ପୃଷ୍ଠା:Odisha Itihasa.pdf/୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଚାରିବର୍ଷ ପରେ ୧୪୭୬ରେ ପୁରୁଷୋତ୍ତମଦେବ ଯୁଦ୍ଧରେ ହମ୍ଭିରଙ୍କୁ ପରାଜିତ କରି ପୁନର୍ବାର ଗଜପତି ସିଂହାସନ ଆରୋହଣ କଲେ । ପୁରୁଷୋତ୍ତମଙ୍କୁ ଏହି ଯୁଦ୍ଧରେ କେତେକ ଓଡ଼ିଶା ରାଜା ସମର୍ଥନ ଦେଇଥିବା ବେଳେ, ହମ୍ଭିରଦେବ ବାହାମନୀର ସମର୍ଥନରୁ ବଞ୍ଚିତ ହେଲେ । ପରାଜୟ ପରେ ହମ୍ଭିରଙ୍କର ପୁରୁଷୋତ୍ତମଦେବଙ୍କ ସହ ବୁଝାମଣା ହେଲା । ଗଞ୍ଜାମର ଖିମଡ଼ିରେ ସାମନ୍ତ ରାଜପଦବୀ ପାଇ ହମ୍ଭିରଦେବ ସନ୍ତୁଷ୍ଟ ରହିଲେ । ଏହି କାରଣରୁ ଖିମଡ଼ି ରାଜାମାନେ ମଧ୍ୟ ଗଜପତି ଉପାଧି ବହନ କରୁଥିଲେ ଏବଂ ପୁରୀ ଅଧିକାରପାଇଁ ପରବର୍ତ୍ତୀ ସମୟରେ ପୁରୀ ଗଜପତିଙ୍କ ସହ କଳହ ମଧ୍ୟ କରିଥିଲେ । ପୁରୁଷୋତ୍ତମଙ୍କୁ ଅନ୍ୟ ଯେଉଁ ଏକ ଶତ୍ରୁର ସମ୍ମୁଖୀନ ହେବାକୁ ପଡ଼ିଥିଲା, ସେ ଥିଲେ ବିଜୟନଗର ସାମ୍ରାଜ୍ୟର ଶାସକ ସାଲ୍ୱ ନରସିଂହ । କପିଳେନ୍ଦ୍ରଦେବଙ୍କ ମୃତ୍ୟୁ ପରେ ଗଜପତି ଶାସନ ଅନ୍ତର୍ବିବାଦରେ ଲିପ୍ତ ହେବା ଦେଖି ସେ ଦକ୍ଷିଣରୁ ଗଜପତି ଶାସନକୁ ବିତାଡ଼ିତ କରିବାକୁ ଲାଗିଲେ । ତାଙ୍କର ପ୍ରତିଯୋଗିତା ଉଭୟ ଗଜପତି ରାଜା ଓ ବାହାମନୀ ସୁଲତାନଙ୍କ ସହ ଲାଗିଥିଲା । ହମ୍ଭିର ଦେବଙ୍କ ସହ ମେଣ୍ଟ କରି ବାହାମନୀ ସୁଲତାନ ଗଜପତି ସେନାକୁ ପରାଜିତ କଲେ ଏବଂ ରାଜମହେନ୍ଦ୍ରୀ ଅଧିକାର କରିନେଲେ । ସେତେବେଳେ ସାଲ୍ୱ ନରସିଂହ ଗଜପତି ରାଜ୍ୟରୁ କୃଷ୍ଣା-ଗଜପତି କ୍ଷେତ୍ର ଅଧିକାର କରିବାକୁ ଉଦ୍ୟମ କରୁଥିଲେ । ଧର୍ମ ଆଧାରରେ ସେ ଗଜପତି ପୁରୁଷୋତ୍ତମଙ୍କ ସହ ମେଣ୍ଟ କରିଥିଲେ । ଏଥିରୁ ମଧ୍ୟ ମନେହୁଏ ଯେ, ମଧ୍ୟ-ଯୁଗରେ ରାଜନୀତିକ ନିଷ୍ପତ୍ତି ଧର୍ମ ଆଧାରରେ ନିଆଯାଉ ନଥିଲା । ବିଜୟନଗର ରାଜ୍ୟ କ୍ରମାଗତ ଅବକ୍ଷୟର ଶିକାର ହେବାରୁ ସାଲ୍ୱ ନରସିଂହ ନିଜକୁ କର୍ଣ୍ଣାଟକର ସ୍ୱାଧୀନ ରାଜା ଘୋଷଣା କଲେ । ପୁରୁଷୋତ୍ତମ ତାଙ୍କ ବିରୋଧରେ ସେନାପ୍ରେରଣ କରି କର୍ଣ୍ଣାଟକର ଉଦୟଗିରି (କିମ୍ବଦନ୍ତୀର କାଞ୍ଚି) ଅଧିକାର କରିନେଲେ । ୧୪୯୦ରେ ସାଲ୍ୱ ନରସିଂହଙ୍କ ମୃତ୍ୟୁ ପରେ ଓଡ଼ିଶାର ଦକ୍ଷିଣରେ ବିଜୟନଗର କର୍ତ୍ତୃତ୍ୱରେ ରହିଥିବା ସାମନ୍ତ ରାଜ୍ୟମାନ ଦୁର୍ବଳ ହୋଇପଡ଼ିଲେ । ସେଗୁଡିକୁ ନିଜ ରାଜ୍ୟରେ ଯୋଡ଼ିଦେବାକୁ ପୁରୁଷୋତ୍ତମ ଯଥୋଚିତ ପ୍ରୟାସ କଲେ । କେତେକ ଐତିହାସିକଙ୍କ ମତରେ, ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ମଧ୍ୟ ୧୫୧୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଉଦୟଗିରି ରାଜ୍ୟ ଗଜପତି ଶାସନର ଅଧିକାରଭୁକ୍ତ ହୋଇ ରହିଥିଲା ।

ଓଡ଼ିଶାର କିମ୍ବଦନ୍ତୀରେ ସାଲ୍ୱ ନରସିଂହ କାଞ୍ଚି ରାଜା ରୂପେ ପରିଚିତ । ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନ କରି ପ୍ରଥମେ ପରାଜିତ ହେବା ଏବଂ ଦ୍ୱିତୀୟଥର ବିଜୟୀ ହେବା କଥା କିମ୍ବଦନ୍ତୀରେ ଉଲ୍ଲେଖ ଅଛି । ଜନ ସ୍ୱୀକୃତି ପାଇବା ସାଙ୍ଗକୁ ସେନାବାହିନୀକୁ ଯୁଦ୍ଧପାଇଁ ପ୍ରରୋଚିତ କରିବା ଏହି କିମ୍ବଦନ୍ତୀର ଉଦ୍ଦେଶ୍ୟ । କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥ ଯୁଦ୍ଧରେ ଗଜପତିଙ୍କପାଇଁ ସଂଗ୍ରାମ କରିଥିଲେ । ଏଥିରୁ ମନେହୁଏ ଯେ, ଗଜପତି ଶାସନ ସମୟରେ ଜଗନ୍ନାଥ ଓ ପୁରୀ ଗଜପତିଙ୍କ ମଧ୍ୟରେ ଏକ ଅନୁରୂପକତା ସୃଷ୍ଟି ହୋଇସାରିଥିଲା । ଜଗନ୍ନାଥ ପୁରୀ ରାଜାଙ୍କ ପ୍ରତିରକ୍ଷା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ସମକାଳୀନ ଅନ୍ୟ ଅଣ-ଓଡ଼ିଶା ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସୁଦ୍ଧା କୁଣ୍ଠିତ ନଥିଲେ । ଏଥିରୁ କିମ୍ବଦନ୍ତୀ ପଛରେ ରହିଥିବା ରାଜନୈତିକ ଉଦ୍ଦେଶ୍ୟକୁ ବୁଝି ହୁଏ ।{{right|ଓଡ଼ିଶା ଇତିହାସ . ୯୩