୧୯୫୧ ଛାତ୍ର ଆନ୍ଦୋଳନ :
ସରକାରୀ କଲେଜମାନଙ୍କରେ ଛାତ୍ରଙ୍କ ଦରମା ଓ ହଷ୍ଟେଲ୍ ଫି ବୃଦ୍ଧିପାଇଲା ୧୯୫୧ ମସିହାରେ । ଏହି ଦରମା ଓ ଫି ଦ୍ୱିତୀୟ ମହାସମର ପୂର୍ବରୁ ବୃଦ୍ଧି ପାଇ ନଥିଲା । ସ୍ୱାଧୀନତା ପରେ ରାଜ୍ୟରେ ଅଧିକ ମହାବିଦ୍ୟାଳୟ ଖୋଲାଗଲା । ସେହି ସମୟରେ ମୁଦ୍ରାସ୍ଫୀତି ଘଟିଲା । ଦରଦାମ ବୃଦ୍ଧି ପାଇଲା । ଫଳରେ ଖର୍ଚ୍ଚକୁ ଭରଣା କରିବା ପାଇଁ ସରକାର ଏହି ସବୁ ଫି ଓ ଛାତ୍ର ମାନଙ୍କ ଟିଉସନ ଫି ବୃଦ୍ଧି କରିବା ପାଇଁ ବାଧ୍ୟହେଲେ । ଏହାକୁ ବାମପନ୍ଥୀ ଓ ବିରୋଧୀଦଳର ନେତାମାନେ ଦୃଢ଼ ବିରୋଧ କଲେ । ସେମାନେ ଯୁକ୍ତି ବାଢ଼ିଲେ କି ରାଜା, ମହାରାଜା, ଜମିଦାରମାନେ କାହିିଁକି ଭତ୍ତା ପାଇବେ ? ସରକାର ସେମାନଙ୍କ ଉପରେ ଟିକସ ବସାଇ ରାଜସ୍ୱ ବୃଦ୍ଧି କରନ୍ତୁ । ଗରିବ ଘରର ପିଲା ଯେଉଁମାନେ କି ଉଚ୍ଚଶିକ୍ଷା ପାଇଁ କଲେଜରେ ନାମ ଲେଖାଉଛନ୍ତି, କଲେଜ ଟିଉସନ ଫିସ୍ ବୃଦ୍ଧି କରାଯାଇ ସେମାନଙ୍କୁ ଶୋଷଣ କରା ନଯାଉ । ପୂର୍ବର ଛାତ୍ର କଂଗ୍ରେସ ନେତାମାନେ ସୋସାଲିଷ୍ଟ୍ ଦଳକୁ ଚାଲି ଯାଇଥାଆନ୍ତି । ମୁଖ୍ୟମନ୍ତ୍ରୀ ନବବାବୁଙ୍କ ହାତରେ କୌଣସି ଛାତ୍ର ସଂଗଠନ ନଥାଏ । କଟକର ରେଭେନ୍ସା କଲେଜ ଥାଏ ଛାତ୍ର ସଂଗଠନର ମୂଳପୀଠ । ଏଠାରେ ସୋସାଲିଷ୍ଟ ଓ କମ୍ୟୁନି୍ଷ୍ଟ ପାର୍ଟି ପରିଚାଳିତ ଛାତ୍ର ସଂଗଠନଗୁଡ଼ିକ କାୟା ବିସ୍ତାର କରିାଆନ୍ତି । ଓଡ଼ିଶାର ଅନ୍ୟ କଲେଜର ପରିସ୍ଥିତି ମଧ୍ୟ ଅନୁରୂପ । ରେଭେନ୍ସା କଲେଜ ଆଦି ବଡ଼ ବଡ଼ କଲେଜମାନଙ୍କରେ ସୋସାଲିଷ୍ଟ୍ ଓ କମ୍ୟୁନିଷ୍ଟ୍ ପାର୍ଟିର ଅନୁଗତମାନେ ନେତୃତ୍ୱ ନେଇ ଥାଆନ୍ତି ।
କଟକ ସହର ଛାତ୍ର ଆନ୍ଦୋଳନ ଯୋଗୁଁ ପଡ଼ୁଥାଏ ଉଠୁଥାଏ । ରେଭେନ୍ସା କଲେଜର ଛାତ୍ରମାନେ ତତ୍କାଳୀନ ଉଚ୍ଚ ଶ୍ରେଣୀର ଛାତ୍ର ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଧର୍ମଘଟ ଜାରି ରଖିଥାଆନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ପ୍ରସାଦ ଦାସ, ପ୍ରବୀର ପାଲିତ, ଅଖିଳ ମୋହନ ପଟ୍ଟନାୟକ, ଦେବୀପ୍ରସନ୍ନ ପଟ୍ଟନାୟକ ଓ ବ୍ରଜମୋହନ ମହାନ୍ତି ଆଦି ଛାତ୍ର ନେତାମାନଙ୍କର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ଦୀର୍ଘ ବାରଦିନ ଯାଏଁ ରେଭେନ୍ସା କଲେଜରୁ ଚାନ୍ଦିନୀଚୌକ ପର୍ଯ୍ୟନ୍ତ ପ୍ରତ୍ୟେହ ଛାତ୍ରମାନଙ୍କର ଶୋଭାଯାତ୍ରା ଯାଉଥାଏ । ସରକାର ଏହି ଛାତ୍ର ଆନ୍ଦୋଳନ ପ୍ରତି କର୍ଣ୍ଣପାତ ନ କରିବାରୁ ଶେଷରେ ଛାତ୍ରସଂଗଠନ ଠିକ୍ କଲେ ୧୯୫୧ ଜୁଲାଇ ୧୭ ତାରିଖ ଦିନ ବିଧାନସଭା ଘେରାଉ କରିବେ । ସେତେବେଳେ ବିଧାନସଭା ରେଭେନ୍ସା କଲେଜ ହଲରେ ଅନୁଷ୍ଠିତ ହେଉଥାଏ । ସେହିଦିନ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ ବିଲ ବିଧାନସଭାରେ ପାସ୍ ହେବାକୁ ଥାଏ । ଛାତ୍ରମାନେ ବିଧାନସଭା ଭିତରକୁ ଯିବାପାଇଁ କାହାକୁ ଛାଡ଼ିଲେ ନାହିିଁ । କେବଳ ଏମ୍.ଏଲ.ଏ ବିଜୟାନନ୍ଦ ପଟ୍ଟନାୟକ ଛାତ୍ରମାନଙ୍କ ଉପରେ ଚଢ଼ି ଚାଲିଗଲେ । ନବବାବୁ ମୁଖ୍ୟମନ୍ତ୍ରୀ ହିସାବରେ ପିଲାମାନଙ୍କୁ ବହୁତ ବୁଝାଇଲେ । ଫଳ କିଛି ହେଲାନାହିିଁ । ଶେଷରେ ମୁଖ୍ୟମନ୍ତ୍ରୀ ସେଠାରୁ ଫେରିଆସିଲେ ।
୧୦୨ . ଓଡ଼ିଶା ରାଜନୀତିର ଇତିହାସ