗନ୍ନାଥଙ୍କ ସ୍ୱପ୍ନାଦେଶ ପାଇ ଚତୁର୍ଥ ଭାନୁଦେବ ଦରିଦ୍ର ବାଳକ 'କପିଳ ରାଉତ'ଙ୍କୁ ପୋଷ୍ୟ ପୁତ୍ର ରୂପେ ଗ୍ରହଣ କରିଥିଲେ । ଗଙ୍ଗରାଜ ଅପୁତ୍ରକ ଥିବାରୁ ଉତ୍ତରାଧିକାରରେ କପିଳେନ୍ଦ୍ରଙ୍କୁ ରାଜସିଂହାସନ ପ୍ରାପ୍ତ ହେଲା ।

କପିଳେନ୍ଦ୍ରଙ୍କ ସିଂହାସନ ଆରୋହଣକୁ ଜଗନ୍ନାଥସମ୍ମତ ଅର୍ଥାତ୍‍ ଯୁକ୍ତିଯୁକ୍ତ ବୋଲି ଗ୍ରହଣ କରିନେବା ସକାଶେ ମାଦଳାପାଞ୍ଜିରେ କିମ୍ବଦନ୍ତୀ ସୃଷ୍ଟି ହୋଇଥିବା ମନେହୁଏ । ଭାନୁଦେବ ଦୁର୍ବଳ ଥିଲେ ଏବଂ ବିଭିନ୍ନ ଯୁଦ୍ଧରେ ପରାଜୟ ବରଣ କଲା ପରେ ତାଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା । ରାଜା ଭାନୁଦେବ ବିଦ୍ରୋହ ଦମନପାଇଁ ରାଜଧାନୀ ବାହାରକୁ ଯାଇଥିବା ଅବସରରେ ସେନାନାୟକ କପିଳେନ୍ଦ୍ର, ପାତ୍ର ମନ୍ତ୍ରୀଙ୍କ ସହଯୋଗରେ ସିଂହାସନ ଆରୋହଣ କଲେ ଏବଂ ରାଜା ହେବା ପରେ ଭାନୁଦେବଙ୍କୁ ରାଜଧାନୀକୁ ଫେରିବାକୁ ଦେଇ ନଥିଲେ । ଫଳରେ ଗଙ୍ଗବଂଶର ଶେଷ ରାଜା ସିଂହାସନରୁ ବଞ୍ଚିତ ହୋଇ ଗୁଡାରି କଟକ ନାମକ ସ୍ଥାନରେ ଶେଷ ସମୟ ଅତିବାହିତ କରିଥିଲେ । ଗଙ୍ଗବଂଶ ବିରୁଦ୍ଧରେ କପିଳେନ୍ଦ୍ରଙ୍କ ଶାନ୍ତିପୂର୍ଣ୍ଣ ବିଦ୍ରୋହର ପୁଷ୍ଟିପାଇଁ ଅନ୍ୟ ଏକ ତଥ୍ୟ ହେଲା ଯେ, ଗଙ୍ଗରାଜାଙ୍କ ପୋଷ୍ୟପୁତ୍ର ହୋଇଥିଲେ ତାଙ୍କୁ ଏକ ନୂତନ ରାଜବଂଶ ପ୍ରତିଷ୍ଠା କରିବାକୁ ପଡ଼ିନଥାନ୍ତା । କପିଳେନ୍ଦ୍ରଙ୍କୁ ସିଂହାସନ ଆରୋହଣରେ ଗଙ୍ଗଶାସନର କେତେକ ପ୍ରମୁଖ ଅଧିକାରୀ ଯଥା ମହାପାତ୍ର ଗୋପୀନାଥ, ଜଳେଶ୍ୱର ସେନା ନରେନ୍ଦ୍ର ଓ କାଶୀ ବିଦ୍ୟାଧର ସହଯୋଗ କରିଥିଲେ । ଏହା ଫଳରେ ଗଙ୍ଗରାଜାଙ୍କୁ ଗାଦିଚ୍ୟୁତ କରିବା କଷ୍ଟକର ହେଲା ନାହିଁ ।{{right|ଓଡ଼ିଶା ଇତିହାସ . ୮୭