ପୃଷ୍ଠା:Odisha Rajanitira Itihasa.pdf/୧୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱାଦଶ ପରିଚ୍ଛେଦ
ନବକୃଷ୍ଣ ଚୌଧୁରୀଙ୍କ ଇସ୍ତଫା ଓ
ଦ୍ୱିତୀୟ ସାଧାରଣ ନିର୍ବାଚନ

ଷଢେ଼ଇକଳା-ଖରସୁଆଁ ଓଡ଼ିଶାରୁ ଚାଲିଗଲା । ଓଡ଼ିଶାରେ ଜୋର୍‍ଦାର ସୀମା ଆନ୍ଦୋଳନ ହେଲା । ଏହି ଆନ୍ଦୋଳନଯୋଗୁଁ କଟକର ଯୁବକ ସୁନୀଲ୍‍ ଦେ ଓ ପୁରୀର କିଶୋର ବେଙ୍ଗପାଣିଆ ପୁଲିସ୍‍ ଗୁଳିରେ ମୃତ୍ୟୁବରଣ କଲେ । କେନ୍ଦ୍ର ସରକାର କୌଣସି ସୁବିଚାର କଲେ ନାହିିଁ । ଫଳରେ ବିରୋଧିଦଳ ଏହାର ଫାଇଦା ଉଠାଇଲେ । ଆନ୍ଦୋଳନ ସେମାନଙ୍କ ହାତକୁ ଚାଲିଗଲା । ବିରୋଧିଦଳମାନେ ଓଡ଼ିଶାକୁ ଭାରତବର୍ଷରୁ ପୃଥକ କରିଦେବା ପାଇଁ ଧ୍ୱନି ଦେଲେ । ସୀମା ଆନ୍ଦୋଳନ ନିମନ୍ତେ ନବକୃଷ୍ଣ ଚୌଧୁରୀ ସରକାର ବଦନାମ ହେଲା । କାନ୍ଥବାଡ଼ରେ ଲେଖାହେଲା, "ନବକୃଷ୍ଣ ଚୌଧୁରୀ ବରଗଛ ଦେଖି ଦଉଡ଼ି ଦିଅ ।" ପ୍ରଥମେ ଏହି ସୀମା ଆନ୍ଦୋଳନ ଥିଲା ଭାରତ ସରକାରଙ୍କ ବିରୁଦ୍ଧରେ । ହଠାତ୍‍ ମୋଡ଼ ବଦଳି ଯାଇ ଏହା ଓଡ଼ିଶା ସରକାର ଓ ନବବାବୁଙ୍କ ବିରୋଧୀ ହୋଇଗଲା ।

ସଭାସମିତିରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ପୂରେଇ ଦିଆଗଲାନାହିିଁ । ମୁଖ୍ୟମନ୍ତ୍ରୀ ରେଭେନ୍‍ସା କଲିଜିଏଟ୍‍ ସ୍କୁଲ୍‍ର ପୁରସ୍କାର ବିତରଣ ଉତ୍ସବକୁ ଯାଇ ଟେକାମାଡ଼ ଖାଇଲେ । କଂଗ୍ରେସଦଳ ଭିତରେ ମଧ୍ୟ ନବବାବୁଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଜୋରସୋର ଉଦ୍ୟମ ଚାଲିଥାଏ । ତାଙ୍କ ଜାଗାରେ ହରେକୃଷ୍ଣ ମହତାବଙ୍କୁ ମୁଖ୍ୟମନ୍ତ୍ରୀ କରି ଆଣିବାପାଇଁ ଗୋଟିଏଗୋଷ୍ଠୀ ଉଦ୍ୟମ କରୁଥାଆନ୍ତି । ସେତେବେଳେ ମହତାବବାବୁ ଥାଆନ୍ତି ବମ୍ବେ ପ୍ରଦେଶର ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ପଦରେ ନରହିବା ପାଇଁ ନବବାବୁ ବହୁତ ଥର ପଣ୍ଡିତ ନେହେରୁଙ୍କୁ ପତ୍ର ଲେଖି ଜଣାଇଥାଆନ୍ତି- ବିଶ୍ୱନା ଦାସଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବା ପାଇଁ । ପଣ୍ଡିତ ନେହେରୁ ରାଜି ନଥାନ୍ତି । କାରଣ ସେ ବିଶ୍ୱନାଥ ଦାସଙ୍କ ଉପରେ ସନ୍ତୁଷ୍ଟ ନଥିଲେ ।

୧୧୦ . ଓଡ଼ିଶା ରାଜନୀତିର ଇତିହାସ