ପୃଷ୍ଠା:Odisha Itihasa.pdf/୯୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାଙ୍କ ହାତରେ ଶୋଚନୀୟ ଭାବେ ପରାସ୍ତ ହେବାକୁ ପଡ଼ିଲା । କୋଣ୍ଡାବିଡୁ ଦୁର୍ଗ ଗୋଲକୁଣ୍ଡା ରାଜ୍ୟର ଅନ୍ତର୍ଭୁକ୍ତ ହେଲା । ୧୫୩୧ର ବିଜୟ ପରେ ଗୋଲକୁଣ୍ଡା ସୁଲତାନ କ୍ୟୁଲି କୁତବଙ୍କ ବିଜାପୁର ସୁଲତାନଙ୍କ ସହ ଯୁଦ୍ଧ ହେଲା । ଏହି କାରଣରୁ ଓଡ଼ିଶା ଉପରୁ ଗୋଲକୁଣ୍ଡା ସୁଲତାନଙ୍କର ଧ୍ୟାନ ଊଣା ହେଲା । ପ୍ରତାପରୁଦ୍ରଙ୍କ ମୃତ୍ୟୁ ପରେ ୧୫୪୦ରେ କ୍ୟୁଲି କୁତବ ରାଜମହେନ୍ଦ୍ରୀ ଅଧିକାର କରିନେଲେ । ଗୋଲକୁଣ୍ଡା ସେନାର ପରାକ୍ରମ ଦେଖି ଓଡ଼ିଶାର ତତ୍‍କାଳୀନ ଶାସକ ଗୋବିନ୍ଦ ବିଦ୍ୟାଧର ତାଙ୍କ ସହ ସନ୍ଧି ସ୍ଥାପନ କଲେ । ସନ୍ଧି ଅନୁଯାୟୀ ଉଭୟ ରାଜ୍ୟ ମଧ୍ୟରେ ଗୋଦାବରୀ ନଦୀ ସୀମାରେଖା ରୂପେ ଧାର୍ଯ୍ୟ ହେଲା ।

ଦକ୍ଷିଣର ପ୍ରତିଯୋଗୀମାନଙ୍କୁ ବାଦ୍‍ ଦେଲେ ଉତ୍ତରରେ ମଧ୍ୟ ପ୍ରତାପରୁଦ୍ରଙ୍କୁ ଶତ୍ରୁର ସମ୍ମୁଖୀନ ହେବାକୁ ପଡିଥିଲା । ବଙ୍ଗର ନବାବ ଆଲ୍ଲାଉଦ୍ଦିନ ହୁସେନ ଶାହ ଓ ପଶ୍ଚିମ ଉତ୍ତରପ୍ରଦେଶସ୍ଥ ଜୈପୁରର ଶର୍କି ସୁଲତାନ ହୁସାଙ୍ଗଶାହ ଥିଲେ ଉତ୍ତରରେ ଗଜପତିଙ୍କ ପ୍ରତିଦ୍ୱନ୍ଦ୍ୱୀ । ମାତ୍ର ଉଭୟ ଶାସକ ଦିଲ୍ଲୀର ସୁଲତାନ ବାହାଲୁଲ ଲୋଦିଙ୍କ ବିରୁଦ୍ଧରେ ସଂଘର୍ଷ କରିବାରୁ ଗଜପତିଙ୍କ ସହ ସେମାନଙ୍କର ଯୁଦ୍ଧ ହୋଇ ନଥିଲା । ଦିଲ୍ଲୀ ସୁଲତାନ ସେମାନଙ୍କୁ ଯୁଦ୍ଧରେ ପରାଜିତ କରିଥିଲେ । ତେଣୁ ସେମାନେ ପ୍ରତାପରୁଦ୍ରଙ୍କଠାରୁ ଆଶ୍ରୟ ଓ ସହଯୋଗ ଲୋଡ଼ିଥିଲେ । ପ୍ରତାପରୁଦ୍ରଙ୍କ ଉପାଧି-'ଯମୁନାପୁରାଧୀଶ୍ୱର ଗଜପତି ହୁସାନଶାହୀ ସୁରତନ୍ତ୍ର ଶରଣ ରକ୍ଷଣ'ରୁ ମନେହୁଏ ଯେ ଗଜପତି ସେମାନଙ୍କୁ ଆଶ୍ରୟ ଦେଇଥିଲେ । ଫଳରେ ଓଡ଼ିଶା ଉପରେ ପ୍ରତାପରୁଦ୍ରଙ୍କ ସମୟରେ ଜୌନପୁର ଏବଂ ବଙ୍ଗ ପକ୍ଷରୁ କୌଣସି ଆକ୍ରମଣ ହୋଇନଥିଲା ।

ପ୍ରତାପରୁଦ୍ର ଦେବ ୧୫୩୮ରେ ଦେହତ୍ୟାଗ କଲେ । ମାଦଳାପାଞ୍ଜି ଅନୁଯାୟୀ ତାଙ୍କ ପରେ ତାଙ୍କ ଦୁଇ ପୁତ୍ର କାଳୁଆ ଦେବ ଏବଂ କଖାରୁଆ ଦେବ ସିଂହାସନ ଆରୋହଣ କଲେ । ଉଭୟ ଶାସକ ପ୍ରଭାବଶାଳୀ ନଥିବାରୁ ପ୍ରକୃତ ଶାସନ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧରଙ୍କ ହାତରେ ରହିଥିଲା । ଶେଷରେ ଗୋବିନ୍ଦ ବିଦ୍ୟାଧର ଉଭୟଙ୍କୁ ହତ୍ୟା କରି ନିଜେ ରାଜା ହେଲେ । ଫଳରେ ସୂର୍ଯ୍ୟ ବଂଶ ଶାସନ ଲୋପ ପାଇଲା ଏବଂ ଓଡ଼ିଶା ଇତିହାସରେ ଭୋଇବଂଶ ନାମରେ ଏକ ନୂଆ ରାଜବଂଶର ପ୍ରତିଷ୍ଠା ହେଲା । ଉଭୟ ରାଜକୁମାର ଦୁର୍ବଳ ଓ ପ୍ରଭାବହୀନ ଥିଲେ ବୋଲି ମାଦଳାପାଞ୍ଜି ସେମାନଙ୍କୁ ବ୍ୟଙ୍ଗ କରି ଏହିଭଳି ନାମକରଣ କରିଥିବା ମନେହୁଏ ।

...

{{right|ଓଡ଼ିଶା ଇତିହାସ . ୯୭