ପୃଷ୍ଠା:Odisha Itihasa.pdf/୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏକ ଶିଳାଲେଖରୁ ଜଣାଯାଏ ସେ 'ମାଲିକା ପାରିସା' ବା 'ମାଲିକା ପରିସା' (ମାଲିକ ପାଦଶାହ) ଅର୍ଥାତ୍‍ ଗୌଡ଼ର ନବାବଙ୍କ ସହିତ ଯୁଦ୍ଧ କରିଥିଲେ । ମାତ୍ର କପିଳେନ୍ଦ୍ରଙ୍କ ବଙ୍ଗ ବିଜୟକୁ ପୁଷ୍ଟ କରିବାପାଇଁ ଅନ୍ୟ କୌଣସି ଐତିହାସିକ ତଥ୍ୟ ପ୍ରମାଣ ଏ ପର୍ଯ୍ୟନ୍ତ ପ୍ରାପ୍ତ ହୋଇନାହିଁ । ଯଦିଓ କପିଳେନ୍ଦ୍ର ଦେବ ଏକ ବିଶାଳ ରାଜ୍ୟ ଗଠନ କରିଥିଲେ ଏବଂ ଅନେକ ଯୁଦ୍ଧ ଜୟ କରିଥିଲେ, ବିଜିତ ରାଜ୍ୟଗୁଡ଼ିକୁ ସେ ଅଧିକ କାଳ ନିଜ କର୍ତ୍ତୃତ୍ୱାଧୀନ ରଖି ପାରିନଥିଲେ । ବିଜିତ ରାଜାମାନେ ବାର୍ଷିକ ଦେୟ ମାତ୍ର ଦେଇ ଗଜପତି ରାଜ୍ୟର ବଶ୍ୟତା ସ୍ୱୀକାର କରିଥିଲେ । କପିଳେନ୍ଦ୍ରଙ୍କ ସେନାର ବଡ଼ ଶକ୍ତି ହେଲା ତାଙ୍କ ବିଶାଳ ଗଜାରୋହୀ ସେନା । ସମ୍ମୁଖ ସମରରେ ବିଶାଳ ଗଜବାହିନୀ ଶତ୍ରୁ ପ୍ରାଣରେ ଭୟ ସୃଷ୍ଟି କରୁଥିଲା । କମାଣ ଓ ବାରୁଦର ବ୍ୟବହାର ପୂର୍ବରୁ ଯୁଦ୍ଧରେ ହସ୍ତୀବାହିନୀ ରାଜାଙ୍କର ପରାକ୍ରମକୁ ଦର୍ଶାଉଥିଲା । ସମ୍ଭବତଃ, ଅନେକ ବିଜିତ ରାଜ୍ୟରେ ଗଜପତିଙ୍କ ପ୍ରତ୍ୟକ୍ଷ ଶାସନ ନଥିଲା । ଫଳରେ କପିଳେନ୍ଦ୍ରଙ୍କ ବୃଦ୍ଧାବସ୍ଥାରେ ହିଁ ବହୁ ରାଜ୍ୟ ଗଜପତି ନିୟନ୍ତ୍ରଣରୁ ବାହାରି ଯାଇଥିଲେ । କପିଳେନ୍ଦ୍ରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ବିଶାଳ ରାଜ୍ୟ ଅତୁଟ ରହି ପାରି ନଥିଲା । ଶେଷରେ, ୧୪୬୬ରେ ସେ ପୁରୀରେ ଅବସ୍ଥାନ କରିବା ସମୟରେ ରାଜ୍ୟର ତେଲଙ୍ଗା ସାମନ୍ତ ରାଜାମାନେ ଗଜପତି ରାଜ୍ୟରୁ ପୃଥକ ହୋଇ ସ୍ୱାଧୀନତା ଘୋଷଣା କଲେ । ଏଥିରେ ବିଚଳିତ ହୋଇ କପିଳେନ୍ଦ୍ର, ସାନପୁଅ ପୁରୁଷୋତ୍ତମ ଦେବଙ୍କୁ ସାଙ୍ଗରେ ନେଇ ଦାକ୍ଷିଣାତ୍ୟ ଅଭିଯାନରେ ବାହାରିଲେ । ପରିଣତ ବୟସରେ ଭଗ୍ନସ୍ୱାସ୍ଥ୍ୟ ଓ ବିଚଳିତ ମନଯୋଗୁଁ ଶେଷରେ ୧୪୬୭ରେ ସେ କୃଷ୍ଣାନଦୀ କୂଳରେ ପୁରୁଷୋତ୍ତମ ଦେବଙ୍କୁ ଉତ୍ତରାଧିକାରୀ ନିଯୁକ୍ତ କରି ପ୍ରାଣତ୍ୟାଗ କଲେ ।

ମଧ୍ୟକାଳୀନ ଓଡ଼ିଶା ଇତିହାସରେ କପିଳେନ୍ଦ୍ରଦେବ ହେଉଛନ୍ତି ସବୁଠାରୁ ଅଧିକ ପରାକ୍ରମଶାଳୀ ରାଜା । ତତ୍‍କାଳୀନ ପୂର୍ବ ଓ ଦକ୍ଷିଣ ଭାରତର ଶକ୍ତିଶାଳୀ ବାହାମନୀ ସୁଲତାନ ନାସିରଉଦ୍ଦିନ୍ ହୁମାୟୁନ ଶାହ, ସାଲୁଭ ବା ସାଲ୍ୱ ନରସିଂହ ଓ ବିଜୟନଗର ସମ୍ରାଟ ମଲ୍ଲିକାର୍ଜୁନଙ୍କ ତୁଳନାରେ ସେ କମ୍‍ ଶକ୍ତିବାନ ନଥିଲେ । ସେମାନଙ୍କ ସହ ଯୁଦ୍ଧ କରି ସେ ଓଡ଼ିଶାକୁ ଏକ ବିଖ୍ୟାତ ରାଜ୍ୟର ସମ୍ମାନ ଦେଇଥିଲେ । ତାଙ୍କ ସମୟରେ ଓଡ଼ିଶା ସାମ୍ରାଜ୍ୟ ଦକ୍ଷିଣରେ କର୍ଣ୍ଣାଟକ ଏବଂ ପୂର୍ବରେ ବଙ୍ଗ ଯାଏ ବ୍ୟାପିଥିଲା । ଏକ ସାଧାରଣ ପରିବାରରେ ଜନ୍ମ ହୋଇ ତୀକ୍ଷ୍‍ଣ ବୁଦ୍ଧି, ସାହସ ଓ ନିଷ୍ଠା ବଳରେ ସେ ଏକ ନୂତନ ସାମ୍ରାଜ୍ୟ ଗଠନ କରିବାରେ ସଫଳ ହୋଇଥିଲେ । ଏହି ଗୌରବ ପାଇଁ ତାଙ୍କୁ ମୌର୍ଯ୍ୟସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ସହ ତୁଳନା କରିହେବ । ରାଜ୍ୟ ବିସ୍ତାରପାଇଁ କେତେବେଳେ ସେ ଧର୍ମ ଆଧାରରେ ପଡ଼ୋଶୀ ରାଜ୍ୟ ସହ ମେଣ୍ଟ କରିଥିଲେ ତ ଆଉ କେବେ ଧାର୍ମିକ ଆଧାରକୁ ଅଣଦେଖା କରି ସୁଲତାନଙ୍କ ସହ ବନ୍ଧୁତା କରିଥିଲେ । ସମ୍ଭବତଃ ଧର୍ମ ଅପେକ୍ଷା ଓଡ଼ିଆଜାତି ପରିଚୟ ତାଙ୍କପାଇଁ ଅଧିକ ମହତ୍ତ୍ୱ ରଖୁଥିଲା । ଗଙ୍ଗସମୟରୁ ଆରମ୍ଭ ହୋଇଥିଲେ ସୁଦ୍ଧା କପିଳେନ୍ଦ୍ରଙ୍କ ସମୟରେ 'ଗଜପତି' ଏକ ରାଜନୈତିକ ଉପାଧିର ସମ୍ମାନ ଲାଭ କଲା ଏବଂ ଗଜପତି ଉପାଧିଧାରୀ ରାଜା ଓଡ଼ିଶାର ଅନ୍ୟ ରାଜାମାନଙ୍କଠାରୁ ଶ୍ରେଷ୍ଠ ମାନ୍ୟତା ପାଇଲେ । କପିଳେନ୍ଦ୍ରଦେବଙ୍କ ସମୟରେ ଓଡ଼ିଆ ଭାଷା ଓ ସାହିତ୍ୟରେ ଏକ ନବ ଯୁଗ ଆରମ୍ଭ ହେଲା । ସାରଳା ଦାସଙ୍କ ଓଡ଼ିଆ 'ମହାଭାରତ' ଏହି{{right|ଓଡ଼ିଶା ଇତିହାସ . ୯୧