ପୃଷ୍ଠା:Odisha Itihasa.pdf/୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଞ୍ଚଦଶ ଶତାବ୍ଦୀ ବେଳକୁ ଜଗନ୍ନାଥଙ୍କୁ ଓଡ଼ିଶାର ପ୍ରକୃତ ରାଜା ଓ ଗଙ୍ଗରାଜାଙ୍କୁ ତାଙ୍କ ଚଳନ୍ତି ସ୍ୱରୂପ ଭାବରେ ସ୍ୱୀକୃତି ମିଳିଥିଲା । କପିଳେନ୍ଦ୍ରଙ୍କ ରାଜତ୍ୱ ମଧ୍ୟ ଜଗନ୍ନାଥସମ୍ମତ ବୋଲି ଦର୍ଶାଇବାକୁ କିମ୍ବଦନ୍ତୀମାନ ସୃଷ୍ଟି କରାଗଲା । ମାଦଳାପାଞ୍ଜି ହୁଏତ କପିଳେନ୍ଦ୍ରଙ୍କ ବହୁ ପରେ ଲେଖାହୋଇଥିଲା, ମାତ୍ର ତହିଁରେ ରହିଥିବା କିମ୍ବଦନ୍ତୀଗୁଡ଼ିକ କପିଳେନ୍ଦ୍ରକାଳୀନ ବୋଲି ମନେହୁଏ । କିମ୍ବଦନ୍ତୀ କପିଳେନ୍ଦ୍ରଙ୍କ ସିଂହାସନ ଆରୋହଣକୁ ଜଗନ୍ନାଥସମ୍ମତ ଭାବରେ ପ୍ରସ୍ତୁତ କରି ସୂର୍ଯ୍ୟବଂଶକୁ ଲୋକସମ୍ମତ କରିଦେଲା । ଏହା ସତ୍ତ୍ୱେ, ଆନ୍ତରିକ ବିରୋଧର ଆଶଙ୍କା ଏଡାଇବା ପାଇଁ ସିଂହାସନ ଆରୋହଣ ପରେ କପିଳେନ୍ଦ୍ର ଲୁଣ ଓ କଉଡି ଉପରୁ ଟିକସ ଛାଡ଼ କରିଥିଲେ । ଏହା ସତ୍ତ୍ୱେ କେତେକ ସାମନ୍ତ ରାଜା, ଯଥା-ଆଧୁନିକ କୋରାପୁଟ ଅଞ୍ଚଳରେ ରହିଥିବା ନନ୍ଦପୁର ରାଜା, ବିଶାଖାପାଟଣା ଅଞ୍ଚଳରେ ରହିଥିବା ପଞ୍ଚଧରିଆ ରାଜା ଏବଂ ମାଳ ଅଞ୍ଚଳର କେତେକ ରାଜା, କପିଳେନ୍ଦ୍ର ଦେବଙ୍କ ସିଂହାସନ ଆରୋହଣକୁ ସ୍ୱୀକାର କରି ନଥିଲେ । ଏହି ବିରୋଧୀମାନଙ୍କୁ ତାଗିଦ କରି ଲିଙ୍ଗରାଜ ମନ୍ଦିରରେ ଏକ ଶିଳାଲେଖରେ କୁହାଯାଇଥିଲା ଯେ, ବିରୋଧୀ ସାମନ୍ତ ରାଜାମାନେ ରାଜ୍ୟ ଶାସନ ପ୍ରତି ଧ୍ୟାନ ନ ଦେଇ ଯଦି ବିରୋଧ ଅବ୍ୟାହତ ରଖନ୍ତି, ସେମାନଙ୍କୁ ଗଜପତି ରାଜା ଗାଦିଚ୍ୟୁତ କରିବାକୁ ବାଧ୍ୟ ହେବେ । କପିଳେନ୍ଦ୍ରଙ୍କ ମନ୍ତ୍ରୀ ଗୋପୀନାଥ ମହାପାତ୍ର ଗୋପୀନାଥପୁର ଶାସନରେ (ଆଧୁନିକ ସାଲେପୁର ନିକଟରେ ଅବସ୍ଥିତ) ଏକ ଶିଳାଲେଖରେ କପିଳେନ୍ଦ୍ରଙ୍କୁ ମହାନ ସୂର୍ଯ୍ୟବଂଶୋଦ୍ଭବ ଓ ତାଙ୍କ ଶାସନକୁ ଜଗନ୍ନାଥସ୍ୱୀକୃତ ବୋଲି ଉଲ୍ଲେଖ କରିଛନ୍ତି । ଏହି ସବୁ ଦୃଷ୍ଟାନ୍ତରୁ ମନେହୁଏ ଯେ, କପିଳେନ୍ଦ୍ର ଗଙ୍ଗବଂଶକୁ ବିରୋଧ କରି ସିଂହାସନ ଆରୋହଣ କରିଥିଲେ, ଯାହା ଫଳରେ ତାଙ୍କୁ ଆନ୍ତରିକ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ।

ନିଜର ସ୍ଥିତିକୁ ସୁଦୃଢ଼ କଲା ପରେ କପିଳେନ୍ଦ୍ର ବହିଃଶତ୍ରୁମାନଙ୍କୁ ନିପାତ କରିବାକୁ ଆକ୍ରମଣାତ୍ମକ ନୀତି ଅବଲମ୍ବନ କରିଥିଲେ । ପ୍ରଥମେ ଦକ୍ଷିଣରେ ସେ ସୀମାଞ୍ଚଳମ୍‍ରୁ ରେଡ୍ଡିମାନଙ୍କୁ ବିତାଡ଼ିତ କରିଥିଲେ । ସେହି ସମୟରେ ରାଜମହେନ୍ଦ୍ରୀର ରାଜନୈତିକ ଅବସ୍ଥା ଅନ୍ତରୀଣ ବିବାଦ ଓ ବାହାମନୀର ସୁଲତାନଙ୍କ ଆକ୍ରମଣ ଆଶଙ୍କାଯୋଗୁଁ ସଂକଟାପନ୍ନ ଥିଲା । ଏହାର ସୁଯୋଗ ନେଇ କପିଳେନ୍ଦ୍ର ବିଜୟନଗରର ରାଜା ଦ୍ୱିତୀୟ ଦେବରାୟଙ୍କୁ ପରାଜିତ କରି ରାଜମହେନ୍ଦ୍ରୀ ଅଧିକାର କଲେ । ୧୪୪୬ରେ ଦ୍ୱିତୀୟ ଦେବରାୟଙ୍କ ମୃତ୍ୟୁ ପରେ ବିଜୟନଗର ଅଧିକ ଦୁର୍ବଳ ହୋଇପଡ଼ିଲା । ବିଜୟନଗର ସାମ୍ରାଜ୍ୟର କର୍ତ୍ତୃତ୍ୱରେ ଥିବା ରାଜମହେନ୍ଦ୍ରୀର ରେଡ୍ଡି ରାଜା କପିଳେନ୍ଦ୍ରଙ୍କ ସହ ବିବାଦ ବେଳେ ବିଜୟନଗରରୁ କୌଣସି ସୈନ୍ୟ ସହାୟତା ପାଇଲେ ନାହିଁ । ଫଳରେ ୧୪୪୮ ପୂର୍ବରୁ ରାଜମହେନ୍ଦ୍ରୀ କପିଳେନ୍ଦ୍ରଙ୍କ ସମ୍ପୂର୍ଣ୍ଣ ଶାସନଭୁକ୍ତ ହେଲା । ଏହି ବିବାଦ ବେଳେ କପିଳେନ୍ଦ୍ରଙ୍କ ପକ୍ଷରୁ ତାଙ୍କ ପୁତ୍ର ହମ୍ଭିର ଦେବ ସୈନ୍ୟ ପରିଚାଳନା କରିଥିଲେ ।

ସେତେବେଳେ ଦକ୍ଷିଣର ଅନ୍ୟ ଏକ ସାମନ୍ତରାଜ୍ୟ ଥିଲା କୋଣ୍ଡାବିଡୁ । ଏହା ବିଜୟନଗର ସାମ୍ରାଜ୍ୟର କର୍ତ୍ତୃତ୍ୱରେ ରହିଥିଲା । ଦ୍ୱିତୀୟ ଦେବରାଜଙ୍କ ମୃତ୍ୟୁ ପରେ ବିଜୟଗରର କର୍ତ୍ତୃତ୍ୱ୮୮ . ଓଡ଼ିଶା ଇତିହାସ