ପୃଷ୍ଠା:Odisha Itihasa.pdf/୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋଣ୍ଡାବିଡୁ ଉପରୁ ହ୍ରାସ ପାଇଲା । ଏହାର ସୁଯୋଗ ନେଇ କପିଳେନ୍ଦ୍ର କୋଣ୍ଡାବିଡୁ ଅଧିକାର କଲେ । ୧୪୫୪ ମସିହାରେ ଖୋଦିତ ଏକ ଶିଳାଲେଖ ଅନୁଯାୟୀ, କପିଳେନ୍ଦ୍ରଙ୍କଦ୍ୱାରା ନିଯୁକ୍ତ ଗଣଦେବ ନାମକ ଜଣେ ଅଧିକାରୀ ସେଠାରେ ପରୀକ୍ଷ (ରାଜ୍ୟପାଳ) ଭାବରେ ସ୍ଥାପିତ ହୋଇଥିଲେ । କୋଣ୍ଡାବିଡୁକୁ ବାଦଦେଲେ ଆଦାଙ୍କି ଓ ବିନୁକୋଣ୍ଡା ସାମନ୍ତରାଜ୍ୟ ମଧ୍ୟ ତାଙ୍କ ଦାୟିତ୍ୱ ଅନ୍ତର୍ଭୁକ୍ତ ଥିଲା । ଅର୍ଥାତ୍‍ କପିଳେନ୍ଦ୍ରଦେବଙ୍କ ରାଜତ୍ୱ କାଳରେ କୃଷ୍ଣା-ଗୋଦାବରୀ ଉପତ୍ୟକା ଗଜପତି ଶାସନର ଅଧିକାରଭୁକ୍ତ ହେଲା ।

ତେଲେଙ୍ଗାନା ଅଧିକାର ରାଜମହେନ୍ଦ୍ରୀ ଓ କୋଣ୍ଡାବିଡୁ ଅଧିକାର ପରେ ଗଜପତି ରାଜା ତେଲେଙ୍ଗାନା ପ୍ରତି ଦୃଷ୍ଟି ନିକ୍ଷେପ କଲେ । ସେତେବେଳେ ତେଲେଙ୍ଗାନା ବେଲ୍ଲମା ରାଜାଙ୍କ ଶାସନାଧୀନ ଥିଲା । ପଡ଼ୋଶୀ ବିଜୟନଗର ଓ ବାହାମନୀ ରାଜ୍ୟ ତୁଳନାରେ ଏହା କ୍ଷୁଦ୍ର ଥିବାରୁ ନିଜର ଅସ୍ତିତ୍ୱ ରକ୍ଷାପାଇଁ ବେଲ୍ଲମାମାନଙ୍କୁ କୂଟନୀତି ପ୍ରୟୋଗ କରିବାକୁ ପଡୁଥିଲା । ବିଜୟନଗରର ସାମନ୍ତ ରେଡ୍ଡି ମାନଙ୍କର ରାଜ୍ୟ ସହିତ ତେଲେଙ୍ଗାନାର ବରାବର ଶତ୍ରୁତା ଲାଗି ରହିଥିଲା । ସୁରକ୍ଷାପାଇଁ ବେଲ୍ଲମା ରାଜା ବାହାମନୀ ସୁଲତାନଙ୍କ ସାହାଯ୍ୟ ଲୋଡୁଥିଲେ । ପାରସ୍ପରିକ ରାଜନୈତିକ ସମ୍ବନ୍ଧ ରକ୍ଷା ବେଳେ ଉଭୟ ରାଜ୍ୟ ମଧ୍ୟରେ ଧର୍ମ କେବେ ବି ବାଧକ ହୋଇନଥିଲା । ମାତ୍ର କିଛିକାଳ ପରେ ଉଭୟ ରାଜ୍ୟ ମଧ୍ୟରେ ବିବାଦ ହେଲା ଏବଂ ତେଲେଙ୍ଗାନା ରାଜା ବିଜୟନଗରର ସହଯୋଗ ନେଲେ । ପ୍ରତିକ୍ରିୟା ସ୍ୱରୂପ, ପ୍ରଥମେ ୧୪୨୫ରେ ଏବଂ ଦ୍ୱିତୀୟ ଥର ୧୪୩୫ରେ ବାହାମନୀ ସୁଲତାନ ସୈନ୍ୟ ଚାଳନା କରି ତେଲେଙ୍ଗାନା ଅଧିକାର କରିନେଲେ ।

ଓଡ଼ିଶାରେ ଗଜପତି ଶାସନର ଉଦୟ ପରେ ତେଲେଙ୍ଗାନା ରାଜା ବେଲମ୍ମା ମୁଖ୍ୟ ମଦୟଲିଙ୍ଗ କପିଳେନ୍ଦ୍ରଦେବଙ୍କ ସହ ସମ୍ବନ୍ଧ ସ୍ଥାପନ କଲେ । ଏହା ସହିତ ସେ ବାହମନୀ ସୁଲତାନଙ୍କ ଶତ୍ରୁମାନଙ୍କୁ ବିଦ୍ରୋହ କରିବାକୁ ପ୍ରରୋଚିତ କଲେ । ଏଥିରେ ଉତ୍‍କ୍ଷିପ୍ତ ହୋଇ ସୁଲତାନ ମଦୟଲିଙ୍ଗଙ୍କ ଉପରେ ଦେବରକୋଣ୍ଡାଠାରେ ଆକ୍ରମଣ କଲେ । ମାତ୍ର ମଦୟଲିଙ୍ଗଙ୍କ ସମର୍ଥରେ ଗଜପତି ସେନା ପହଞ୍ଚିଯିବାରୁ ୧୪୫୮ରେ ବାହାମନୀ ସୁଲତାନ ଓ ଗଜପତି ସେନା ମଧ୍ୟରେ ଯୁଦ୍ଧହେଲା ଏବଂ ଯୁଦ୍ଧରେ କପିଳେନ୍ଦ୍ରଦେବ ଜୟଯୁକ୍ତ ହେଲେ । କପିଳେନ୍ଦ୍ରଦେବଙ୍କ ଯୁଦ୍ଧ ସଫଳତା ପଛରେ ବଡ଼ କାରଣ ଥିଲା, ତାଙ୍କ ବିଶାଳ ଗଜାରୋହୀ ସେନା । ଗଜପତିଙ୍କ ଜ୍ୟେଷ୍ଠପୁତ୍ର ହମ୍ଭିର ଦେବ ଦକ୍ଷତାର ସହିତ ଏହି ଯୁଦ୍ଧ ପରିଚାଳନା କରିଥିଲେ । ଦେବରକୋଣ୍ଡା ବିଜୟ ପରେ ହମ୍ଭିର ଦେବ ଓ୍ୱାରଙ୍ଗଲ ଦୁର୍ଗ ମଧ୍ୟ ଅଧିକାର କରିନେଲେ । ୧୪୫୮ରେ ଗଜପତି ରାଜା ଗୁଣ୍ଟୁର ଅବସ୍ଥାନ କାଳରେ ବେଲଜାଲାନି ଗ୍ରାମ ବ୍ରାହ୍ମଣମାନଙ୍କୁ ଦାନ କରିଥିଲେ । ଉକ୍ତ ଦାନ ଫଳକରେ ତାଙ୍କୁ 'ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର' ଭାବରେ ଉଲ୍ଲେଖ କରାଯାଇଛି । ଏଥିରୁ ମନେହୁଏ ଯେ, ଗୁଣ୍ଟୁର ବ୍ୟତୀତ ସେ ଆରା, ହାମ୍ପିି, ଦିଲ୍ଲୀ ଓ ଗୁଲବର୍ଗା ରାଜ୍ୟର ରାଜାମାନଙ୍କୁ ମଧ୍ୟ ଯୁଦ୍ଧରେ ପରାସ୍ତ କରିଥିଲେ ।{{right|ଓଡ଼ିଶା ଇତିହାସ . ୮୯