ପୃଷ୍ଠା:Odisha Itihasa.pdf/୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉଦୟଗିରି ବା କାଞ୍ଚି ବିଜୟ ପରେ ପୁରୁଷୋତ୍ତମ ସାଲ୍ୱ ନରସିଂହଙ୍କ କନ୍ୟା ପଦ୍ମାବତୀଙ୍କ ସହ ବିବାହ କରିଥିଲେ ବୋଲି ପ୍ରବାଦ ରହିଛି । କୁହାଯାଏ, ପୁରୁଷୋତ୍ତମଙ୍କ ଉତ୍ତରାଧିକାରୀ ପ୍ରତାପରୁଦ୍ର ଦେବ ଥିଲେ ରାଣୀ ପଦ୍ମାବତୀଙ୍କ ପୁତ୍ର ।

ପ୍ରତାପରୁଦ୍ର ଦେବ (୧୪୯୭-୧୫୩୮) ୧୪୯୭ରେ ଗଜପତି ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ପ୍ରତାପରୁଦ୍ର ଦେବ ସିଂହାସନ ଆରୋହଣ କଲେ । ତାଙ୍କ ସମୟରେ ଓଡ଼ିଶାର ରାଜ୍ୟ ବିସ୍ତାର ହୋଇ ପାରିନଥିଲା । ବରଂ ଉତ୍ତର ବଙ୍ଗର ନବାବ, ଦକ୍ଷିଣରେ ବିଜୟନଗର ଓ ଗୋଲକୁଣ୍ଡା ଶାସକଙ୍କ ଆକ୍ରମଣ ଯୋଗୁଁ ଗଜପତି ରାଜ୍ୟ କ୍ଷୟ ହେବାରେ ଲାଗିଲା । ସେହି ଦୃଷ୍ଟିରୁ ଦେଖିଲେ ପ୍ରତାପରୁଦ୍ରଙ୍କ ସମୟରେ ଓଡ଼ିଶା ବହୁ ବହିରାକ୍ରମଣର ଶିକାର ହୋଇ କ୍ରମଶଃ ଦୁର୍ବଳ ହୋଇପଡିଲା ।

ପ୍ରତାପରୁଦ୍ରଙ୍କ ସିଂହାସନ ଆରୋହଣ ପୂର୍ବରୁ ୧୪୯୦ରେ ସାଲ୍ୱ ନରସିଂହଙ୍କର ଦେହାନ୍ତ ହୋଇ ସାରିଥିଲା । ସାଲ୍ୱ ନରସିଂହଙ୍କ ପରେ ନରସ ନାୟକ, ବିଜୟନଗରର ନାବାଳକ ରାଜା ଇମାଦି ନରସିଂହଙ୍କ ଅଭିଭାବକ ଭାବରେ ରାଜ୍ୟ ପରିଚାଳନା କଲେ । ତାଙ୍କର ଉଦ୍ୟମ ସତ୍ତ୍ୱେ ଅନ୍ତତଃ ୧୫୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଉଦୟଗିରି ଓ କୋଣ୍ଡାବିଡ଼ୁ ଗଜପତି ଶାସନଭୁକ୍ତ ହୋଇ ରହିଥିଲା । ଅନ୍ୟ ପକ୍ଷରେ ନରସ ନାୟକ ଶକ୍ତିଶାଳୀ ଥିଲେ ବୋଲି ବିଜୟନଗର କୌଣସି କ୍ଷେତ୍ର ହରାଇ ନଥିଲା । ୧୫୦୩ରେ ନରସ ନାୟକଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ବୀର ନରସିଂହ ସାଲ୍ୱ ରାଜା ଇମାଦି ନରସିଂହଙ୍କୁ ହତ୍ୟା କରି ସିଂହାସନ ଆରୋହଣ କଲେ । ତାଙ୍କ ତାଲ୍ୱ ବା ତାଲୁଭ ବଂଶ ଏଣିକି ବିଜୟନଗରର ନୂଆ ରାଜବଂଶ ହେଲା । ବିଜୟନଗର ରାଜ୍ୟରେ ରାଜନୈତିକ କଳହ ଚାଲିଥିବା ବେଳେ ତା'ର ସୁଯୋଗ ନେଇ ପ୍ରତାପରୁଦ୍ର ପୂର୍ବରୁ ହରାଇଥିବା ତାମିଲ କ୍ଷେତ୍ରଗୁଡ଼ିକୁ ୧୫୦୯ରେ ଜୟ କରିବାକୁ ଚେଷ୍ଟା କଲେ । ମାତ୍ର ଏଥିରେ ତାଙ୍କୁ ସଫଳତା ମିଳିପାରିଲା ନାହିଁ ।

ସଫଳତା ନ ମିଳିବା ପଛରେ ଏକ ପ୍ରମୁଖ କାରଣ ହେଲା ବଙ୍ଗର ନବାବ ହୁସେନ ଶାହଙ୍କ ଓଡ଼ିଶା ଆକ୍ରମଣ । ମାଦଳାପାଞ୍ଜି ଅନୁଯାୟୀ ହୁସେନ ଶାହ ପୁରୀ ଜଗନ୍ନାଥ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରି ମୂର୍ତ୍ତିିଗୁଡ଼ିକୁ ଭାଙ୍ଗି ପକାଇଥିଲେ । ବଙ୍ଗର ନବାବଙ୍କ ଆକ୍ରମଣ ଖବର ପାଇ ପ୍ରତାପରୁଦ୍ରଦେବ ଦକ୍ଷିଣରୁ ଓଡ଼ିଶାକୁ ଫେରି ଆସିଲେ ଏବଂ ହୁସେନ୍‍ଙ୍କ ଆକ୍ରମଣକାରୀ ସେନାକୁ ଘଉଡାଇ ଦେଇଥିଲେ । ମାତ୍ର ତାଙ୍କ ସେନାପତି ଗୋବିନ୍ଦ ବିଦ୍ୟାଧରଙ୍କ ବିଶ୍ୱାସଘାତକତାଯୋଗୁଁ ଗଜପତି ସେନା ଆଗକୁ ବଢ଼ି ପାରିଲେ ନାହିଁ ।

ଗଜପତିଙ୍କ ଅନ୍ୟ ପ୍ରମୁଖ ପ୍ରତିଯୋଗୀ ଥିଲେ ବିଜୟନଗରର ରାଜା କୃଷ୍ଣଦେବ ରାୟ । ୧୫୧୦ରେ ସେ ସିଂହାସନ ଆରୋହଣ କଲା ପରେ ବିଜୟନଗର ପୁଣି ଥରେ ଶାନ୍ତିି ଓ ସମୃଦ୍ଧିର ପ୍ରତୀକ ହେଲା । ଫଳରେ ଗଜପତିଙ୍କପାଇଁ ନିଜ ରାଜ୍ୟର ହୃତ ଅଂଶଗୁଡିକୁ ଫେରିପାଇବା କଷ୍ଟକର ହୋଇ ପଡିଲା । ୧୫୧୨-୧୩ରେ ଉଦୟଗିରିକୁ ପୁନର୍ବାର ଅଧିକାର କରିବାନିମିତ୍ତ କୃଷ୍ଣଦେବ୯୪ . ଓଡ଼ିଶା ଇତିହାସ