ପୃଷ୍ଠା:Odisha Itihasa.pdf/୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଇଥିବାର ପ୍ରମାଣ ରହିଛି । ଅର୍ଥାତ କୃଷ୍ଣଦେବ ସମତାଳରେ ଯୁଦ୍ଧଜୟ ଓ ଧର୍ମକାର୍ଯ୍ୟ କରୁଥିଲେ ବୋଲି ବୁଝିବାକୁ ହେବ । ‌ 'ମନୁଚରିତ' ଓ 'ଅମୁକ୍ତମାଲ୍ୟାଦ' ନାମକ ଦୁଇଟି ସମକାଳୀନ ପୋଥି ଅନୁସାରେ ୧୫୧୭ରୁ ୧୫୧୯ ମଧ୍ୟରେ କୃଷ୍ଣଦେବ ରାୟ ଗଜପତିଙ୍କ ରାଜଧାନୀ କଟକ ଆକ୍ରମଣ କରି ବହୁ ଧନସମ୍ପତ୍ତି ଲୁଣ୍ଠନ କରିଥିଲେ ଏବଂ ସେଠାକାର କେତେକ ଗୃହବାଡି଼କୁ ପୋଡ଼ି ଦେଇଥିଲେ । ଏହି ଅଭିଯାନ ପୂର୍ବରୁ ସେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ପ୍ରତାପରୁଦ୍ରଙ୍କ ପରାଜୟ ପରେ ଉଭୟଙ୍କ ମଧ୍ୟରେ ସନ୍ଧି ହୋଇଥିଲା । ସନ୍ଧି ଅନୁଯାୟୀ ଗଜପତି ରାଜ୍ୟର ସୀମା କୃଷ୍ଣା ନଦୀ ପର୍ଯ୍ୟନ୍ତ ରହିବ ବୋଲି ସ୍ଥିର ହେଲା । ପ୍ରତାପରୁଦ୍ର ନିଜ କନ୍ୟା ଜଗନ୍ମୋହିନୀଙ୍କୁ ମଧ୍ୟ କୃଷ୍ଣଦେବ ରାୟଙ୍କ ସହିତ ବିବାହ ଦେବାକୁ ସମ୍ମତ ହୋଇଥିଲେ । ବିଜୟନଗରରେ ତୁକ୍କା ନାମରେ ପରିଚିତ ଜଗନ୍ମୋହିନୀ 'ତୁକ୍କାପଞ୍ଚକମ୍‍' ଶୀର୍ଷକରେ ଏକ ପୁସ୍ତକ ରଚନା କରିଥିବା ଉଲ୍ଲେଖ ରହିଛି । ଏହିପରି ଭାବେ କପିଳେନ୍ଦ୍ରଙ୍କ ସମୟରେ ଅଧିକୃତ ଦକ୍ଷିଣର ପ୍ରାୟ ସମସ୍ତ କ୍ଷେତ୍ର ପ୍ରତାପରୁଦ୍ରଙ୍କ ସମୟରେ ଗଜପତି ନିୟନ୍ତ୍ରଣରୁ ବାହାରି ଯାଇଥିଲା । ଏହା ସତ୍ତ୍ୱେ, ପ୍ରତାପରୁଦ୍ରଙ୍କ ସାମ୍ରାଜ୍ୟ ଯଥେଷ୍ଟ ବଡ଼ ଥିଲା ବୋଲି କୁହାଯିବ, କାରଣ ବର୍ତ୍ତମାନର ଓଡ଼ିଶାରେ ଅନ୍ତର୍ଭୁକ୍ତ ଥିବା ତତ୍କାଳୀନ ସମସ୍ତ ରାଜ୍ୟ ସେତେବେଳେ ଗଜପତିଙ୍କ ପ୍ରଭୁତ୍ୱକୁ ସ୍ୱୀକାର କରିଥିଲେ । ପ୍ରାକୃତିକ ଓଡ଼ିଶାର କେତେକ ସୀମାନ୍ତ ଅଞ୍ଚଳ ମଧ୍ୟ ଗଜପତି ଶାସନାଧୀନ ଥିଲା ।

୧୫୧୯ରେ ବିଜୟନଗର ସହ ଶାନ୍ତି ସ୍ଥାପିତ ହେଲା ପରେ ଗଜପତି ରାଜାଙ୍କୁ ଗୋଲକୁଣ୍ଡାର ସୁଲତାନ କ୍ୟୁଲି କୁତବ ଶାହଙ୍କ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା । କ୍ୟୁଲି କୁତବ ଆରମ୍ଭରେ ବାହାମନୀ ସୁଲତାନ ମେହମୁଦ ଶାହଙ୍କ ସେନାପତି ରୂପେ କାର୍ଯ୍ୟ କରୁଥିଲେ । ମାତ୍ର ବାହାମନୀ ସୁଲତାନଙ୍କ ପତନଯୋଗୁଁ ୧୫୧୨ରେ ସେ ସ୍ୱାଧୀନ ଗୋଲକୁଣ୍ଡା ରାଜ୍ୟ ସ୍ଥାପନ କଲେ । ବାହାମନୀର ଅନ୍ୟ ଜଣେ ସେନାପତି ମଧ୍ୟ ଏହି ସମୟରେ ବିଜାପୁର ରାଜ୍ୟ ସ୍ଥାପନ କଲେ । ବିଜୟନଗର ସହ ଓଡ଼ିଶାର ବିବାଦ ବେଳେ (୧୫୧୨-୧୫୧୯) ଉଭୟ ବିଜାପୁର ଓ ଗୋଲକୁଣ୍ଡା ସୁଲତାନ ପଡୋଶୀର ବିନା ଭୟରେ ନିଜ ନିଜ ରାଜ୍ୟ ଏବଂ ସେନାକୁ ସୁସଂଗଠିତ କଲେ । ୧୫୧୯ରେ ଗଜପତିଙ୍କ ସହ ସନ୍ଧି ପରେ ବିଜୟନଗର ରାଜା (କୃଷ୍ଣଦେବ ରାୟ) ରାୟଚୁର ଦୁର୍ଗ ଦଖଲପାଇଁ ବିଜାପୁର ଆକ୍ରମଣ କଲେ । ଏହାର ସୁଯୋଗ ନେଇ ଗୋଲକୁଣ୍ଡା ସୁଲତାନ ଦକ୍ଷିଣ ଓଡ଼ିଶା ଆକ୍ରମଣ କଲେ । ତାଙ୍କୁ କିଛି ସଫଳତା ମଧ୍ୟ ମିଳିଥିଲା । ମାତ୍ର ପ୍ରତାପରୁଦ୍ରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଉତ୍ତାରୁ ଗୋଲକୁଣ୍ଡା ସୁଲତାନଙ୍କୁ ନିରାଶ ହେବାକୁ ପଡିଲା । ଏହି ବିଜୟ ପରେ ପ୍ରତାପରୁଦ୍ର କୃଷ୍ଣାନଦୀ ତଟରେ ମଙ୍ଗଳଗିରି ନାମକ ସ୍ଥାନରେ ଏକ ମନ୍ଦିର ନିର୍ମାଣ କରିଥିଲେ । ୧୫୨୯ରେ କୃଷ୍ଣଦେବ ରାୟଙ୍କ ଦେହାନ୍ତ ହେଲା । ଏହା ଫଳରେ ପ୍ରତାପରୁଦ୍ର ଶେଷ ସମୟରେ ପାଇଥିବା ଜଣେ ଅନ୍ତରଙ୍ଗ ମିତ୍ରଙ୍କୁ ହରାଇଲେ । ଏହାର ସୁଯୋଗ ନେଇ ଗୋଲକୁଣ୍ଡା ସୁଲତାନ ବାରମ୍ବାର ଓଡ଼ିଶା ଆକ୍ରମଣ କଲେ । ୧୫୩୧ର ଶେଷ ଆଡକୁ ପ୍ରତାପରୁଦ୍ରଙ୍କୁ୯୬ . ଓଡ଼ିଶା ଇତିହାସ